News18 Odia Digital
କଟକ: ଆସନ୍ତା କାଲି ତଥା ଗୁରୁବାର ଅନୁଷ୍ଠିତ ହେବ ସିଏମସିର ଶପଥ ଗ୍ରହଣ ଉତ୍ସବ। ନୂଆ ପଦବୀ ପାଇଁ ଶପଥ ଗ୍ରହଣ କରିବେ ନବନିର୍ବାଚିତ ମେୟର ଓ ୫୯ ଜଣ କର୍ପୋରେଟର। ତେବେ କର୍ପୋରେଟରମାନଙ୍କ ଏହି ଭିଡ଼ ଭିତରେ ୪୯ ନମ୍ବର ୱାର୍ଡର କର୍ପୋରେଟ ଦମୟନ୍ତୀ ମାଝୀ ଚର୍ଚ୍ଚର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଜଗତପୁର ବାଲିସାହି ବସ୍ତିରେ ରହୁଥିବା ଏହି ଆଦିବାସୀ ଯୁବତୀ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏମ.କମ ଶେଷ ବର୍ଷର ଛାତ୍ରୀ ହୋଇଥିବା ବେଳେ ଦମୟନ୍ତୀ ହେଉଛନ୍ତି ସିଏମସିର ସର୍ବକନିଷ୍ଠ କର୍ପୋରେଟର।
ସେପଟେ କର୍ପୋରେଟର ଭାବେ ନିର୍ବାଚିତ ହେବା ଦମୟନ୍ତୀ ଏବେ ନୂଆ ପରିଚୟ ପାଇଛନ୍ତି। କିଛି ଦିନ ପୂର୍ବରୁ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରୀ ଭାବେ ସେ ନିଜ ଅଞ୍ଚଳରେ ପରିଚିତ ଥିଲେ। କିନ୍ତୁ ସେ ପାଲଟି ଯାଇଛନ୍ତି ସିଏମସିର ୪୯ ୱାର୍ଡର ନିର୍ବାଚିତ କର୍ପୋରେଟର। ଜଣେ ମେଧାବୀ ଛାତ୍ରୀ ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଖ୍ୟାତି ଲାଭ କରିଥିବା ଦମୟନ୍ତୀଙ୍କ ଏହି ସଫଳାତାକୁ ନେଇ ସହପାଠୀମାନଙ୍କ ଠାରୁ ନେଇ ଅଧ୍ୟାପକ ଅଧ୍ୟାପିକାମାନେ ବେଶ ଖୁସି ପ୍ରକାଶ କରିଛନ୍ତି। କାରଣ ପ୍ରଥମ ଥର ଲାଗି ରେଭେନ୍ସା ବିଶ୍ବବିଦ୍ୟାଳୟର କୌଣସି ଛାତ୍ରୀ ଅଧ୍ୟୟନ ସମୟରେ ଜନ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି।
"ଦମୟନ୍ତୀ ଆଉ ମୁଁ ପାଞ୍ଚ ବର୍ଷ ହେଲା ଏକାଠି ପଢୁଛୁ। ସେ ଜଣେ ବହୁତ ମେଳାପି, ମେଧାବୀ ଆଉ ଶାନ୍ତ ଛାତ୍ରୀ। ସିଏମସି କର୍ପୋରେଟର ନିର୍ବାଚନରେ ଛିଡ଼ା ହେବା ମୋତେ ଯେତିକି ଖୁସି ଦେଇଥିଲା ସିଏ ନିର୍ବାଚନରେ ଜିତି କର୍ପୋରେଟର ହେବା ପରେ ମୁଁ ଆହୁରି ଖୁସି ହୋଇଛି। ମୋର ବିଶ୍ବାସ ସେ ଯେମିତି ମନ ଦେଇ ପାଠପଢୁଛି ସେମିତି ମନ ଦେଇ ଲୋକଙ୍କ ସେବା ବି କରିବ," କହିଛନ୍ତି ରେଭେନ୍ବା ବିଶ୍ବବିଦ୍ୟାଳରେ ଅଧ୍ୟୟନ କରୁଥିବା ଦମୟନ୍ତୀଙ୍କ ସହପାଠୀ ଧରିତ୍ରୀ ବେହେରା।
ଦମୟନ୍ତୀଙ୍କ ଏହି ସଫଳତାକୁ ନେଇ ତାଙ୍କ ୱାର୍ଡବାସୀ ବିଶେଷ କରି ତାଙ୍କ ବସ୍ତି ବାସିନ୍ଦାଙ୍କ ଖୁସି କହିଲେ ନ ସରେ। କାରଣ ଅଶିକ୍ଷାର ଅନ୍ଧାରୀ ମୁଳକରେ ରହୁଥିବା ଜଗତପୁର ବାଲିସାହି ବସ୍ତି ବାସିନ୍ଦାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦମୟନ୍ତୀ। ଦମୟନ୍ତୀ ସେମାନଙ୍କୁ ଦାରିଦ୍ରର କଷଣରୁ ବାହାର କରି ସେମାନଙ୍କୁ ଶିକ୍ଷା, ବିଜୁଳି, ପାନିୟ ଜଳ, ପକ୍କାଘର ଭଳି ଯୋଜନାର ଲାଭ ପ୍ରଦାନ କରିବେ ବୋଲି ଆଶା ବାନ୍ଧିଛନ୍ତି ବାଲିସାହି ବସ୍ତିରେ ରହୁଥିବା ଲୋକେ।
