କଟକରେ ଦୁର୍ଗା ପୂଜା: ମୂର୍ତ୍ତିର ଉଚ୍ଚତାକୁ ୫ ଫୁଟ ମଧ୍ୟରେ ସୀମିତ ରଖିବା ନିଷ୍ପତ୍ତି ଆଣିଛି ଅନେକ ବାଧା

ବର୍ଷବର୍ଷ ଧରି ପ୍ରାୟ ୮ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରୁଥିବା ମୂର୍ତ୍ତି କାରୀଗର ଏଥର ୫ ଫୁଟର ମୁର୍ତ୍ତିର ଢାଞ୍ଚା କେମିତି କରିବେ? ଯଦି କରିବେ, ସେଥିରେ ମା'ଙ୍କ ପାରମ୍ପରିକ ମୁଖା ବା ମସ୍ତକକୁ କେମିତି ଖଞ୍ଜିବେ ସେହି ଚିନ୍ତାରେ ଅଛନ୍ତି ସେମାନେ ।

କଟକରେ ଦୁର୍ଗା ପୂଜା: ମୂର୍ତ୍ତିର ଉଚ୍ଚତାକୁ ୫ ଫୁଟ ମଧ୍ୟରେ ସୀମିତ ରଖିବା ନିଷ୍ପତ୍ତି ଆଣିଛି ଅନେକ ବାଧା
ଶେଖ ବଜାରର ପୂଜା ମଣ୍ଡପରେ ଥିବା ଖଡ଼ମା
  • News18 Odia
  • Last Updated: September 10, 2020, 9:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ପାଖେଇ ଆସୁଛି କଟକର ପ୍ରସିଦ୍ଧ ଦୁର୍ଗା ପୂଜା । କିନ୍ତୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତାକୁ ୫ ଫୁଟ ମଧ୍ୟରେ ସୀମିତ ରଖିବା ପାଇଁ ପ୍ରଶାସନର ପ୍ରସ୍ତାବ କଟକର ଦଶହରା ପ୍ରସ୍ତୁତିକୁ ପ୍ରାୟ ଠପ୍‌ କରି ଦେଇଛି । ସହରର କୌଣସି ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ବେଳେ ହାଇ କୋର୍ଟଙ୍କ ଠାରୁ ପୂଜା କରିବା ପାଇଁ ଅନୁମତି ପାଇଥିବା ବାଲୁବଜାର ମଣ୍ଡପର କର୍ମକର୍ତ୍ତାମାନେ ମଧ୍ୟ ଦ୍ବନ୍ଦ ମଧ୍ୟରେ ଅଛନ୍ତି ।

ଗତ ସପ୍ତାହରେ କମିଶନରେଟ ପୋଲିସ ଓ ସହରର ବିଭିନ୍ନ ରାଜ୍ୟନୈତିକ ଦଳର ନେତାଙ୍କ ମଧ୍ୟରେ ହୋଇଥିବା ଏକ ଭର୍ଚ୍ଚୁଆଲ ବୈଠକରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତାକୁ ୫ ଫୁଟ ମଧ୍ୟରେ ସୀମିତ ରଖିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ବୈଠକରେ ପୂଜାକୁ ସମ୍ପନ୍ନ କରିବା ପାଇଁ ଅନେକ ପ୍ରସ୍ତାବ ଗ୍ରହଣ ହୋଇଥିଲେ ମଧ୍ୟ ମୃଣ୍ଣୟୀ ମୂର୍ତ୍ତିର ଉଚ୍ଚତା ହିଁ ମଣ୍ଡପର କର୍ମକର୍ତ୍ତାମାନଙ୍କୁ ଅଡ଼ୁଆରେ ପକାଇଛି ।

ବର୍ଷବର୍ଷ ଧରି ପ୍ରାୟ ୮ ଫୁଟ ମୂର୍ତ୍ତି ନିର୍ମାଣ କରୁଥିବା ମଣ୍ଡପର ମୂର୍ତ୍ତି କାରୀଗର ଏଥର ୫ ଫୁଟର ମୁର୍ତ୍ତିର ଢାଞ୍ଚା କେମିତି କରିବେ? ଯଦି କରିବେ, ସେଥିରେ ମା'ଙ୍କ ପାରମ୍ପରିକ ମୁଖା ବା ମସ୍ତକକୁ କେମିତି ଖଞ୍ଜିବେ ସେହି ଚିନ୍ତାରେ ଅଛନ୍ତି ସେମାନେ । ହାଇ କୋର୍ଟଙ୍କ ଠାରୁ ପୂଜା ପାଇଁ ଅନୁମତି ପାଇଥିଲେ ମଧ୍ୟ ଏହି ପାଞ୍ଚ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ତିଆରି ନେଇ କମିଶନରେଟ ପୋଲିସର ଏହି ଅଘୋଷିତ ନିର୍ଦ୍ଦେଶନାମା ବାଲୁବଜାର ପୂଜା ମଣ୍ଡପର ମୂର୍ତ୍ତି କାରୀଗର ଓ ମଣ୍ଡପ କର୍ମକର୍ତ୍ତାମାନଙ୍କୁ ମଧ୍ୟ ଦ୍ବନ୍ଦ୍ୱରେ ପକାଇଛି ।

