News18 Odia Digital
ପୁରୀ: ଚଳିତ ବର୍ଷ ନିର୍ଭୁଲ ହେବ ପଞ୍ଜିକା। ଦ୍ୱନ୍ଦ ରହିବ ନାହିଁ ପର୍ବପର୍ବାଣିରେ। ଶ୍ରୀମନ୍ଦିର ଯାନିଯାତ୍ରା ସହ ମେଳକ ରହିବ ପଞ୍ଜିକାରେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଜିକାରଙ୍କୁ ନେଇ ଗୁରୁବାର ହୋଇଥିଲା ଚୂଡାନ୍ତ ପର୍ଯ୍ୟାୟା ପଞ୍ଜିକା ମେଳକ ବୈଠକ। ଏହି ବୈଠକରେ ଦୁଇଟି ପଞ୍ଜିକାରଙ୍କ ବ୍ୟତିତ ଅନ୍ୟ କେହି ଯୋଗ ଦେଇନଥିଲେ କି ସେମାନଙ୍କ ପାଣ୍ଡୁଲିପି ଦାଖଲ କରିନଥିଲେ। ଆଗାମୀ ଦିନରେ କଳା ତାଲିକାଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲା ପଞ୍ଜିକା କମିଟି ସଦସ୍ୟ।
ପଞ୍ଜିକା କମିଟି ସଦସ୍ୟ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୁଜାପଣ୍ଡା କହିଥିଲେ, "ଚଳିତ ବର୍ଷ ଦେଖିବାକୁ ମିଳିବ ପାଞ୍ଜିରେ ଥିବା ପର୍ବପର୍ବାଣୀ ତିଥିବାର ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେଉଥିବା ଯାନିଯାତ୍ରାର ସମାନତା। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ ଗଣନାକାରୀଙ୍କ ସହ ହୋଇଛି ଅନ୍ତିମ ପର୍ଯ୍ୟାୟ ବୈଠକ। ତେବେ ଚୂଡାନ୍ତ ବୈଠକରେ ରାଧାରମଣ ପଞ୍ଜିକାର ଓ ଆଉ ଜଣେ ପଞ୍ଜିକାର ଯୋଗ ଦେଇ ପାଣ୍ଡୁଲିପି ଦାଖଲ କରିଥିବା ବେଳେ ଅନ୍ୟ କୌଣସି ପଞ୍ଜିକାର ଉପସ୍ଥିତ ରହିନଥିଲେ। ତେଣୁ ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱୀକୃତି ନମିଳିବା ସହ ଶ୍ରୀମନ୍ଦିର ଯାନିଯାତ୍ରା ଛାପିଲେ ରୁଜୁ ହେବ ଫୌଜଦାରୀ ମାମଲା। ଆଉ ଆଗାମୀ ଦିନରେ କଳା ତାଲିକାଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯିବ।’’
"ପ୍ରତି ବର୍ଷ ପଞ୍ଜିକାଗୁଡିକରେ ରହୁଛି ଦ୍ୱିମତ । କେଉଁଠି ଯାନିଯାତ୍ରାର ତଥି ଦୁଇ ଦିନ ତ ପୁଣି କେଉଁଠି ଶ୍ରୀମନ୍ଦିର ପର୍ବପର୍ବାଣୀକୁ ନେଇ ରହୁଛି ବିବାଦ। ଯେଭଳି ଗତ ବର୍ଷ ନାଗାର୍ଜୁନ ବେଶକୁ ନେଇ ଦ୍ୱିମତ ସୃଷ୍ଟି କରିଥିଲେ ଗଣନାକାରୀ। ଆଉ ଏଭଳି ତଥ୍ୟ ପଞ୍ଜିକାରେ ପ୍ରକାଶିତ ହୋଇଥିବାରୁ ଜଗନ୍ନାଥ ପ୍ରେମୀକୁ ଏହା ବ୍ୟଥିତ କରିଥିଲା। