ନକଲି ଡିଟରଜେଣ୍ଟ ରାକେଟର ପର୍ଦ୍ଦାଫାସ କଲା କଟକ କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)
News18 Odia Digital
କଟକ: କେତେବେଳେ ଖାଦ୍ୟରେ ଅପମିଶ୍ରଣ ତ କୌଣସି ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରି ଧରାପଡ଼ିଛନ୍ତି କଟକର ବ୍ୟବସାୟ। ଏବେ ପୁଣି କଟକ ମାଲଗୋଦାମ ପୋଲିସ ହାତରେ ଧରା ପଡ଼ିଛି ନକଲି ଡିଟରଜେଣ୍ଟ ପ୍ରସ୍ତୁତ କରୁଥିବା ଏକ ରାକେଟ ।
ଏହି ରାକେଟର ମୁଖ୍ୟ ସଦସ୍ୟ କଟକ ଜଗତପୁର ବାସିନ୍ଦା ଅଭିଜିତ ବେହେରାକୁ ପୋଲିସ ଗିରଫ କରିବା ସହ ତା ବିପୁଳ ପରିମାଣର ନକଲି ଡିଟରଜେଣ୍ଟକୁ ଜବତ କରିଛି । ଏହା ସହ ବିଶ୍ବଜିତ ଠାରୁ ସୂଚନା ପାଇବା ପରେ ଟାଙ୍ଗୀ, ମାହାଙ୍ଗା ଓ କଟକ ସଦର ଅଞ୍ଚଳରେ ଥିବା ତିନିଟି ପ୍ୟାକିଂ ୟୁନିଟକ ଉପରେ ଚଢାଉ କରି ପୋଲିସ ମୋଟ ୩୩୩୦ କେଜି ଓଜନର ନକଲି ଡିଟରଜେଣ୍ଟକୁ ଜବତ କରିଛି । ସେଥି ମଧ୍ୟରୁ ୧୮୦୦ କେଜି ଓଜନର ଡିଟରଜେଣ୍ଟ ଖୋଲା ଥିବା ବେଳେ ୧୫୪୦ କେଜି ନକଲି ଡିଟରଜେଣ୍ଟକୁ ପ୍ୟାକିଂ କରାଯାଇଥିଲା। ଏହା ପ୍ୟାକିଂ ପାଇଁ ଆବଶ୍ୟକ ହେଉଥିବା ଅନେକଗୁଡ଼ିଏ ଯନ୍ତ୍ରପାତି ମଧ୍ୟ ଜବତ କରିଛି ପୋଲିସ ।
ବଡ଼ କଥା ହେଉଛି କି ଲୋକପ୍ରିୟ ବ୍ରାଣ୍ଡ 'ସର୍ଫ ଏକ୍ସିଲ'ର ଅବିକଳ ନକଲି ପ୍ୟାକେଟ ପ୍ରସ୍ତୁତ କରି ସେଥିରେ ଅତି ନିମ୍ନମାନର ତଥା ଶସ୍ତା ଡିଟରଜେଣ୍ଟ ଭର୍ତ୍ତି କରି ବଜାରକୁ ବିକ୍ରି କରୁଥିଲେ । ବିଶେଷ କରି ୧୦ ଟଙ୍କିଆ ପ୍ୟାକର ବହୁଳ ବ୍ୟବହାର ହେଉଥିବାରୁ ଏହି ଗ୍ୟାଙ୍ଗର ନିଜର ନକଲି ଡିଟରଜେଣ୍ଟକୁ କେବଳ ନକଲି ୧୦ ଟଙ୍କିଆ ପ୍ୟାକରେ ଭର୍ତ୍ତି କରି ବିକ୍ରି କରୁଥିଲେ। ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ କଟକର ତିନି ଯୁବକ ଗ୍ରାହକଙ୍କ ବିଶ୍ୱାସରେ ବିଷ ଦେଇ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି।
ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାଇ । ଗିରଫ ଅଭିଯୁକ୍ତ ଅଭିଜିତ ବେହେରା ନାଁରେ ପୂର୍ବରୁ ନକଲି ସାମଗ୍ରୀ କରାବାର କରିବା ନେଇ ମାମଲା ରହିଛି । ଏନେଇ କମିଶନରେଟ ପୋଲିସ ଅଭିଜିତର ଗତିବଧିକୁ କିଛି ଦିନ ହେଲା ଲକ୍ଷ୍ୟ ରଖିଥିଲା ।
ଖବରପାଇ ମାଲଗୋଦାମ ପୋଲିସ ସେଠାରେ ରେଡ଼ କରିବା ପରେ ଅଭିଜିତ ବେହେରାକୁ ଘଟଣା ସ୍ଥଳରୁ ହିଁ ଧରି ଥିଲା ପୋଲିସ । ତେବେ ଅଭିଜିତକୁ ପଚରାଉଚରା କରିବା ପରେ ସେ ଟାଙ୍ଗୀ ବ୍ରହ୍ମଣପଡ଼ାଠାରେ ଥିବା ନିଜର ପ୍ୟାକିଂ ୟୁନିଟ ସହିତ ମହାଙ୍ଗାର ଉମର ଓ କଟକ ସଦର ଅଞ୍ଚଳର ଖଣ୍ଡେଇତାରେ ଥିବା ନିଜର ଦୁଇ ବନ୍ଧୁଙ୍କ ପ୍ୟାକିଂ ୟୁନିଟ ପାଇଁ ଏହି ସାମଗ୍ରୀ ମଗାଇଥିବା ସ୍ୱୀକାର କରିଥିଲା । ପୋଲିସ ଉଭୟ ସ୍ଥାନରେ ରେଡ଼ କରି ବିପୁଳ ପରିମାଣ ସାମଗ୍ରୀ ଜବତ କରିଛି ।
"ବିଶ୍ବଜିତ ବେହେରା ଗରିଫ ହୋଇଥିବା ବେଳେ ତାର ଦୁଇ ସହଯୋଗୀ ବାଦଲ ସିଂ ପ୍ରିୟବ୍ରତ ଜେନା ଏବେ ଫେରାର ଅଛନ୍ତି । ଉଭୟଙ୍କ ଧରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଏମାନେ ଅଳ୍ପ ଟଙ୍କାରେ ଶସ୍ତା ଆଉ ଖରାପ ମାନର ଡିଟରଜେଣ୍ଟ କିଣି ସେଗୁଡ଼ିକୁ 'ସର୍ଫ ଏକ୍ସିଲ'ର ନକଲି ପ୍ୟାକେଟରେ ଭର୍ତ୍ତି କରି ବଜାରରେ ବିକ୍ରି କରିଥାନ୍ତି । ଏମାନେ କେଉଁଠାରୁ ଏହି ସବୁ କଞ୍ଚାମାଲ ଆଣନ୍ତି ଓ ସେଗୁଡ଼ିକୁ ପ୍ୟାକିଂ କରିବା ପରେ କେଉଁ କେଉଁ ଠାରେ ବିକ୍ରି କରନ୍ତି ତାର ଅନୁସନ୍ଧାନ ଚାଲିଛି," କହିଛନ୍ତି କଟକ ଜୋନ ୧ ଏସିପି ଶୁଭନାରାୟଣ ମୁଦୁଲି ।
Published by:Soumya Das
First published: