ବିଶ୍ୱ ଐତିହ୍ୟ ସହର ହେବାକୁ ଯାଉଥିବା ଶ୍ରୀକ୍ଷେତ୍ର ପୁରୀରେ ବଢୁଛି ଅପରାଧ; ପୋଲିସର ହାତ ଖାଲି

ନିଶା କାରବାରରେ ଲିପ୍ତ ହୋଇ ଅନେକ ଯୁବକ ଅପରାଧ ଘଟାଉଥିବା ବେଳେ ଅପରାଧୀମାନେ ଖେଳଣା ବନ୍ଧୁକ ଦେଖାଇ ବି ରଚୁଛନ୍ତି ଗୋଟିଏ ପରେ ଗୋଟିଏ ଘଟଣା । ୨୦୨୦ର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପୁରୀରେ ଘଟିଯାଇଛି ବେଶ୍ କିଛି ଜଘନ୍ୟ ଅପରାଧ ।

ବିଶ୍ୱ ଐତିହ୍ୟ ସହର ହେବାକୁ ଯାଉଥିବା ଶ୍ରୀକ୍ଷେତ୍ର ପୁରୀରେ ବଢୁଛି ଅପରାଧ; ପୋଲିସର ହାତ ଖାଲି
ପୁରୀରେ ଅପରାଧିକ ଘଟଣାର ସଂଖ୍ୟାରେ ଘଟିଛି ଅହେତୁକ ବୃଦ୍ଧି ।
  • News18 Odia
  • Last Updated: February 26, 2020, 7:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଆନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀରେ ଗତ ଦୁଇ ବର୍ଷରେ ଆପରାଧିକ ଘଟଣାର ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଥିବା ବେଳେ ଗତ ଦୁଇ ମାସରେ ଘଟିଥିବା ଘଟଣା ଓ ସେଥିରେ ପୋଲିସର ଖାଲି ହାତ ଯୋଗୁଁ ସହରବାସୀଙ୍କ ମଧ୍ୟରେ ଚ଼ିନ୍ତା ଓ ଅସନ୍ତୋଷ ବଢ଼ିଚ଼ାଲିଛି । ଅପରାଧୀମାନେ ପୋଲିସକୁ ଚାଲେଞ୍ଜ ଦେଇ ଚ଼ାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇଚ଼ାଲିଥିବା ପରି ମନେହେଉଛି ।

ନିଶା କାରବାରରେ ଲିପ୍ତ ହୋଇ ଅନେକ ଯୁବକ ଅପରାଧ ଘଟାଉଥିବା ବେଳେ ଅପରାଧୀମାନେ ଖେଳଣା ବନ୍ଧୁକ ଦେଖାଇ ବି ରଚୁଛନ୍ତି ଗୋଟିଏ ପରେ ଗୋଟିଏ ଘଟଣା । ୨୦୨୦ର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ପୁରୀରେ ଘଟିଥିବା ଅପରାଧ ଉପରେ ନଜର ପକାଇଲେ ବେଶ୍‌ କିଛି ଜଘନ୍ୟ ଅପରାଧ ଘଟିଥିବା ଦେଖିବାକୁ ମିଳିବ ।

ଦତ୍ତତୋଟାରେ ଆୟୁର୍ବେଦ କଲେଜର ଛାତ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଲୁଟ, ସମୁଦ୍ର କୂଳ ଲାଇଟ ହାଉସ ନିକଟରେ ଦାଦାବଟିକୁ ନେଇ ହୋଟେଲ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଆକ୍ରମଣ, ବଡଶଙ୍ଖ ଅଞ୍ଚଳରେ ଦୁର୍ବୃତ୍ତମାନେ ବଟି ମଗାକୁ ନେଇ ଦୋକାନୀର ତଣ୍ଟି କାଟିବା ଘଟଣା, କଂଗ୍ରେସ ଭବନରେ ପଶି ଲୁହା ରଡ଼ ଓ ଭୁଜାଲୀରେ ଯୁବ କଂଗ୍ରେସର ତିନି ନେତାଙ୍କୁ ଲହୁଲୁହାଣ କରି ମରଣାନ୍ତକ ଆକ୍ରମଣ କରିବା ସହ ଅନେକ ଗାଡ଼ି ଚ଼ୋରି ଘଟଣା ଓ ରେଡକ୍ରସ ରୋଡ଼ରୁ ଗାଡ଼ ଡିକିରୁ ଲକ୍ଷାଧିକ ଟଙ୍କା ଚ଼ୋରି ପରି ଅନେକ ଆପରାଧିକ ଘଟଣା ଘଟିଛି । ଫେବୃୟାରୀ ୨୨ରେ ସମୁଦ୍ର କୂଳ ଥାନା ଅଞ୍ଚଳର ସ୍ୱର୍ଗଦ୍ୱାର ନିକଟରେ ତିନି ଜଣ ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କୁ ଅସଦାଚ଼ରଣ ଘଟଣାରେ ଲୋକେ ଏକ ଯୁବକକୁ ଧରି ବାଡ଼େଇବା ପରେ ପୋଲିସର ଜିମା ଦେଇଥିଲେ ।

