ପୁରୀ ଶ୍ରୀମନ୍ଦିର ଭଳି ବଦଳିବ କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀଙ୍କ ମନ୍ଦିରର କଳେବର
News18 Odia Digital
କଟକ: ପୁରୀ ଶ୍ରୀମନ୍ଦିର ଭଳି ବଦଳିବ କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀଙ୍କ ମନ୍ଦିରର କଳେବର। କେବଳ ମନ୍ଦିର ନୁହେଁ ବରଂ ଏହାର ଆଖାପାଖ ଅଞ୍ଚଳକୁ ମଧ୍ୟ ଦିଆଯିବ ଏକ ନୂଆ ରୂପ। ମା'ଙ୍କ ମନ୍ଦିର ଓ ଏହାର ପରିସରର ବିକାଶ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ଏନେଇ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛନ୍ତି।
ଏହା ପୂର୍ବରୁ ଗୁରୁବାର ଦିନ ମନ୍ଦିରକୁ ଆସି ଭିତ୍ତିଭୂମିର ସମିକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍। ପ୍ରଥମେ ମା'ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଶେଷ କରିବା ପରେ ୫ଟି ସଚିବ ମନ୍ଦିରର ସେବକମାନଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସେ ମନ୍ଦିରର ବିଭିନ୍ନ ସ୍ଥାନ ପରିଦର୍ଶନ ଅବସର ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କ ସହ ମଧ୍ୟ ବିଚାର ବିମର୍ଷ କରିଥିଲେ। ଏହି ଅବସରରେ ପାର୍କିଂ ସମସ୍ୟା, ମନ୍ଦିର ପରିସରରେ ଉପଯୁକ୍ତ ଭିତ୍ତିଭୂମି ବୃଦ୍ଧି ଓ ଜଳନିଷ୍କାସନ ସମସ୍ୟା ଭଳି ମୁଖ୍ୟତଃ ତିନିଟି ସମସ୍ୟା ଦିଗରେ ୫ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
"କେବଳ ମନ୍ଦିରରେ ମାର୍ବଲ ଲଗାଇ ଦେଲେ ଏହା ସୁନ୍ଦର ଦିଶିବ ନାହିଁ ବରଂ ଏହାର ଐତିହ୍ୟକୁ ବି ବଞ୍ଚାଇ ରଖିବା ପାଇଁ ବି ଉଦ୍ୟମ ହେବା ଉଚିତ୍। ୫ଟି ସଚିବକୁ ମୁଁ ମନ୍ଦିରର ପାର୍କିଂ ସମସ୍ୟା, ମନ୍ଦିର ପରିସରରେ ଉପଯୁକ୍ତ ଭିତ୍ତିଭୂମି ବୃଦ୍ଧି ଓ ଜଳନିଷ୍କାସନ ସମସ୍ୟା ବାବଦରେ କହିଛି। ମୋର ବିଶ୍ବାସ ସରକାର ଏଥି ପ୍ରତି ନିଶ୍ଚୟ ଧ୍ୟାନ ଦେବେ," କହିଛନ୍ତି କଟକ ଚଣ୍ଡୀ ମନ୍ଦିରର ପୂଜକ ମନୋଜ ପଣ୍ଡା।
ହଜାରେ ବର୍ଷର ଏହି ସହରରେ କାହିଁ କେଉଁ କାଳରୁ ମା' କଟକ ଚଣ୍ଡୀ ସେହି ସ୍ଥାନରେ ପୂଜା ପାଇ ଆସୁଛନ୍ତି। ଏହାର ନୀତି କାନ୍ତି ଅନ୍ୟାନ୍ୟ ମନ୍ଦିର ତୁଳନାରେ ଭିନ୍ନ। ଏଠାରେ ପୂଜକ ନୁହେଁ ସେବକମାନେ ବର୍ଷ ବର୍ଷ ଧରି ମା' ଚଣ୍ଡୀଙ୍କ ପୂଜା କରି ଆସୁଛନ୍ତି। ମାତ୍ର ବର୍ଷ ପରେ ବର୍ଷ ବିତି ଯାଇଥିଲେ ବି ଏହାର ପୁନଃ ଉଦ୍ଧାର ଲାଗି ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଇନଥିଲା।
ତେବେ ୫ଟି ସଚିବଙ୍କ ଏହି ଗସ୍ତ ପରେ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ଉନ୍ନତି ଖୁବ୍ ଶୀଘ୍ର ହେବ ବୋଲି ଆଶା ରଖିଛନ୍ତି ଶ୍ରଦ୍ଧାଳୁ। ସେପଟେ ମନ୍ଦିରର କର୍ମକର୍ତ୍ତା ଓ ଆରକିଟେକମାନଙ୍କ ସହ ଆଲୋଚନା କରି ୭ ଦିନ ମଧ୍ୟରେ ମନ୍ଦିରର ଉନ୍ନତିକରଣ ଯୋଜନା ପ୍ରସ୍ତୁତ କରାଯିବ ଓ ତାହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ।
"ମନ୍ଦିର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଷ୍ଟେକ ହୋଲ୍ଡରମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ। ଓ ଯାହାବି ନିଶ୍ଚିତ ହେବ ଏହାକୁ ଏକ ରିପୋର୍ଟ ଆଧାରରେ ଆମେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବୁ," କହିଛନ୍ତି କଟକ ଜିଲ୍ଳାପାଳ ଭବାନୀଶଙ୍କର ଚୟନୀ।
ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମା'ଙ୍କ ମନ୍ଦିରର ନିଜସ୍ବ ୨୭ ହଜାର ବର୍ଗଫୁଟର ଜମି ରହିଛି। ଏହି ଜମିକୁ ଲାଗି କରିଥିବା ଅଧିକ ୪ ହଜାର ବର୍ଗଫୁଟ ଜମିକୁ ପ୍ରଶାସନ ଅଧିଗ୍ରହଣ କରିବ। ଏହା ସହ ପାର୍କିଂ ସୁବିଧା ସହ ମା'ଙ୍କ ମନ୍ଦିର ମୁଖ୍ୟ ଦ୍ବାର ସମ୍ମୁଖ ଦେଇ ଯାଇଥିବା ରାସ୍ତାର ସମ୍ପ୍ରସାରଣ କରାଯିବ। ଯଦି ସବୁ କିଛି ଠିକ ଠାକ ଚାଲେ ତେବେ ଆସନ୍ତା ମାସରୁ ମନ୍ଦିର ନବନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ସମ୍ଭାବନା ରହିଥିବା ଆଲୋଚନା ହେଉଛି।
Published by:Lipina Das
First published: