News18 Odia Digital
କଟକ: ରାୟଗଡ଼ାରେ ଦୁଇ ଋଷିୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତରିତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି। ଏହା ପୂର୍ବରୁ ଏହି ମାମଲାର ତଦନ୍ତ କରୁଥିବା ରାୟଗଡ଼ା ପୋଲିସକୁ ସହଯୋଗ କରିବା ପାଇଁ ଡିଜିପି କ୍ରାଇମକୁ ନିର୍ଦ୍ଦେଶ ଦେଇଥିଲେ।
ସେପଟେ ଡିଜିପିଙ୍କ ନିର୍ଦ୍ଦେଶ ମିଳିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି। ମିଳିଥିବା ସୂଚନା ମୁତାବକ ଆଜି ଏହି ଟିମ ରାୟଗଡ଼ାରେ ପହଁଚି ରାୟଗଡ଼ା ପୋଲିସ ଠାରୁ ଦୁଇଟି ଯାକ ମୃତ୍ୟୁକୁ ନେଇ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାର ତଦନ୍ତ ଭାର ଗ୍ରହଣ କରିବ। ଏହା ସହ ନିଜସ୍ବ ଢଙ୍ଗରେ ମାମଲାର ତଦନ୍ତ ଆରମ୍ଭ କରିବ।
ଏହି କ୍ରମରେ ଉଭୟ ପାବେଲ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦମିର ବିଦାନୋଭଙ୍କ ମୃତ୍ୟୁର ଛାନବିନ ଆରମ୍ଭ କରିବ।
ବିଶେଷ କରି କେଉଁ ପରିସ୍ଥିତିରେ ଏହି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଲା? ଭ୍ଲାଦମିର ବିଦାନୋଭଙ୍କ ମୃତ୍ୟୁର ପ୍ରକୃତ କାରଣ ହୃଦଘାତ ନାଁ ଆଉ କିଛି? ହୋଟେଲର ଝରକାରୁ କିପରି ତଳକୁ ଖସି ପଡ଼ିଲେ ପାବେଲ ଆଣ୍ଟୋଭ? ତାଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ, ଦୁର୍ଘଟଣାବସତଃ ନା ଯୋଜନା ବଦ୍ଧ? ଏହି ଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ।
ସେପଟେ ଏହି ଦୁଇ ପର୍ଯ୍ୟଟକଙ୍କ ଅପମୃତ୍ୟୁକୁ ସହଜରେ ଗ୍ରହଣ କରାଯାଇ ପାରୁନାହିଁ। ବିଶେଷ କରି ଋଷର ଜଣେ ସାଂସଦ ଥିବା ପାବେଲ ଆଣ୍ଟୋଭ ନିଜର ଜନ୍ମଦିନ ପାଳନ ପାଇଁ ଓଡ଼ିଶାକୁ ଆସିବା ଏବଂ ରାୟଗଡ଼ାରେ ହୋଟେଲ ରହଣୀ ସମୟରେ ତାଙ୍କ ବନ୍ଧୁଙ୍କୁ ସନ୍ଦେହଜନକ ମୃତ୍ୟୁ ଘଟିବା। ଏହା ପରେ ନିଜେ ପାବେଲ ଆଣ୍ଟୋଭଙ୍କ ମୃତ୍ୟୁ ହେଟେଲ ଝରକାରୁ ଖସିବା ଯୋଗୁଁ ହେବା। ଋଷିଆ ୟୁକ୍ରେନ୍ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପାବେଲ ଆଣ୍ଟୋଭଙ୍କ ଏକଦା ମତଭେଦ ରହିଥିବା କଥା ଏହି ମାମଲାକୁ ଅଧିକ ସଙ୍ଗୀନ କରି ପକାଇଛି।
"ଯଦି ପୋଲିସ କହୁଛି ପାବେଲ ଆଣ୍ଟୋଭ ଆତ୍ମହତ୍ୟା କରିଛନ୍ତି। ତେବେ ପୋଲିସକୁ ଏହାକୁ ପ୍ରମାଣିତ କରିବାକୁ ପଡ଼ିବ। କାରଣ ଗଭୀର ଭାବେ ମାନସିକ ଆଘାତ ପାଇବା ପରେ ହିଁ ଆତ୍ମହତ୍ୟା କରିବା ପାଇଁ ଜଣକ ମନରେ ଭାବନା ସୃଷ୍ଟି ହୁଏ। କିନ୍ତୁ ପାବେଲ ଆଣ୍ଟୋଭଙ୍କ ଭଳି ଜଣେ ଧନୀ ସାଂସଦଙ୍କୁ ଏମିତି କେଉଁ କଥା ମାନସିକ ଆଘାତ ଦେଇଥିଲା? ଯାହା ଫଳରେ ସେ ନିଜ ଜୀବନ ହାରିବାକୁ ପଛାଇଲେ ନାହିଁ? ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ମଧ୍ୟରେ ସମ୍ପର୍କ ଭଲ ଥାଇ ପାରେ। କିନ୍ତୁ ଭ୍ଲାଦମିର ମୃତ୍ୟୁ ପରେ ଏଥିରେ ପାବେଲ ଆଣ୍ଟୋଭ ମ୍ରିୟମାଣ ହୋଇ ଆତ୍ମହତ୍ୟା କରି ଦେବା କଥାଟା ଗ୍ରହଣୀୟ ହେଉନାହିଁ," କହିଛନ୍ତି ଆଇନଜୀବୀ ଅରୁଣ ବୁଦ୍ଧିଆ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।