‘‘ବିଶ୍ୱ ଐତିହ୍ୟ ସହର ହେବାକୁ ଯାଉଛି ପୁରୀ । ତା’ ପୂର୍ବରୁ ଏ ସହରକୁ କ୍ରାଇମ ଫ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ କେନ୍ଦ୍ରାଞ୍ଚଳ ଡି.ଆଇ.ଜି. ଆଶିଷ ସିଂ । ହେଲେ ତାହା କେବଳ କଥାରେ ସୀମିତ ଲାଗୁଛି । ଗଲା ଦୁଇ ମାସରେ ଘଟିଥିବା ଘଟଣାଗୁଡ଼ିକରେ ପୁଲିସର ହାତ ଖାଲି ଅଛି । ଅପରାଧୀମାନେ ଚାଲେଞ୍ଜ ଦେଇ ଘଟଣା ଘଟାଉଛନ୍ତି ଲାଗୁଛି,’’ କହିଛନ୍ତି ସଂସ୍କୃତି ସୁରକ୍ଷା ମଞ୍ଚର ଆବାହକ ସ୍ୱାଧୀନ ପଣ୍ଡା ।

ପୁରୀରେ ଗତ ଦୁଇ ବର୍ଷରେ ଅପରାଧର ସଂଖ୍ୟା ବଢ଼ିଛି ବୋଲି ବିଧାନ ସଭାରେ ତଥ୍ୟ ଉପସ୍ଥାପନ କରି କହିଥିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ତାଙ୍କ ତଥ୍ୟ ଅନୁସାରେ ପୁରୀରେ ୨୦୧୮ ତୁଳନାରେ ୨୦୧୯ରେ ବଳାତ୍କାର ମାମଲା ୨୩.୬ ପ୍ରତିଶତ ବଢିଥିବା ବେଳେ ଚ଼ୋରି ବଢ଼ିଛି ୪ ପ୍ରତିଶତ ଓ ଡକାୟତି ମାମଲା ୩୬ ପ୍ରତିଶତ ବଢିଛି  । ୨୦୧୮ ମସିହାରେ ଜିଲ୍ଲାର ସବୁ ଥାନାରେ ୯୩ଟି ବଳାତ୍କାର ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୧୧୫ଟି ହୋଇଥିଲା । ସେହିଭଳି ୨୦୧୮ରେ ୪୪୧ଟି ଚ଼ୋରି ଓ ୨୫ ଡକାୟତି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୪୫୯ଟି ଚ଼ୋରି ଓ ୩୪ଟି ଡକାୟତି ମାମଲା ରୁଜୁ ହୋଇଛି ।

‘‘ଫନି ବାତ୍ୟା ପରେ ପୁରୀରେ ସିସିଟିଭି ବ୍ୟବସ୍ଥା ଭୁଷୁଡ଼ି ଯାଇଛି । ପାଟ୍ରୋଲିଂ ବି କଡ଼ାକଡ଼ି ହେଉ ନାହିଁ । ଫଳରେ ଅପରାଧୀମାନେ ଖୁଲମ ଖୁଲା ଅପରାଧ ଘଟାଇଚ଼ାଲିଛନ୍ତି,’’ କହିଛନ୍ତି ବରିଷ୍ଠ ସେବାୟତ ଶ୍ୟାମସୁନ୍ଦର ମହାପାତ୍ର ।

