କଟକର ଅଟୋ ଚାଳକ ପାଲଟିଲା ଯୌନ ପିଶାଚ, ବାଟରେ କଲେଜ ଛାତ୍ରୀଙ୍କ ସହ ଦୁଷ୍କର୍ମ ଉଦ୍ୟମ କଲା
ଭୁବନେଶ୍ବର ଆସୁଥିବା କଲେଜ ଛାତ୍ରୀଙ୍କୁ ଅଟୋ ଡ୍ରାଇଭର ନଖରା ଦେଇ ନ ନେଇ ନନ୍ଦନକାନନ ଦେଇ ଆଣୁଥିଲା । ଏକ ଜଙ୍ଗିଲିଆ ସ୍ଥାନକୁ ଅଟୋ ନେଇ ତାଙ୍କ ମୋବାଇଲ ଫୋନ୍ ଛଡ଼ାଇନେବା ପରେ ତାଙ୍କୁ ନିର୍ବସ୍ତ୍ର କରିବାକୁ ଉଦ୍ୟମ କରିଥିଲା ।

ଅଭିଯୁକ୍ତ ଅଟୋ ଡ୍ରାଇଭର ଦିଲ୍ଲୀପ ରଣା
- News18 Odia
- Last Updated: October 9, 2020, 11:33 PM IST
କଟକ: ଅଟୋ ଚାଳକ ରୂପୀ ଜଣେ ପିଶାଚ କବଳରୁ ବର୍ତ୍ତି ଯାଇଛନ୍ତି ଜଣେ କଲେଜ ଛାତ୍ରୀ । ଛାତ୍ରୀ ଜଣଙ୍କୁ ଏକୁଟିଆ ପାଇ ଅଟୋ ଡ୍ରାଇଭର୍ ତାଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ କରି ଧରା ପଡ଼ିଛି । ଘଟଣାଟି ଘଟିଛି କଟକ ବାରଙ୍ଗ ଥାନା ଅଞ୍ଚଳରେ ।
ଭୁବନେଶ୍ବରର ଏକ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଦେବା ପାଇଁ ଶୁକ୍ରବାର ସକାଳୁ କେନ୍ଦ୍ରପଡ଼ା ସ୍ଥିତ ନିଜ ଘରୁ ବସରେ ବାହାରି ଥିଲେ ଏହି କଲେଜ ଛାତ୍ରୀ । ଦିନ ପ୍ରାୟ ୧୧ଟା ବେଳେ କଟକ ଲିଙ୍କ୍ ରୋଡରେ ପହଞ୍ଚିବା ପରେ ସେ ଜୟଦେବ ବିହାର ଯିବା ପାଇଁ ବସ୍ ନ ପାଇ ସେଠାରୁ ଭୁବନେଶ୍ବର ଯିବା ପାଇଁ ଏକ ଅଟୋରେ ବସିଥିଲେ । ସେହି ଅଟୋରେ ପୂର୍ବରୁ ଦୁଇ ଜଣ ମହିଳା ବି ବସିଥିଲେ ।
ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଅଟୋ ଡ୍ରାଇଭର ଦିଲ୍ଲୀପ ରଣା ନଖରା ଦେଇ ଭୁବନେଶ୍ବର ଯିବା ବଦଳରେ ନନ୍ଦନକାନନ ଦେଇ ଭୁବନେଶ୍ବର ଯିବା ପାଇଁ ଯାତ୍ରୀମାନଙ୍କୁ କହି ସେହି ବାଟ ଦେଇ ଅଟୋ ନେଇଥିଲା । ଅଟୋରେ ବସିଥିବା ଦୁଇ ମହିଳା ତ୍ରିଶୁଳିଆ ଛକରେ ଓହ୍ଲାଇ ଯାଇଥିଲେ । ଏହା ପରେ ଦିଲ୍ଲିପ ଅଟୋରେ ଏକା ବସିଥିବା ଛାତ୍ରୀ ଜଣଙ୍କୁ ଜୟଦେବ ବିହାର ନେବା ପରିବର୍ତ୍ତେ ଗୋଡ଼ିସାହି ଫାଣ୍ଡି ଅଧୀନରେ ଥିବା ଏକ ନିଛାଟିଆ କେନାଲ ବନ୍ଧ ରାସ୍ତାରେ ନେଇ ଯାଇଥିଲା ।

ତ୍ରିଶୁଳିଆ ଛକ ନିକଟରେ ଏହି ଜଙ୍ଗଲିଆ ସ୍ଥାନରେ ଦୁଷ୍କର୍ମ ଉଦ୍ୟମ ହୋଇଥିଲା ।
ଛାତ୍ରୀ ସନ୍ଦେହ ପ୍ରକାଶ କରିବାରୁ ସେହି ରାସ୍ତାରେ କମ୍ ସମୟ ଲାଗିବ ବୋଲି କହି ଅଟୋକୁ ଏକ ଜଙ୍ଗିଲିଆ ସ୍ଥାନକୁ ନେଇ ଯାଇଥିଲା ଦିଲ୍ଲୀପ । ଛାତ୍ରୀ ଜଣକ କିଛି ବୁଝିପାରିବା ଆଗରୁ ଦିଲ୍ଲୀପ ତାଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଇ ତାଙ୍କୁ ନିର୍ବସ୍ତ୍ର କରିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ଛାତ୍ରୀ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ସେଠାରେ ଥିବା ଗାଈ ଜଗୁଆଳିମାନେ ସେଠାରେ ପହଞ୍ଚିଥିଲେ । ଛାତ୍ରୀ ସବୁ କଥା ସେମାନଙ୍କୁ କହିଥିଲେ । ଏହା ପରେ ସେହି ବାଟ ଦେଇ ଯାଉଥିବା କିଛି ସ୍ଥାନୀୟ ସାମ୍ବାଦିକଙ୍କୁ ଗାଇ ଜଗୁଆଳିମାନେ ଏ ବାବଦର ଅବଗତ କରାଇବା ପରେ ସେମାନେ ଗୋଡ଼ିସାହି ଫାଣ୍ଡି ସହ ଯୋଗାଯୋଗ କରିଥିଲେ ।
ଖବର ପାଇ ପୋଲିସ ସେଠାରେ ପହଞ୍ଚି ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ନିଜ ହେପାଜତକୁ ନେବା ସହ ଛାତ୍ରୀ ଜଣଙ୍କୁ ଏକ ବେସରକାରୀ ଗାଡ଼ିରେ ପୋଲିସ ସୁରକ୍ଷା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପଠାଇଥିଲା ।
“ଝିଅଟି ପରୀକ୍ଷା ଦେଇ ଫେରିବା ପରେ ଆମ ପାଖରେ ଲିଖିତ ଅଭିଯୋଗ କରିଛି । ତା’ ଅଭିଯୋଗକୁ ଆଧାର କରି ଆମେ ଆଇପିସିର ଦଫା ୩୭୬ ଓ ୫୦୬ରେ ଏକ ମାମଲା ରୁଜୁ କରିଛୁ । ଝିଅଟିର କଥାରେ ସତ୍ୟତା ରହିଛି । ଅଭିଯୁକ୍ତ ଦିଲ୍ଲୀପ କଟକ ବିଡ଼ାନସୀର ଶ୍ରୀବିହାର କଲୋନୀରେ ରହେ । ସେ ନିଜେ ସେହି ଅଟୋର ମାଲିକ, ଆଉ ଦୀର୍ଘ ବର୍ଷ ଧରି ଅଟୋ ଚଲାଉଛି । ଉଭୟ ଅଭିଯୋଗକାରିଣୀ ଓ ଅଭିଯୁକ୍ତର ଡାକ୍ତରୀ ମାଇନା ପରେ ଦିଲ୍ଲୀପକୁ କୋର୍ଟ ଚାଲାଣ କରାଯିବ,’’ କହିଛନ୍ତି ବାରଙ୍ଗ ଥାନାର ଜଣେ ପୋଲିସ ଅଧିକାରୀ ।
ଏହି ଘଟଣା କଟକ ସହରରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ କଟକରେ ଅବ୍ୟବସ୍ଥିତ ଢଙ୍ଗରେ ଚାଲୁଥିବା ଅଟୋ ସେବାକୁ ଉଜାଗର କରିଛି । କମିଶନରେଟ ପୋଲିସର ନିୟମ ମୁତାବକ ଯାତ୍ରୀବାହୀ ଅଟୋ ଚାଳକମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଡ୍ରେସ କୋର୍ଡ ଅନୁସାରେ ଡ୍ରେସ୍ ପିନ୍ଧିବା ଓ ଯାତ୍ରୀ ନେବା ସମୟରେ ବେକରେ ପରିଚୟ ପତ୍ର ପକାଇବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଅଭିଯୁକ୍ତ ଦିଲ୍ଲୀପ ପାଖରେ ଏ ସବୁ କିଛି ନ ଥିଲା ।