ଚାନ୍ଦନୀ ଚୌକର ଦୁର୍ଗା ପୂଜା ମଣ୍ଡପ


“ଆମର ଯୋଉଁ ପୂର୍ବ ପୁରୁଷରୁ ମୁଖାର ଢାଞ୍ଚା ରହିଛି ସେହି ଅନୁପାତରେ ଆମର ମୂର୍ତ୍ତି ତିଆରି ହୋଇଥାଏ । ଯେତେ ଯାହା କଲେ ବି ଆମେ ସେହି ଢାଞ୍ଚାକୁ ପରିବର୍ତ୍ତିତ କରିପାରିବା ନାହିଁ । ତେଣୁ ଛୋଟ ମୂର୍ତ୍ତି କେମିତି କରିବୁ?’’ ପ୍ରଶ୍ନ କରିଛନ୍ତି ବାଲୁବଜାର ପୂଜା ମଣ୍ଡପର ମୂର୍ତ୍ତି କାରୀଗର ତଥା ପୂଜକ କାଳିପ୍ରସାଦ ବାନାର୍ଜୀ ।

କେବଳ ବାଲୁବଜାର ପୂଜା ମଣ୍ଡପ ନୂହେଁ, ମା’ଙ୍କର ଛୋଟ ମୂର୍ତ୍ତି ତିଆରି କରିବା କଟକ ସହରର ସମସ୍ତ ପୂଜା ମଣ୍ଡପ ପାଇଁ ଏକ ସମସ୍ୟା ପାଲଟିଛି । କଟକ ସହରର ସମସ୍ତ ୧୭୯ଟି ମଣ୍ଡପର ମୂର୍ତ୍ତି ନିର୍ମାଣରେ ବିଶେଷ କିଛି ପାର୍ଥକ୍ୟ ନ ଥାଏ । ମୂର୍ତ୍ତିଗୁଡ଼ିକର ଆକାର ମଧ୍ୟ ପ୍ରାୟ ୮ ଫୁଟ ଉଚ୍ଚ ହୋଇଥାଏ । କିନ୍ତୁ ପ୍ରତିଟି ମଣ୍ଡପରେ ପୂଜା ପାଉଥିବା ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ମୁଖା ବା ମା’ଙ୍କ ମୁଖମଣ୍ଡଳ ଅନ୍ୟ ମଣ୍ଡପ ଠାରୁ ଭିନ୍ନ ଓ ସ୍ବତନ୍ତ୍ର ହୋଇଥାଏ । ଯେହେତୁ ସେହି ମୁଖା ବା ମୁଖ ମଣ୍ଡଳ ପୂଜା ମଣ୍ଡପର ପରିଚୟ ଓ ତାହା ତିଆରି ପାଇଁ ବ୍ୟବହୃତ ଛାଞ୍ଚ ମଧ୍ୟ ପାରମ୍ପରିକ ।

ଏହା ସହିତ ୮ ଫୁଟର ମୃଣ୍ମୟୀ ମୂର୍ତ୍ତି ପାଇଁ ହିଁ ସେହି ଛାଞ୍ଚ ରହିଛି । ତେଣୁ ଯଦି ମୂର୍ତ୍ତିର ଆକାର ଛୋଟ ହୋଇଯିବ ତେବେ ସେହି ଛୋଟ ମୂର୍ତ୍ତିରେ ବଡ଼ ମୂର୍ତ୍ତିର ମୁଖମଣ୍ଡଳକୁ ବ୍ୟବହାର କରାଯାଇ ପାରିବ ନାହିଁ । ଏହା କରାଗଲେ ମାଙ୍କ ମୃର୍ତ୍ତି ବିକୃତ ହୋଇଯିବ ବୋଲି ମଣ୍ଡପର କର୍ମକର୍ତ୍ତାମାନେ କହିଛନ୍ତି ।

