News18 Odia Digital
ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଚିଲିକା ହ୍ରଦରେ ନଜରକୁ ଆସିବ ପ୍ରଥମ କ୍ରୁଜ ବୋଟ୍ 'ଗରୁଡ଼'। ଚିଲିକାର ନୀଳ ଜଳରାଶିରେ ପର୍ଯ୍ୟଟକଙ୍କୁ ଅପୁର୍ବ ନୌବିହାରର ଆନନ୍ଦ ଦେବ ଏହି ଗରୁଡ଼ କ୍ରୁଜ୍ । ସମସ୍ତ ନୀତିନିୟମ ଭିତରେ ଏହି କ୍ରୁଜ୍ ବୋଟରେ ବସି ଘଣ୍ଟା ଘଣ୍ଟାର ରୋମାଞ୍ଚକର ନୌବିହାରର ମଜା ପାଇବେ ପର୍ଯ୍ୟଟକ । ବିକାଶ ଇକୋ ରିର୍ସଟ୍ ପକ୍ଷରୁ ଏଭଳି ଉଦ୍ୟମ ଆରମ୍ଭ କରାଯାଇଛି।
ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବା ସିଡ଼ିଏର ପରିଚାଳନା କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦାଙ୍କ ସୂଚନା ଅନୁସାରେ, ନୌବିହାରରେ ରୋମାଞ୍ଚକର ଅନୁଭୂତି ସାଉଁଟିବାକୁ ଆସିଗଲା କ୍ରୁଜ୍ ବୋଟ୍ ‘ଗରୁଡ଼’ । ଏହି କ୍ରୁଜ ବୋଟରେ ପର୍ଯ୍ୟଟକ ଲମ୍ବା ସମୟ ଧରି ଚିଲିକାର ଚମତ୍କାର ନୀଳ ଜଳରାଶି ଉପରେ ବୁଲିବାର ଭରପୂର ମଜା ନେଇପାରିବେ । କ୍ରୁଜ୍ରେ ରହିଛି ପର୍ଯ୍ୟଯକଙ୍କ ପାଇଁ ଘଣ୍ଟା ଘଣ୍ଟା ଧରି ବୁଲିବାର ସମସ୍ତ ଆବଶ୍ୟକୀୟ ସରଞ୍ଜାମ। ସୁନ୍ଦର ରୁମ, ଆବଶ୍ୟକୀୟ ଖାଦ୍ୟପେୟ। ଜଳକ୍ରୀଡ଼ାରେ ଆଗ୍ରହ ରଖୁଥିବା ପର୍ଯ୍ୟଟକ ସପରିବାର ଏହି କ୍ରୁଜ୍ ବୋଟ୍ର ମଜା ନେଇପାରିବେ । ଏହାର ଦାମ ପର୍ଯ୍ୟଟକଙ୍କୁ ସେଭଳି ସୁହାଇବ ସେ ନେଇ ବ୍ୟବସ୍ଥା ହୋଇଛି।

ଚିଲିକାରେ ଏଭଳି ଉଦ୍ୟମ ପ୍ରଥମ ବୋଲି ସ୍ପଷ୍ଟ କରିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବା ସିଡ଼ିଏ । ସିିଡ଼ିଏ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଏହା ପର୍ଯ୍ୟଟକଙ୍କ ବହୁ ଦିନର ଦାବି ଥିଲା। ପର୍ଯ୍ୟଟକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ଏକ ବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ଲାଗିପଡ଼ିଥିଲେ କର୍ତୃପକ୍ଷ । ଶେଷରେ ଏହା ବାସ୍ତବ ରୂପ ନେଇଛି। ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ ହେବ। ଏଭଳି ବ୍ୟବସ୍ଥାକୁ ଟ୍ରାଭେଲ ପ୍ଲାନର ସ୍ୱାଗତ କରିଛନ୍ତି।
ଟ୍ରାଭେଲ ପ୍ଲାନର ତଥା ସ୍କଏ କିଙ୍ଗ କମ୍ପାନୀର ମୁଖ୍ୟ ପରିଚାଳକ ପ୍ରଭାସ ଚୌଧୁରୀ କହିଛନ୍ତି,"ଗତ ଦୁଇବର୍ଷ ଧରି କୋଭିଡ ପ୍ରଭାବ କାରଣରୁ ପ୍ରଭାବିତ ହୋଇଥିଲା ପର୍ଯ୍ୟଟନ ଶିଳ୍ପ। ଏବେ ଧିରେ ଧିରେ ସ୍ଥିତି ସୁଧରିବାରେ ଲାଗିଛି। ଏଭଳି ସମୟରେ ଏହି ଉଦ୍ୟମ ପ୍ରଶଂସନୀୟ"।

ପୂର୍ବରୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ସମୟରେ ଅନେକ ଆକର୍ଷଣୀୟ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପରବର୍ତୀ ସମୟରେ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରି ନାହିଁ । ତେଣୁ ଏହି ନୂଆ କ୍ରୁଜ୍ ବୋଟ୍ ଯେଭଳି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ସେଥିଲାଗି ଚେଷ୍ଟା କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।