ପୁରୀ ଓକିଲ ସଙ୍ଘର ସମ୍ପାଦକ ବିଭୁ ପ୍ରସାଦ ତ୍ରିପାଠୀଙ୍କ କହିବା ଅନୁଯାୟୀ ପୁରୀରେ ଅପରାଧୀ ଓ ପୋଲିସ ଭିତରେ ‘‘ମଧୁଚ଼ନ୍ଦ୍ରିକା’’ ଚ଼ାଲିଛି । ‘‘ଅପରାଧୀକୁ ଧରି ଥାନାରେ ଜିମା ଦେଲେବି ସେ ପୁଣି ଖଲାସ ହୋଇ ଆସି ଅପରାଧ କରୁଛି । ତା’ ସହ ଅନେକ ଆପରାଧିକ ଘଟଣାରେ ବ୍ୟବହାର ହେଉଥିବା ବନ୍ଧୁକର ତର୍ଜମା ହେଉନାହିଁ  । ଫଳରେ ଖେଳନା ବନ୍ଧୁକରେ ବି

ଦୁର୍ବୃତ୍ତମାନେ ଅପରାଧ ଘଟାଉଛନ୍ତି । ବାସେଳିସାହି ଥାନା ଓ ବଳିଆପଣ୍ଡା ଥାନାରେ ଏଭଳି ଅନେକ ଘଟଣାର ପର୍ଦ୍ଧାଫାଶ କରିଛି ପୁଲିସ । ଥାନାମାନଙ୍କରେ ମଧ୍ୟ ସାଧାରଣ ଲୋକଟିଏ ଅଭିଯୋଗ କରିବାକୁ ଗଲେ ଦୁର୍ବବ୍ୟବହାରର ଶିକାର ହେଉଛି । ଦୀର୍ଘ ଦିନ ହେବ ଥାନାରେ କିଛି ଅଧିକାରୀ ସ୍ଥାୟୀ ଭାବେ ରହି ଅପରାଧୀଙ୍କ ସହ ମଧୁଚ଼ନ୍ଦ୍ରିକା ଚ଼ଳେଇଥିବା ଯୋଗୁଁ ଅପରାଧ ବଢୁଛି,’’ କହିଛନ୍ତି ତ୍ରିପାଠୀ ।

ହେଲେ ପୁରୀ ସହରରେ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତରଫରୁ ଏକାଧିକ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପୁରୀ ଏସ୍‌.ପି. ଉମାଶଙ୍କର ଦାସ । ଅପରାଧ ରୋକିବା ପାଇଁ ପୁରୀ ପୋଲିସ ସର୍ବଦା ପ୍ରସ୍ତୁତ ଓ ତତ୍ପର ବୋଲି ସେ କହିଛନ୍ତି ।

‘‘ପୁରୀରେ ଅପରାଧ ରୋକିବା ପାଇଁ ସବୁ ଜଣାଶୁଣା ଅପରାଧୀଙ୍କ ଏକ ତାଲିକା ତିଆରି କରାଯାଇଛି । କିଛି ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କୁ ଧରିବା ବେଳେ ଏନକାଉଣ୍ଟର ବି କରାଯାଇଛି । ଅପରାଧୀଙ୍କ ତାଲିକାକୁ ନେଇ ସେମାନଙ୍କୁ ଧରିବା ପାଇଁ ସବୁ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଆପରାଧିକ ଘଟଣାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଉଛି । ସବୁ ଥାନାର କ୍ରାଇମ ରେକର୍ଡକୁ ନେଇ ବନ୍ଧୁକର ବ୍ୟବହାର ଓ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅପରାଧୀମାନଙ୍କ ଉପରେ ନଜର ରଖାଯାଇଛି । ତେବେ ସହରରେ ଫନି ପରେ ଏଯାବତ ସିସିଟିଭି ବ୍ୟବସ୍ଥାରେ ସୁଧାର ହୋଇପାରିନି,’’ କହିଛନ୍ତି ଦାସ ।
First published: February 26, 2020, 7:16 PM IST