ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସାତକୋଶିଆରେ ଖୁସି: ମହାନଦୀ ଗଣ୍ଡରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହେଲେ; ସୁରକ୍ଷା କାଠିକର ପାଠ ହେବ

ସାତକୋଶିଆରେ ଖୁସି: ମହାନଦୀ ଗଣ୍ଡରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହେଲେ; ସୁରକ୍ଷା କାଠିକର ପାଠ ହେବ

କିଛି ଦିନ ତଳେ ବନ କର୍ମଚାରୀମାନେ ମହାନଦୀ ଗଣ୍ଡରେ ପାଟ୍ରୋଲିଂ କରିବା ବେଳେ ମା’ ଘଡ଼ିଆଳ ପିଠିରେ କେତେକ ଛୁଆ ଘଡ଼ିଆଳ ବସିଥିବା ଦେଖିବାକୁ ପାଇଥିଲେ । ସେବେଠାରୁ ମା’ ସହ ଛୁଆଗୁଡିକ ଗୋଟିଏ ଜାଗାରେ ରହିଛନ୍ତି ।

ସାତକୋଶିଆରେ ଖୁସି: ମହାନଦୀ ଗଣ୍ଡରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହେଲେ; ସୁରକ୍ଷା କାଠିକର ପାଠ ହେବ
ପ୍ରାକୃତିକ ପରିବେଶରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
ଭିକାରି ମହାନ୍ତି | News18 Odia Digital

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ଡରେ ବିରଳ ଘଡ଼ିଆଳ କୁମ୍ଭୀର ଛୁଆ ଦେଖିବାକୁ ମିଳିଛି । ପ୍ରାକୃତିକ ପରିବେଶରେ ଓ ପ୍ରାକୃତିକ ଉପାୟରେ ଘଡ଼ିଆଳମାନେ ନିଜ ଅଣ୍ଡାରୁ ଛୁଆ ଫୁଟାଇବାର ଏହି ଘଟଣା ଦୀର୍ଘ ୪୦ ବର୍ଷ ପରେ ସାମନାକୁ ଆସିଛି । ସାତକୋଶିଆ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବା ବେଳେ ସାରା ଦେଶରେ ଘଡ଼ିଆଳ ସଂଖ୍ୟା କମି କମି ଯାଉଥିବାରୁ ସାତକୋଶିଆ ମହାନଦୀ ଗଣ୍ଡ ଘଡ଼ିଆଳ ପ୍ରଜନନ ପାଇଁ ଉପଯୁକ୍ତ ପରିବେଶ ବୋଲି ପ୍ରମାଣିତ ହୋଇଛି ।

ମହାନଦୀ ଗଣ୍ଡରେ ପ୍ରାକୃତିକ ପରିବେଶରେ ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହେବା ଘଟଣାକୁ ଏକ ଶୁଭ ସଙ୍କେତ ଭାବେ ଦେଖାଯାଉଛି । କିଛି ଦିନ ତଳେ ବନ କର୍ମଚାରୀମାନେ ଗଣ୍ଡରେ ପାଟ୍ରୋଲିଂ କରୁଥିବା ବେଳେ ମା’ ଘଡ଼ିଆଳ ପିଠିରେ ଛୁଆମାନେ ବସିଥିବା ଦେଖିବାକୁ ପାଇଥିଲେ । ସେବେଠାରୁ ମା’ ସହ ଛୁଆଗୁଡିକ ଗୋଟିଏ ଜାଗାରେ ରହିଛନ୍ତି । ନଦୀ ବାଲିରେ କିଛି ସମୟ ଖରା ଖାଇବା ପରେ ପୁଣି ମା’ ପାଖକୁ ଆସୁଛନ୍ତି । ମା’ ଘଡ଼ିଆଳ ନିଜ ଛୁଆମାନଙ୍କୁ ଜଗି ରହିଥିବା ଦେଖାଯାଉଛି । ବନ ବିଭାଗର କର୍ମଚାରୀମାନେ ମଧ୍ୟ ସେମାନଙ୍କୁ ସୁରକ୍ଷା ଦେବାକୁ ଦିନ ରାତି ଜଗି ରହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପୂର୍ବରୁ ଥର ବାହା ହୋଇଥିବା ବ୍ରିଟେନ୍ PM ବୋରିସ୍ ଜନସନ୍ ପ୍ରେମିକା କ୍ୟାରୀଙ୍କୁ ବିବାହ କଲେ