"ଆମ ଆଦୀବାସୀମାନଙ୍କ ମଧ୍ୟରେ ଯେତେ ପିଲା ଅଛନ୍ତି ଦମୟନ୍ତୀ ସମସ୍ତଙ୍କ ଠାରୁ ଅଧିକ ପାଠ ପଢ଼ିଛି। ତାକୁ ନେଇ ଆମେ ଗର୍ବ କରୁଥିଲୁ। ଆଉ ଏବେ ତାକୁ କର୍ପୋରେଟର ଭାବେ ପାଇବା ପରେ ତ ଆମେ ବହୁତ ଖୁସି। ସେ ଆମ ଦୁଃଖ ବୁଝିବ," କହିଛନ୍ତି ବାଲିସାହି ବସ୍ତି ବାସିନ୍ଦା ନରେନ୍ଦ୍ର ସଏ।
ଦମୟନ୍ତୀ ପିଲାଟି ଦିନରୁ ନିଜ ପରିବାର ସହ ମହାନଦୀ ତଟରେ ଥିବା ଜଗତପୁର ଶିଳ୍ପାଞ୍ଚଳରେ ଥିବା ବାଲିସାହି ବସ୍ତିରେ ରହି ଆସୁଛନ୍ତି। ବାପା ଚାଲିଯିବା ପରେ ବିଧବା ମା' ଦିନ ମଜୁରି ଲାଗି ଯେତିକି ରୋଜଗାର କରନ୍ତି ସେତିକିରେ ଘରର ଗୁଜୁରାଣ ମେଣ୍ଟିବା ସହ ତିନି ଭାଇ ଭଉଣୀଙ୍କ ପେଟ ପୋଷା ହୁଏ। ଘର କହିଲେ ମୁଣ୍ଡ ଉପରେ କେଇ ଖଣ୍ଡ ଭଙ୍ଗା ଆଜବେଷ୍ଟ ଛଡ଼ା ଆଉ କିଛି ନୁହେଁ। ପଙ୍କରୁ ପଦ୍ମଫୁଟିବା ପରି ନିଜର ଇଚ୍ଛା ଶକ୍ତି ଯୋଗୁଁ ଶିକ୍ଷା ଗ୍ରହଣର ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଦମୟନ୍ତୀ ଏବେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏମ.କମ ଅଧ୍ୟୟନକୁ ଶେଷ କରିବାକୁ ଯାଉଛନ୍ତି।
ସିଏମସିର ଡେପୁଟି ମେୟର ରେସରେ ଥିବା କର୍ପୋରେଟରଙ୍କ ମଧ୍ୟରେ ଦମୟନ୍ତୀଙ୍କ ନାଁ ଆସିବା ପରେ ବାଲିସାହି ବସ୍ତିରେ ରହୁଥିବା ୨୧ ବର୍ଷିୟା ଏହି ଯୁବତୀ ଏବେ କଟକ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଟିଛନ୍ତି। ସିଏମସିରେ ବିଜେଡ଼ିର ସଂଖ୍ୟା ଗରିଷ୍ଠାତା ଥିବାରୁ ଡେପୁଟି ମେୟର ବିଜେଡିର ହେବା ସ୍ପଷ୍ଟ। ତେବେ ୪୯ ନମ୍ବର ୱାର୍ଡକୁ ପ୍ରତିନିଧିତ୍ବ କରୁଥିବା ଦମୟନ୍ତୀ ଏହାରି ଭିତରେ ସହରର ବସ୍ତିବାସିନ୍ଦାଙ୍କ ପାଇଁ ଆଦର୍ଶ ପାଲଟି ଯାଇଥିବା ବେଳେ ସେ ଉଚ୍ଚ ଶିକ୍ଷିତା ଓ ଆଦୀବାସୀ ହୋଇଥିବାରୁ ଦଳ ତାଙ୍କୁ ନିଜର ଡେପୁଟି ମେୟର କରିପାରେ ବୋଲି ବିଜେଡି କ୍ୟାମ୍ପରେ ଆଲୋଚନା ହେଉଛି। କିନ୍ତୁ ରାସ୍ତା କଡ଼ରେ ଓ ଏକ ଭଙ୍ଗା ଆଜବେଷ୍ଟ ଖଣ୍ଡ ତଳେ ରହି ଜୀବନ କାଟି ଆସୁଥିବା ଦୟମନ୍ତୀ କିନ୍ତୁ ପାଠପଢ଼ା ସହ ସମାଜ ସେବାକୁ ସମାନ୍ତରାଳ ଭାବେ ଜରି ରଖିବେ ବୋଲି କହିଛନ୍ତି।
"ମୁଖ୍ୟ ମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଜନସେବା କରିବା ପାଇଁ ରାଜନୀତିକୁ ଆସିଛି। ମୋର କାର୍ଯ୍ୟକାଳ ଭିତରେ ମୋ ୱାର୍ଡ ବାସିନ୍ଦାଙ୍କ ଯେତେ ଅଧିକରୁ ଅଧିକ ଉନ୍ନତି ହୋଇ ପାରିବ ସେଥିପାଇଁ ନିରନ୍ତର ଚେଷ୍ଟା କରିବି। ଡେପୁଟି ମେୟର ପାଇଁ ମୋ ନାଁ ଚର୍ଚ୍ଚା ହେଉଥିବ ବୋଧେ କିନ୍ତୁ ମୁଖ୍ୟ ମନ୍ତ୍ରୀଙ୍କ ଯାହା ନିର୍ଦ୍ଦେଶ ରହିବ ସେହି ଅନୁସାରେ ମୁଁ କାମ କରିବି," କହିଛନ୍ତି ଦମୟନ୍ତୀ ମାଝୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।