ଏହା ବି ପଢ଼ନ୍ତୁ | କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍
ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍ ହେଲା
କଟକ ସହରରେ ଏବେ ପାଖା ପାଖି ୫,୦୦୦ ଅଟୋ ଚଳାଚଳ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୩,୦୦୦ ଅଟୋ ପଞ୍ଜିକୃତ ହୋଇଛି । ବାକି ଥିବା ଦୁଇ ହଜାର ଅଟୋ କିଏ ଚଳାଉଛି? କେଉଁ ରୁଟରେ ସେଗୁଡ଼ିକ ଚଳାଚଳ କରୁଛି? ସେ ବାବଦରେ ନା ପୋଲିସ ନା ଅଟୋ ସଙ୍ଘ କାହା ପାଖରେ କିଛି ବି ସୂଚନା ନାହିଁ । ଏହା ବ୍ୟତୀତ ମହିଳା ଯାତ୍ରୀମାନଙ୍କ ପାଇଁ କଟକରେ ଆରମ୍ଭ ହୋଇଥିବା ପିଙ୍ଗ୍ ଅଟୋ ଦୀର୍ଘ ଦିନ ହେଲା ରାସ୍ତାରୁ ଉଭାନ ହୋଇଯାଇଛି । କଟକରେ ଅଟୋ ସେବା ଯେ ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ଏହି କଥାକୁ ଖୋଦ ସ୍ବୀକାର କରିଛନ୍ତି କଟକ ଅଟୋ ସଙ୍ଘର ଉପସଭାପତି ।
“ଯେତିକି ଅଟୋ ଆମ ସଙ୍ଘରେ ପଞ୍ଜିକୃତ ହୋଇଛି ସେହି ଅଟୋ ସହିତ ସେଗୁଡ଼ିକର ଚାଳକଙ୍କ ବାବଦରେ ଆମ ପାଖରେ ତଥ୍ୟ ରହିଛି । ସେହି ତଥ୍ୟକୁ ଆମେ ପୋଲିସକୁ ବି ଦେଇଛୁ । ସେମାନଙ୍କ ଭିତରୁ ପାଖାପାଖି ୨,୨୦୦ ଅଟୋ ଚାଳକଙ୍କୁ ଆମେ ଡ୍ରେସ୍ ଓ ପରିଚୟ ପତ୍ର ଦେଇଛୁ । ଅଣ-ପଞ୍ଜିକୃତ ଅଟୋ କଥା ଛାଡ଼ନ୍ତୁ, ଯେତିକି ପଞ୍ଚିକୃତ ହୋଇଛି ସେହି ଅଟୋ ଚାଳକଙ୍କର ନାଁ ସାଇକୋ ଟେଷ୍ଟ ହେଉଛି ନା ସେମାନେ କାହିଁକି ଅଟୋରେ ଷ୍ଟିକର ଲାଗାଇ ନାହାଁନ୍ତି, ପରିଚୟ ପତ୍ର ପିନ୍ଧି ନାହାଁନ୍ତି ତାକୁ ପୋଲିସ ଜାଞ୍ଚ କରୁଛି। ଜଣେ ନିରୀହ ଝିଅଟି ଗୋଟେ ବଡ଼ ବିପଦରୁ ରକ୍ଷା ପାଇଯାଇଛି । ସେହି ଅଟୋ ଚାଳକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍ଘ ଦାବି କରୁଛି,’’ କହିଛନ୍ତି କଟକ ଅଟୋ ଚାଳକ ସଙ୍ଘର ଉପସଭାପତି ଦେବେନ୍ଦ୍ର ପାଣିଗ୍ରାହୀ ।