ଘଡ଼ିଆଳ କୁମ୍ଭୀର ଏକ ବିଲୁପ୍ତ ପ୍ରଜାତିର ପ୍ରାଣୀ । ଏହି ପ୍ରଜାତିର କୁମ୍ଭୀର ଭାରତର ଚମ୍ବଲ, ଗଣ୍ଡକ ଓ ଓଡ଼ିଶାର ମହାନଦୀରେ ହିଁ ଦେଖାଯାଆନ୍ତି । ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ଦୀର୍ଘ ବର୍ଷ ହେଲା ବିଭିନ୍ନ ପ୍ରକାର ଉଦ୍ୟମ କରାଯାଉଛି । ସାତକୋଶିଆରେ ୧୯୭୫ରେ ଘଡ଼ିଆଳ ପ୍ରଜନନ ଓ ସଂରକ୍ଷଣ ପ୍ରକଳ୍ପ ସ୍ଥାପନ କରାଯାଇଥିଲା । ସେତେବେଳେ ସୁଦୂର ନେପାଳରୁ ଘଡ଼ିଆଳ ଅଣ୍ଡା ଅଣାଯାଇ ଏଠାରେ କୃତ୍ରିମ ଉପାୟରେ ପ୍ରଜନନ କରି ଘଡ଼ିଆଳ ମହାନଦୀ ଗଣ୍ଡରେ ଛଡ଼ାଯାଉଥିଲା । ୧୯୭୫ରୁ ୧୯୮୭ ଭିତରେ ସାତକୋଶିଆ ଗଣ୍ଡରେ ପ୍ରାୟ ୮୦୦ ଘଡ଼ିଆଳ ଛଡ଼ା ଯାଇଥିଲା । ଏବେ ସେମାନେ କୁଆଡ଼େ ଗଲେ ତା’ର କୌଣସି ହିସାବ ନାହିଁ । ସଂରକ୍ଷଣ ଅଭାବରୁ ସବୁ ମରି ହଜି ଗଲେ ।

ନଦୀ ବାଲିରେ କିଛି ସମୟ ଖରା ଖାଇବା ପରେ ଛୁଆଗୁଡ଼ିକ ମା’ ପାଖକୁ ଫେରି ଆସୁଛନ୍ତି ।


ବର୍ଷ ବର୍ଷ ଧରି ଅନେକ ପ୍ରଚେଷ୍ଟା ପରେ ମଧ୍ୟ ଘଡ଼ିଆଳ ବଂଶ ବୃଦ୍ଧି କରାଯାଇ ପାରୁ ନ ଥିଲା । ଶେଷରେ ୨୦୨୦ରେ ସାତକୋଶିଆ ଗଣ୍ଡକୁ ଘଡ଼ିଆଳ ସଂରକ୍ଷଣ କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଓ ସେଥି ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଓ ସାତକୋଶିଆ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ପାଞ୍ଚଟି ଓ ପରେ ଆଉ ଛଅଟି ଘଡ଼ିଆଳ କୁମ୍ଭୀର ଗଣ୍ଡରେ ଛଡା ଯାଇଥିଲା । ସେହି ଘଡ଼ିଆଳଗୁଡିକ ଏବେ ଗଣ୍ଡରେ ଅଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଗଣ୍ଡରେ ଥିବା ଏକ ବହୁ ବୟସ୍କ ଘଡ଼ିଆଳ ଛୁଆ ଦେଇଛି ।

ଏହା ବି ପଢ଼ନ୍ତୁ | RBI ଶସ୍ତାରେ ସୁନା କିଣିବା ସୁଯୋଗ ଦେଉଛି; ମେ ୩୧ରୁ ୫ ଦିନ ପାଇଁ ସୋଭରେନ୍ ଗୋଲ୍ଡ ବଣ୍ଡ୍ ସବ୍‌ସ୍କ୍ରିପ୍‌ସନ୍ ଖୋଲିବ

ଏହି ଘଡ଼ିଆଳ ଛୁଆମାନଙ୍କର ସୁରକ୍ଷା ଏବେ ବନ ବିଭାଗ ପାଇଁ ଏକ ଚାଲେଞ୍ଜ ହୋଇଛି କାରଣ ନଦୀର ଗଣ୍ଡରେ ବହୁ ସଂଖ୍ୟାରେ ମଗର କୁମ୍ଭୀର ଅଛନ୍ତି। ସେମାନେ ଘଡ଼ିଆଳ ଛୁଆଙ୍କୁ ମାରି ଦେଇ ପାରନ୍ତି । ଏହା ଛଡ଼ା ଶତାଧିକ ମତ୍ସ୍ୟଜୀବୀ ପ୍ରତି ଦିନ ଗଣ୍ଡରେ ଜାଲ ପକାଇ ମାଛ ମାରୁଥିବାରୁ ସେମାନଙ୍କ ଜାଲରେ ଘଡ଼ିଆଳ ଛୁଆ ପଡ଼ି ମରିବା ଆଶଙ୍କା ରହିଛି ବୋଲି କହିଛନ୍ତି ପରିବେଶ ପ୍ରେମୀ ଓ ବଣ୍ୟଜନ୍ତୁ ପ୍ରେମୀମାନେ ।

