News18 Odia Digital
କଟକ: ଡ୍ରାଇଭିଂ ଲାଇସେନ୍ସ ନଥାଇ ଦୁଇ ଚକିଆ ଗାଡ଼ି ଚଲାଉଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଟକ କମିଶନରେଟ ପୋଲିସ । ଏହି କ୍ରମରେ ଶନିବାରଠାରୁ କଟକ ସହରରେ ପୋଲିସ ଏକ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିଥିବା ବେଳେ ପ୍ରଥମ ଦିନରେ ଧରା ପଡ଼ିଛନ୍ତି୫ ଜଣ ସ୍କୁଲ ଛାତ୍ରଛାତ୍ରୀ ।
କଟକ କମିଶନରେଟ ପୋଲିସର ଟ୍ରାଫିକ ବିଭାଗ ଓ କଟକ ଆରଟିଓ ପକ୍ଷରୁ ମିଳିତ ଭାବେ କରାଯାଇଥିବା ଏହି ସ୍ପେସାଲ ଡ୍ରାଇଭ ସହରର ଅନ୍ୟତମ ପ୍ରମୁଖ୍ୟ ସ୍କୁଲ ସିଡିଏ ଡିଏଭି ନିକଟରେ ଆରମ୍ଭ ହୋଇଥିଲା । ସକାଳ ପ୍ରାୟ ୭ଟା ବେଳେ ଆରମ୍ଭ ହୋଇଥିବା ଏହି ଡ୍ରାଇଭ ଗୋଟିଏ ଘଣ୍ଟା ଧରି ଚାଲିଥିଲା ଏବଂ ଏହି ଡ୍ରାଇଭରେ ପ୍ରଥମ ଦଫାରେ ଦୁଇ ଚିକିଆ ଗାଡ଼ି ସ୍କୁଲକୁ ଆସିଥିବା ୫ ଜଣ ଛାତ୍ରଛାତ୍ରୀଙ୍କ ଗାଡ଼ିକୁ ପୋଲିସ ଜବତ କରିଥିଲା ।
ଜବତ କରିବା ପରେ ଗାଡ଼ିଗୁଡ଼ିକୁ ଟ୍ରାଫିକ ଥାନାକୁ ନିଆଯାଇଥିବା ବେଳେ ଆବଶ୍ୟକୀୟ କାଗଜପତ୍ର ଓ ଫାଇନ ଦେଇ ଗାଡ଼ିଗୁଡ଼ିକୁ ଥାନାରୁ ଆଣିବା ପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅବିଭାବକମାନଙ୍କ ଜଣାଇଛି ପୋଲିସ । ଏହା ସହିତ ଏପରି ଯେମିତି ଭବିଷ୍ୟତରେ ନ ହୁଏ ସେଥିପ୍ରତି ମଧ୍ୟ ପୋଲିସ ତାଗିଦ କରିଛି ।

ଅଭିଭାବକମାନଙ୍କୁ ବୁଝାଉଛନ୍ତି ପୋଲିସ
"ଏହି ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ଆମେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରୁଛୁ । ବିଶେଷ କରି ପିଲାମାନଙ୍କ ଗାଡ଼ି ଚାଳନା ନେଇ ଥିବା ମୋଟର ଭାଇକିଲ ଆଇନରେ ଥିବା ବ୍ୟବସ୍ଥା ବାବଦରେ ଆମେ ଅବିଭାବକମାନଙ୍କୁ ସଚେତନ କରିବାକୁ ଚାହୁଁଛୁ । ଆଗକୁ ଏହି ଭଳି ଅଭିଯାନ ସହରର ବିଭିନ୍ନ ସ୍କୁଲଗୁଡ଼ିକରେ କରାଯିବ," କହିଛନ୍ତି କଟକ ଡିସିପି ପ୍ରତିକ ସିଂ ।
ମୋଟର ଭାଇକିଲ ଆକ୍ଟ ୧୯୮୮ ମୁତାବକ ୧୮ ବର୍ଷ ବୟସ୍କ କିମ୍ବା ତା ଠାରୁ ଉର୍ଦ୍ଧ ବୟସ୍କ ଯେ କୌଣସି ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇବା ପରେ ହିଁ ସର୍ବସାଧାରଣ ସ୍ଥାନରେ ଦୁଇ ଚକିଆ ଯାନ ଚଲାଇ ପାରିବେ । କିନ୍ତୁ ୧୬ ବର୍ଷରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ କେବଳ ୫୦ ସିସିରୁ ଅଧିକ ଇଞ୍ଜିନ କ୍ଷମତା ନ ଥିବା ଦୁଇ ଚକିଆ ଗାଡ଼ି ଚଲଇବା ପାଇଁ ଅନୁମତି ରହିଛି ।
"ବର୍ତ୍ତମାନ ୫୦ ସିସି ବିଶିଷ୍ଟ କୌଣସି ଦୁଇ ଚକିଆ ଯାନ ଭାରତୀୟ ବଜାରରେ ଉପଲବ୍ଧ ନାହିଁ । ଏହି କ୍ଷେତ୍ରରେ ଯେଉଁ ଅବିଭାବକମାନେ ସେମାନଙ୍କ ପିଲାଙ୍କ ଗାଡ଼ି ଦେବା ଚହୁଁଛନ୍ତି ସେମାନେ ଇଲେକ୍ରିକ ଗାଡ଼ିର ବ୍ୟବହାର କରି ପାରନ୍ତି । ୧୬ରୁ ୧୮ ବର୍ଷର ପିଲାମାନେ .୨୫ କିଲେଓ୍ବାଟରୁ ତଳକୁ ଥିବା ସମସ୍ତ ଇଲେକ୍ଟ୍ରି ବାଇକ କିମ୍ବା .୨୫ କିଲୋଓ୍ବାଟରୁ ଅଧିକ କ୍ଷମତା ଥିଲେ ମଧ୍ୟ ଯେଉଁ ଗାଡ଼ିଗୁଡ଼ିକର ସ୍ପିଡ୍ ଘଣ୍ଟାପ୍ରତି ୪୦ କିମିରୁ ଅଧିକ ନଥିବ ସେହି ଗାଡ଼ି ଗୁଡ଼ିକୁ ସେମାନେ ବ୍ୟବହାର କରି ପାରିବେ," କହିଛନ୍ତି କଟକ ଆରଟିଓର ଜଣେ ଅଧିକାରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।