କଟକରେ ବସ୍ତି ବାସିନ୍ଦାଙ୍କୁ ଥଇଥାନର ଉପାୟ ବିରୋଧରେ ଲୋକେ ଓ ପ୍ରଶାସନ ମୁହାଁମୁହିଁ ହେଲେ
OSAP ଷଷ୍ଠ ବଟାଲିୟନର କ୍ବାଟରଗୁଡ଼ିକୁ ଭାଙ୍ଗି ସେଠାରେ ଘର ତିଆରି କରି ବିସ୍ଥାପିତ ହେବାକୁ ଥିବା ବସ୍ତି ବାସିନ୍ଦାଙ୍କୁ ସେଇଠି ଥଇଥାନ କରିବାକୁ ଯୋଜନା କରିଛି ପ୍ରଶାସନ । ଏହି ନିଷ୍ପତ୍ତିକୁ OSAP କର୍ମଚାରୀମାନେ ଓ ଚାଉଳିଆଗଞ୍ଚ ଲୋକେ ବିରୋଧ କରୁଛନ୍ତି ।

ଶୁକ୍ରବାର ଦିନ କଟକରେ ବିରୋଧ ପ୍ରଦର୍ଶନ ସମୟର ଏକ ଦୃଶ୍ୟ
- News18 Odia
- Last Updated: January 29, 2021, 11:21 PM IST
କଟକ: କଟକ ଓ.ଏମ୍.ପି. ଛକ ନିକଟରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ଦିଗରେ ପ୍ରଶାସନର ନିଷ୍ପତ୍ତିକୁ ନେଇ ମୁହାଁମୁହିଁ ଅବସ୍ଥାକୁ ଆସିଛନ୍ତି ଜିଲ୍ଲା ପ୍ରଶାସନ ଓ ଚାଉଳିଆଗଞ୍ଜର ବାସିନ୍ଦାମାନେ । ଓ.ଏମ୍.ପି. ଛକ ନିକଟରେ ଥିବା ଓ.ଏସ୍.ଏ୍ପି. ଷଷ୍ଠ ବାଟାଲିୟନର କ୍ବାଟରକୁ ଭାଙ୍ଗି ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ଯୋଜନାକୁ ତୀବ୍ର ବିରୋଧ କରି ଚାଉଳିଆଗଞ୍ଜରେ ଶୁକ୍ରବାର ଦିନ ବନ୍ଦ ପାଳନ ହୋଇଥିଲା ।
ଶୁକ୍ରବାର ସକାଳୁ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା । ସୁରକ୍ଷା ଦୃଷ୍ଟିରୁ ଚାଉଳିଆଗଞ୍ଚ ଅଞ୍ଚଳରେ ୧୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲେ । ବସ୍ତି ବାସିନ୍ଦାଙ୍କ ଥଇଥାନ ପ୍ରସଙ୍ଗରେ ଗୁରୁବାର ଦିନ ପ୍ରଶାସନ ସହ ହୋଇଥିବା ବୈଠକରେ ନିଷ୍କର୍ଷ ବାହାରି ପାରି ନ ଥିଲା । କୌଣସି ପରିସ୍ଥିତିରେ ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଇ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛି ଚାଉଳିଆଗଞ୍ଜ ନାଗରିକ ସୁରକ୍ଷା କମିଟି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମାନସିକ ଅବସାଦ ଅଭିନେତ୍ରୀ ଜୟଶ୍ରୀଙ୍କ ପାଇଁ କାଳ ହେଲା; ପଙ୍ଖାରୁ ଝୁଲୁଥିବା ଅବସ୍ଥାରେ ମିଳିଲା ଶବ

ଗୁରୁବାର ପ୍ରଶାସନ ସହ ହୋଇଥିବା ବୈଠକ ଅଶାନ୍ତ ହୋଇପଡ଼ିଥିଲା ।
ଆରମ୍ଭରୁ ବୈଠକ ଶାନ୍ତିପୂର୍ଣ୍ଣ ଥିବା ବେଳେ ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ଓ.ଏମ୍.ପି. ଠାରେ ବସ୍ତି ବାସିନ୍ଦାଙ୍କ ପାଇଁ ଘର କରି ସେଠାରେ ସେମାନଙ୍କୁ ଥଇଥାନ କରାଯିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ଓ ଏଥି ପାଇଁ ସହରର ଅନ୍ୟ କେଉଁଠି ଉପଯୁକ୍ତ ସ୍ଥାନ ନ ଥିବା କେନ୍ଦ୍ରାଞ୍ଚଳ ଆର୍.ଡି.ସି. କହିବା ପରେ ବୈଠକ ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଆର୍.ଡି.ସି.ଙ୍କ କଥା ଶୁଣି ବୈଠକ ସ୍ଥଳ ଛାଡ଼ି ଚାଲି ଆସିଥିଲେ ନାକରୀକ ସୁରକ୍ଷା କମିଟିର କର୍ମକର୍ତ୍ତାମାନେ ।
ଏହି ଥଇଥାନ ପ୍ରକ୍ରିୟାର ପ୍ରତିବାଦ କରି ଶୁକ୍ରବାର ଦିନ ଓ.ଏମ୍.ପି. ଠାରେ କଟକ-ପାରାଦୀପ ରାସ୍ତାକୁ ଅବରୋଧ କରାଯିବା ସହ ସ୍ଥାନୀୟ ଅଞ୍ଚଳରେ ବନ୍ଦ ପାଳନ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ଅଶ୍ୱିନ୍ଙ୍କ ଦୁଃଖ ସାମ୍ନାକୁ ଆସିଲା: ‘‘କେହି ମୋତେ ଷ୍ଟିଭ୍ ସ୍ମିଥ୍ଙ୍କୁ ଆଉଟ୍ କରିବାକୁ ଯୋଗ୍ୟ ଭାବୁ ନ ଥିଲେ’’
‘‘ଆମେ ସହରର ବିକାଶ ଚାହୁଁଛୁ, କିନ୍ତୁ ସହରବାସୀଙ୍କ ସହିତ ଆଲେଚନା ନ କରି ମନ ଇଚ୍ଛା ଉଚ୍ଛେଦ ପ୍ରକ୍ରିୟାକୁ ଆମେ ବିରୋଧ କରୁଛୁ । ଆମ ସହିତ ଆଲୋଚନା ପାଇଁ ବୈଠକ ଡ଼କାଯାଇଥିଲା, ହେଲେ ସେଥିରେ ଆମର କୌଣସି କଥା ଶୁଣାଗଲା ନାହିଁ । ଆମେ ପ୍ରତିବାଦ ଜାରି ରଖିବୁ । ପ୍ରତିବାଦ ସତ୍ତ୍ୱେ ଯଦି ଓ.ଏମ୍.ପି.ରେ ବୁଲଡୋଜର୍ ଚାଲେ ତାହେଲେ ପରିଣାମ ଭଲ ହେବ ନାହିଁ,’’ କହିଛନ୍ତି ଚାଉଳିଆଗଞ୍ଚ ନାଗରିକ ସୁରକ୍ଷା କମିଟିର ସଭାପତି ଚିରଞ୍ଜୟ ସାହୁ ।

ଓ.ଏସ୍.ଏ.ପି. ଷଷ୍ଠ ବଟାଲିୟନର ଫାଟକ
ଓ.ଏସ୍.ଏ.ପି. ଷଷ୍ଠ ବଟାଲିୟନର ସରକାରୀ କ୍ବାଟରଗୁଡ଼ିକୁ ଭାଙ୍ଗି ସେଠାରେ ବାସ ଉପଯୋଗୀ ଘର ତିଆରି କରି ବିସ୍ଥାପିତ ହେବାକୁ ଥିବା ବସ୍ତି ବାସିନ୍ଦାଙ୍କୁ ସେଠାକୁ ସ୍ଥାନାନ୍ତର କରିବାକୁ ଯୋଜନା କରିଛି ପ୍ରଶାସନ । କିନ୍ତୁ ପ୍ରଶାସନର ଏହି ନିଷ୍ପତ୍ତିକୁ ପ୍ରଥମେ ଓ.ଏସ୍.ଏ.ପି. କର୍ମଚାରୀ ଓ ପରେ ଚାଉଳିଆଗଞ୍ଚ ଲୋକେ ବିରୋଧ କରିଛନ୍ତି ।
ଦେଖନ୍ତୁ ଫଟୋ | ଫିଲ୍ମ 'ଜନ୍ନତ'ର ଅଭିନେତ୍ରୀ ସୋନାଲ ଚୌହାନଙ୍କ ଫଟୋ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଛି
ଏ ନେଇ ପୂର୍ବରୁ ରାସ୍ତା ରୋକ ମଧ୍ୟ କରାଯାଇଛି । ଏସ୍.ସି.ବି. ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ହସ୍ପିଟାଲକୁ ଯାତାୟତରେ ସୁବିଧା ପାଇଁ ତାଳଦଣ୍ଡା କେନାଲର ରାସ୍ତା ସମ୍ପ୍ରସାରଣ ନିହାତି ଆବଶ୍ୟକ । ସେଥି ପାଇଁ ଲୋକଙ୍କୁ ତ୍ୟାଗ ମନୋବୃତି ପୋଷଣ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆର୍.ଡି.ସି. ଅନିଲ କୁମାର ସାମଲ ।
‘‘ଏସ୍.ସ.ବି. ହସ୍ପିଟାଲ ବିଶ୍ବସ୍ତରୀୟ ହେବାକୁ ଯାଉଛି । ଏହା କଟକ ପାଇଁ ଏକ ଗୌରବର କଥା । ଏଥି ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ ସରକାର ହାତକୁ ନେଇଛନ୍ତି । ସେହି ଭିତରେ ରହିଛି ହସ୍ପିଟାଲକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ରାସ୍ତା । ଏହି ସଂପ୍ରାସାରଣ ଯୋଗୁଁ ଛତ୍ରବଜାରରୁ ମାଲଗେଦାମ ପର୍ଯ୍ୟନ୍ତ ବସ୍ତିଗୁଡ଼ିକୁ ଉଚ୍ଛେଦ ହେବ । ଓ.ଏମ୍.ପି.ରେ ଥିବା ସରକାରୀ ଜାଗାରେ ଆମେ ଘର ତିଆରି କରି ସେଠାରେ ବସ୍ତି ବାସିନ୍ଦାଙ୍କୁ ରଖିବା ପାଇଁ ବ୍ୟବସ୍ଥା କରୁଛୁ । ଏଥି ପାଇଁ କିଛି ଉଚ୍ଛେଦ ମଧ୍ୟ କରାଯିବ । ଏତେ ବଡ଼ କାମ ପାଇଁ ଲୋକଙ୍କୁ କିଛି ଟା ତ୍ୟାଗ କରିବାକୁ ପଡ଼ିବ,’’ କହିଛନ୍ତି ସାମଲ ।