ଏହା ବି ପଢ଼ନ୍ତୁ | କରୋନାରେ ପିତାମାତାଙ୍କୁ ହରେଇଥିବା ପିଲାଙ୍କ ପାଇଁ କେନ୍ଦ୍ର ସରକାର ବଢ଼ାଇଲେ ସାହାଯ୍ୟର ବଡ଼ ହାତ

“ଏତେ ବର୍ଷ ବ୍ୟବଧାନରେ ଘଡ଼ିଆଳ ଛୁଆ ଜନ୍ମ ହେବା ଏକ ବହୁତ ଭଲ କଥା । ଆମେ ଏହାକୁ ନେଇ ଭାରି ଉତ୍ସାହିତ । କିନ୍ତୁ ସେମାନଙ୍କ ସୁରକ୍ଷା ବନ ବିଭାଗ ପାଇଁ ଚାଲେଞ୍ଜ କାରଣ ସେଠାରେ ମତ୍ସ୍ୟଜୀବୀମାନେ ଜାଲ ପକାଇ ମାଛ ଧରୁଛନ୍ତି ଓ ବଡ଼ ବଡ଼ ମଗର ବି ଅଛନ୍ତି । ସେମାନେ ଘଡ଼ିଆଳ ଛୁଆଙ୍କ ପାଇଁ ବିପଦ ସୃଷ୍ଟି କରିପାରନ୍ତି । ତେଣୁ ସେମାନଙ୍କ ସୁରକ୍ଷା କିଭଳି ସଫଳତାର ସହ ହୋଇପାରିବ ସେଥି ପାଇଁ ବ୍ୟାପକ ବ୍ୟବସ୍ଥା ସହ ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯିବାର ଆବଶ୍ୟକତା ରହିଛି,’’ କହିଛନ୍ତି ପ୍ରକୃତି, ପରିବେଶ ଓ ବନ୍ୟ ପ୍ରାଣୀ ସୁରକ୍ଷା ସମିତିର ସମ୍ପାଦକ ପ୍ରସନ୍ନ ବେହେରା ।

ଏହା ବି ପଢ଼ନ୍ତୁ | ମମତା ବାନାର୍ଜୀ କହିଲେ ତାଙ୍କୁ SPG ପ୍ରଧାନ ମନ୍ତ୍ରୀଙ୍କ ମିଟିଂକୁ ଛାଡ଼ି ଥିଲା; ‘‘ମୋତେ ବଦନାମ କରିବାକୁ ଚେଷ୍ଟା ହେଉଛି’’

ପରିବେଶ ଓ ବଣ୍ୟଜନ୍ତୁ ପ୍ରେମୀ ଅଶୋକ ଶତପଥୀ କହିଛନ୍ତି ଯେ ସାତକୋଶିଆ ଗଣ୍ଡରେ ପ୍ରାକୃତିକ ପରିବେଶରେ ଘଡ଼ିଆଳ ବଂଶ ବୃଦ୍ଧିକୁ ସୁନିଶ୍ଚିତ ଓ ସୁରକ୍ଷିତ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଆବଶ୍ୟକ । “ଘଡ଼ିଆଳ କୁମ୍ଭୀର ଏକ ବିରଳ ପ୍ରଜାତିର ପ୍ରାଣୀ । ଧୀରେ ଧୀରେ ସେମାନଙ୍କ ସଂଖ୍ୟା କମି କମି ଯାଉଥିବାରୁ ଆଜିର ପରିସ୍ଥିତିରେ ମହାନଦୀ ସାତକୋଶିଆ ଗଣ୍ଡରେ ପ୍ରାକୃତିକ ପରିବେଶରେ ସେମାନେ ଛୁଆ ଜନ୍ମ କରିବା କେବଳ ଓଡି଼ଶାରେ ନୁହେଁ ସାରା ଭାରତରେ ଏକ ଶୁଭ ସଙ୍କେତ,’’ ସେ କହିଛନ୍ତି ।



“ଘଡ଼ିଆଳ ଛୁଆମାନେ ଥିବା ସ୍ଥାନକୁ ଆମେ ନିଷିଦ୍ଧାଞ୍ଚଳ ଘୋଷଣା କରିଛୁ । ସେଠାରେ ଆମ କର୍ମଚାରୀମାନେ ସବୁ ବେଳେ ଜଗି ରହିଛନ୍ତି । ଅତ୍ୟାଧୁନିକ କ୍ୟାମେରା ଲଗାଯାଇ ଘଡ଼ିଆଳ ଛୁଆମାନଙ୍କ ଗତିବିଧି ଦେଖା ଯାଉଛି । ଆମେ ସମ୍ପୂର୍ଣ ସୁରକ୍ଷା ଯୋଗାଇ ଦେଇଛୁ,’’ କହିଛନ୍ତି ସାତକୋଶିଆ ଏ.ସି.ଏଫ୍‌. ଶୁଭେନ୍ଦୁ ବେହେରା ।
Published by: Anand ST Das
First published: May 29, 2021, 11:54 PM IST