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନୋଟି ପର୍ଯ୍ୟାୟରେ ପଞ୍ଜିକା ମେଳକ ବୈଠକରେ ଆମକୁ ଡାକିବା ସହ ଆମେ ପାଣ୍ଡୁଲିପି ଆଣି ମେଳକ କରିଛୁ। ଆଉ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଘଣ୍ଟ ହୋଇଥିବା ଯାନିଯାତ୍ରାକୁ ଛାପିବା ପାଇଁ ଆମକୁ ମୁକ୍ତିମଣ୍ଡପ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ତେଣୁ ଆମେ ଖାଲି କାହିଁକି ସମସ୍ତ ପଞ୍ଜିକାରଙ୍କ ଏହା ଗୁରୁ ଦାୟିତ୍ୱ ସେମାନେ ପଞ୍ଜିକାର ପାଣ୍ଡୁଲିପି ମେଳକ କଲେ ଆଗାମୀ ଦିନରେ ଆଉ ଲୋକେ ବିଭ୍ରାନ୍ତରେ ପଡ଼ନ୍ତେ ନାହିଁ,’’ କହିଥିଲେ ମନ୍ଦିର ପ୍ରଶାସନ ସ୍ୱୀକୃତି ପାଇଥିବା ପଞ୍ଜିକାର ରାଧାରମଣ ପଞ୍ଜିକାର ମୁଖ୍ୟ ସତ୍ୟବ୍ରତ ଗରାବଡୁ।

ଚଳିତ ବର୍ଷ ନିର୍ଭୁଲ ହେବ ପଞ୍ଜିକା
ସେହିପରି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଥିଲେ, "ପ୍ରତି ବର୍ଷ ବିଭିନ୍ନ ପଞ୍ଜିକାରେ ଶ୍ରୀମନ୍ଦିର ଯାନିଯାତ୍ରା ସହ ମେଳକ ରହୁନି। ଗତ ବର୍ଷ ନାଗାର୍ଜୁନ ବେଶକୁ ନେଇ ଦ୍ୱନ୍ଦ ଉପୁଜିଥିବା ବେଳେ ଷୋଡଶ ଦିନାତ୍ମକ ପୂଜାକୁ ନେଇ ମଧ୍ୟ ଦ୍ୱନ୍ଦରେ ପଡିଥିଲେ ଲୋକେ। ତେଣୁ ଚଳିତ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ଜୁଲାଇ ୧ ଶୁକ୍ରବାର ରହିଥିବା ବେଳେ ଜୁଲାଇ ୯ରେ ବାହୁଡା ଯାତ୍ରା ରହିଛି। ସେହି ଆଧାରରେ ସମସ୍ତ ପଞ୍ଜିକାରମାନେ ଶ୍ରୀମନ୍ଦିର ପ୍ରଶାସନର ଏହି ତିଥିକୁ ନିର୍ଭୁଲ ଭାବେ ଛାପିବା ଦରକାର। ହେଲେ ବାରମ୍ବାର ପାଞ୍ଜି ମେଳକ ପାଇଁ ଡକାଯାଉଥିଲେ ସୁଦ୍ଧା ଗଣନାକାରୀ ଓ ପଞ୍ଜିକାରମାନେ ଏନେଇ ସହଯୋଗ କରୁନାହାଁନ୍ତି। ତେଣୁ ଆଗାମୀ ଦିନରେ ଯଦି ଶ୍ରୀମନ୍ଦିର ପର୍ବାଣିକୁ ନେଇ ଜନମାନସରେ ଭୁଲ ତଥ୍ୟ ପ୍ରକାଶିତ କରନ୍ତି ସମ୍ପୃକ୍ତ ପଞ୍ଜିକାରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ହିନ୍ଦୁ ଧର୍ମରେ ପାଞ୍ଜି ଉପରେ ନିର୍ଭରଶୀଳ ଥିବା ବେଳେ ଅମେଳକ ଓ ତୃଟିପୂର୍ଣ୍ଣ ତଥ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।