ସମସ୍ୟା କେବଳ ସେତିକି ନୁହେଁ । ବରଂ ମୂର୍ତ୍ତିଗୁଡ଼ିକୁ ଧରି ରଖୁଥିବା “ଖଡ଼ମା” ବା କାଠରେ ତିଆରି ଫ୍ରେମ୍‌ମଧ୍ୟ ଅସୁବିଧା ସୃଷ୍ଟି କରୁଛି । ପ୍ରତିଟି ମଣ୍ଡପର ନିଜସ୍ବ ଖଡ଼ମା ରହିଛି, ଯାହା ଉପରେ ମା’ଙ୍କ ମୃର୍ତ୍ତି ତିଆରି କରାଯାଇଥାଏ । କିନ୍ତୁ ମୂର୍ତ୍ତିର ଆକାର ତିନି ଫୁଟ କମ୍‌ କରି ଦେଲେ ପାରମ୍ପରିକ “ଖଡ଼ମା”ରେ ମାଙ୍କ ପାଞ୍ଚ ଫୁଟର ମୂର୍ତ୍ତିକୁ ତିଆରି କରାଯାଇ ପାରିବ ନାହିଁ । ସେଥି ପାଇଁ ନୂଆ କରି ଛୋଟ "ଖଡ଼ମା' ତିଆରି କରିବାକୁ ପଡ଼ିବ । ସହରରେ ୧୭୯ ଟି ମଣ୍ଡପ ଥିବାରୁ ଏତେ ସଂଖ୍ୟାକ “ଖଡମା”କୁ ଏତେ କମ ଦିନ ମଧ୍ୟରେ ପ୍ରସ୍ତୁତ କରାଯାଇ ପାରିବ ନାହିଁ ବୋଲି ମଧ୍ୟ ମଣ୍ଡପ କର୍ମକର୍ତ୍ତାମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ଏହା ବି ପଢ଼ନ୍ତୁ | ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୫୯୧; ପୁଣି ୩,୯୯୧ ନୂଆ ମାମଲା ଚିହ୍ନଟ ହେଲେ

“ଖଡ଼ମା ଏବେ ତିଆରି ହୋଇ ପାରିବ ନାହିଁ । ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହିତ ମୋଟ ୭ଟି ପିତୁଳା.. ୭ଟି ପିତୁଳା ପାଇଁ ଖଡ଼ମା ତିଆରି କରିବା ପାଇଁ କାଠ ଦରକାର… କାଠ ଏବେ ମିଳୁନାହିଁ । ଖଡ଼ମାକୁ ପଟାରେ ତିଆରି କରାଯାଇ ପାରିବ ନାହିଁ । ଆମର ପାଞ୍ଚ ଶହ ବର୍ଷର ପୁରୁଣା ମୁଖା । ନୂଆ ମୁଖା କରି ହେବ ନାହିଁ । ମା’ଙ୍କ ମୁଖ ବିକୃତ ହୋଇଯିବ । ମା’ଙ୍କୁ ଆମେ ବିକୃତ କରାଇ ଦେବୁ ନାହିଁ,” କହିଛନ୍ତି ବାଲୁବଜାର ପୂଜା ମଣ୍ଡପର ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ।



ସବୁ ଠାରୁ ବଡ଼ ସମସ୍ୟା ଉତ୍ପନ୍ନ କରିଛି ମଳ ମାସ । ଆସନ୍ତା ୧୮ ତାରିଖରୁ ମଳ ମାସ ଆରମ୍ଭ ହେଉଥିବାରୁ ପୂରା ମାସକ ଯାକ ମାଙ୍କ ମୃର୍ତ୍ତି ତିଆରି ସମ୍ପର୍କିତ କୌଣସି କାର୍ଯ୍ୟ କରାଯିବ ନାହିଁ । ପରମ୍ପରା ମୁତବାକ ମହାଳୟା ବା ଖଡ଼ିଲାଗି ଅମାବାସ୍ୟା ଦିନ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ରଙ୍ଗ ଲାଗି କରାଯାଇଥାଏ । କିନ୍ତୁ ଅମାବାସ୍ୟାକୁ ମାତ୍ର ହାତ ଗଣତି ଦିନ ବାକି ରହିଥିବାରୁ ଏହା ପୂର୍ବରୁ ଯାହା ହେଲେ ବି ମୂର୍ତ୍ତି ତିଆରି କାମ ଶେଷ କରି ମାଙ୍କ ମୂର୍ତ୍ତୀରେ ଖଡ଼ି ରଙ୍ଗ ଲାଗି କରାଯିବ । କିନ୍ତୁ ମୂର୍ତ୍ତି ତିଆରି କାର୍ଯ୍ୟ ତ ଏପର୍ଯ୍ୟନ୍ତ ହୋଇ ନାହିଁ, ତେଣୁ ଖଡ଼ି ଲାଗି ଅମାବସ୍ୟା ଦିନ କେମିତି ଖଡ଼ି ଲାଗି କରାଯିବ ବୋଲି ପ୍ରଶ୍ନ କରିଛନ୍ତି ସହରର ଅନେକ ପୂଜା କମିଟି । କିଛି ପୂଜା କମିଟି ବାଲୁବଜାର ମଣ୍ଡପ ସମ୍ପର୍କିତ ହାଇ କୋର୍ଟଙ୍କ ଅର୍ଡରକୁ ନେଇ ପୁଣି କୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ।
Published by: Anand Shankar Thankur Das
First published: September 10, 2020, 9:21 PM IST
corona virus btn
corona virus btn
Loading