ମହାଷ୍ଟମୀ ପାଇଁ ରାଜଧାନୀ ଚଳଚଞ୍ଚଳ; କଟକଣା ସତ୍ତ୍ୱେ ଦେଖିବାକୁ ମିଳୁଛି ଭିଡ଼

ଆଜି ମାହାମାୟୀଙ୍କ ମହାଷ୍ଟମୀ ପୂଜା। ଚଳଚଞ୍ଚଳ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ। ସେପଟେ ରାଜଧାନୀର ବିଭିନ୍ନ ମଣ୍ଡପରେ କଟକଣା ସତ୍ତ୍ୱେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି।

ଆଜି ମହାଷ୍ଟମୀ ପୂଜା (ପ୍ରତୀକାତ୍ମକ ଛବି)

ଆଜି ମହାଷ୍ଟମୀ ପୂଜା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆଜି ମାହାମାୟୀଙ୍କ ମହାଷ୍ଟମୀ ପୂଜା। ଚଳଚଞ୍ଚଳ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ। ପୂଜା ପାଉଛନ୍ତି ଜଗଧାତ୍ରୀ ମା ଦୁର୍ଗା। ଆଜି ଦିନରେ ମହିଳାମାନେ ବ୍ରତ ଉପବାସ କରି ଶାଢ଼ୀ ଶଙ୍ଖା ପୁଜା କରି ଆଶିଷ ଲାଭ କରିଥାନ୍ତି। କଟକଣା ଭିତରେ ଚାଲିଛି ମାଙ୍କ ପୂଜା । ସେପଟେ ରାଜଧାନୀର ବିଭିନ୍ନ ମଣ୍ଡପରେ କଟକଣା ସତ୍ତ୍ୱେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି।

ମା'ଙ୍କ ପାଖରେ ଅଷ୍ଟମୀରେ ପୂଜାର୍ଚ୍ଚନା କରାଯାଇ ନାନାଦି ଭୋଗ ଲାଗି ହୁଏ। ଆଠ ପ୍ରକାର ଫଳ ଭୋଗ ସାଙ୍ଗକୁ ସ୍ୱତନ୍ତ୍ର ଖେଚୁଡ଼ି ଅନ୍ନ ଲାଗି ହୁଏ। ହୋମ, ଯଜ୍ଞ, ଚଣ୍ଡୀପାଠ ସାଙ୍ଗକୁ ବଳି ଦିଆଯାଏ। କେଉଁଠି ପାଣି କଖାରୁ ତ ଆଉ କେଉଁଠି କାକୁଡି ବଳି ଦେବାର ବିଧି ରହିଛି। ମା'ଙ୍କୁ ବଳି ଦେବା ପରେ ଖେଚୁଡ଼ି ଭୋଗ ହୁଏ। ସେହିଭଳି ସନ୍ଧ୍ୟା ଆଳତି ପରେ ଅଷ୍ଟମୀ ଶେଷ ପ୍ରାନ୍ତ ଓ ନବମୀ ଆରମ୍ଭ ସମୟରେ ମାଆଙ୍କର ସନ୍ଧି ପୂଜା ଅନୁଷ୍ଠିତ ହୁଏ। ଆଜି ରାତି ୭ଟା ପରେ ଆରମ୍ଭ ହେବ ମାଆଙ୍କର ସନ୍ଧି ପୂଜା। ବେଶ ଯାକଯମକ ନ ହେଲେ ବି ବିଧି ଅନୁଯାୟୀ ଆଢୁଆଳରେ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା।

"ଆଜି ଦିନରେ ମାଆଙ୍କର ପୂଜା ସାଙ୍ଗକୁ ସ୍ୱତନ୍ତ୍ର ଭୋଗ ହୋଇଥାଏ। ବଳିଦାନ ହୋଇଥାଏ। ଏହା ପରେ ମା'ଙ୍କ ପାଖରେ ଖେଚୁଡ଼ି ଭୋଗ ହୁଏ। ଅଷ୍ଟମୀ ସନ୍ଧ୍ୟାରେ ସନ୍ଧି ପୂଜା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱ ବହନ କରେ,"କହିଛନ୍ତି ଷ୍ଟେସନ ବଜାର ପୂଜକ ଲିଙ୍ଗରାଜ ପାଣିଗ୍ରାହୀ।

ସେହିଭଳି ଆଜି ଦିନରେ ମହିଳା ଓ ଝିଅମାନେ ଅଷ୍ଟମୀ ବ୍ରତ ଓ ଉପବାସ କରନ୍ତି। ଶାଢ଼ୀ, ଶଙ୍ଖା ସିନ୍ଦୁର ପୂଜା କରି ବ୍ରତ ଧାରଣ କରନ୍ତି। ଫଳ ଭୋଗ ବାଢ଼ନ୍ତି। ପରିବାର ବର୍ଗଙ୍କ ଶୁଭ ମନାସି ମା'ଙ୍କ ପାଖରେ ଆଶିଷ ଭିକ୍ଷା କରନ୍ତି। ଏବର୍ଷ କଟକଣା ସତ୍ତ୍ୱେ ପ୍ରାୟ ସବୁ ମଣ୍ଡପରେ ଲୋକ ଗହଳି ଦେଖିବାକୁ ମିଳିଛି। ମହିଳାମାନେ ଶାଢ଼ୀ, ଚୁଡ଼ି ପୂଜା କରିବାକୁ ମଣ୍ଡପ ବାହାରେ ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି। ସ୍ୱେଚ୍ଛାସେବୀମାନେ ଭକ୍ତ ହାତରୁ ଫଳ ନେଇ ଭୋଗ କରୁଛନ୍ତି, ହେଲେ ମଣ୍ଡପ ଭିତରକୁ କାହାରିକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ। ପୋଲିସର ସୁରକ୍ଷା ବଳୟ ଭିତରେ ଚାଲିଛି ଦର୍ଶନ ଓ ପୂଜା। ତେବେ ମାଙ୍କୁ ଦୂରରୁ ହେଉ ପଛେ ଦର୍ଶନ କରି ଆନନ୍ଦିତ ଭକ୍ତ।

କଟକଣା ସତ୍ତ୍ୱେ ମଣ୍ଡପରେ ଭିଡ଼ ଦେଖାଯାଇଛି (ପ୍ରତୀକାତ୍ମକ ଛବି)


"ଆମେ ପ୍ରତିବର୍ଷ ଦୁର୍ଗାଷ୍ଟମୀ ପାଳିବାକୁ ଆସୁ। ଏଥର ବି ଆସିଛୁ। ଘରେ ରହି ଉପବାସ ଭାଙ୍ଗି ହେବନି। ଏଣୁ ଦୂରରୁ ହେଉ ପଛେ ମାଙ୍କୁ ଦେଖିବୁ ବୋଲି ଆସିଛୁ" କହିଛନ୍ତି ଶ୍ରଦ୍ଧାଳୁ ଭାରତୀ ନାୟକ।

"ଆମେ ସରକାରଙ୍କ କଟକଣାକୁ ମାନି ସମସ୍ତ ଆୟୋଜନ କରିଛୁ। ତଥାପି କିଛି ଭକ୍ତ ଆସୁଛନ୍ତି ଆଜି ସ୍ୱତନ୍ତ୍ର ଶାଢ଼ୀ ପୁଜା ପାଇଁ। ଆମେ ତାଙ୍କୁ ଦୂରରେ ଛିଡା କରି ତାଙ୍କଠାରୁ ଫଳ ଶାଢ଼ୀ ନେଇ ପୂଜା କରି ତାଙ୍କୁ ବିଦା କରୁଛୁ," କହିଛନ୍ତି ବମୀଖାଲ କୋଷାଧ୍ୟକ୍ଷ ବଣ୍ଟି ଜେନା।

ରାତିରେ ନାଇଟକର୍ଫ୍ୟୁ ଯୋଗୁଁ ଦିନରେ ହାତ ବଜାର ସବୁଠି ଗହଳି। କଟକଣା ସତ୍ତ୍ୱେ ମଣ୍ଡପ ବାହାରେ ଲାଗୁଛି ଭିଡ଼। ଆଉରୁ ଦୁଇ ଦିନ ଜମିବ ଦଶହରା ବଜାର।
Published by:Soumya Das
First published: