News18 odia Digital
ଭୁବନେଶ୍ବର: ଯୁବ ସମାଜସେବୀ ତଥା ମୋଟିଭେସେନାଲ ସ୍ପିକର ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ରାଜ୍ୟ କ୍ରାଇମ ବ୍ରାଞ୍ଚ ଏବେ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ ତାଙ୍କ ସନ୍ଦେହଜନକ ମୃତ୍ୟୁର ମାତ୍ର କିଛି ଘଣ୍ଟା ପୂର୍ବରୁ ତାଙ୍କ ଫେସବୁକ୍ ଆକାଉଣ୍ଟରେ ମୃତ୍ୟୁ ବିଷୟରେ ରହସ୍ୟମୟ ତିନି ଧାଡ଼ି କିଏ ଲେଖିଥିଲା । ଏଥି ପାଇଁ କ୍ରାଇମ୍ ବ୍ରାଞ୍ଚ୍ ଫେସବୁକ୍ ମୁଖ୍ୟାଳୟ ସହ ଯୋଗାଯୋଗ ସ୍ଥାପନ କରିଛି ।
ମୃତ୍ୟୁ ବିଷୟରେ ସେହି ତିନି ଧାଡ଼ି ଯେ ଆଦିତ୍ୟ ଲେଖିଥାଇ ନ ପାରନ୍ତି, ଅର୍ଥାତ ତାହା ତାଙ୍କ ମୋବାଇଲ୍ ଫୋନ୍ ଓ ଫେସବୁକ୍ ଅକାଉଣ୍ଟ୍ ବ୍ୟବହାର କରୁଥିବା ଆଉ କେହି ଜଣେ ଲେଖି ପୋଷ୍ଟ କରିଛି, ଏହି ସନ୍ଦେହ ତଦନ୍ତକାରୀ ଅଧିକାରୀମାନଙ୍କ ମନରେ ଦୃଢ଼ୀଭୂତ ହୋଇଥିବା ଜଣାପଡ଼ିଛି ।
ଆଦିତ୍ୟଙ୍କ ମୃତ୍ୟୁର ପୂର୍ବ ଦିନ ସନ୍ଧ୍ୟା ୭ଟା ୧୪ରେ ତାଙ୍କ ଫେସବୁକ ଅକାଉଣ୍ଟରେ ପୋଷ୍ଟ ହୋଇଥିଲା ଏହି ତିନି ଧାଡ଼ି:
‘‘ମୃତ୍ୟୁ ଯେତେବେଳେ ଆସେ
ବହୁତ୍ ଧୀରେ ଧୀରେ ଆସେ
କେହି ଜାଣି ପାରନ୍ତି ନାହିଁ ।’’
ଏହା ସହ ଆଦିତ୍ୟଙ୍କ ମୋବାଇଲ ଫୋନର ୧୦ ମାସର କଲ ଡିଟେଲ୍ସ ବି ବାହାର କରି ତଦନ୍ତ ଆରମ୍ଭ କରିଛି କ୍ରାଇମ ବ୍ରାଞ୍ଚ୍ । ଏହି କଲ୍ ଡିଟେଲ୍ସରୁ ଅନେକ ତଥ୍ୟ ବିଷୟରେ ଏବେ ଥିବା ସଂଶୟ ସ୍ପଷ୍ଟ ହୋଇଯିବ ବୋଲି କ୍ରାଇମ୍ ବ୍ରାଞ୍ଚ ଟିମର ବିଶ୍ୱାସ । ବିଶେଷ କରି ଆଦିତ୍ୟଙ୍କ ମୃତ୍ୟୁର ପୂର୍ବ ଦୁଇ ଦିନର କଲ୍ ଡିଟେଲ୍ସରୁ ଅନେକ କଥା ସ୍ପଷ୍ଟ ହେବ ବୋଲି ବିଶ୍ୱାସ କରୁଛନ୍ତି ତଦନ୍ତକାରୀ ଅଧିକାରୀମାନେ ।

ଆଦିତ୍ୟ ଦାଶଙ୍କ କଥିତ ‘‘ସୁଇସାଇଡ୍ ନୋଟ’’ର ଏକ ଅଂଶ
ଏହି ମାମଲାର ତଦନ୍ତ କ୍ରାଇମ୍ ବ୍ରାଞ୍ଚ ଉପରେ ନ୍ୟସ୍ତ ହେବା ପରେ ବି ତଦନ୍ତର ପ୍ରଗତିରେ ହେଉଥିବା ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଦିତ୍ୟଙ୍କ ସହଯୋଗୀ ଓ ପରିବାର ଲୋକେ। ଜିଆରପି ଭଳି କ୍ରାଇମ ବ୍ରାଞ୍ଚ ମଧ୍ୟ ତଦନ୍ତ ଶୀଥିଳ କରିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଘଟଣାର ସିବିଆର ତଦନ୍ତ କଲେ ଅସଲ ତଥ୍ୟ ପଦାକୁ ଆସିବ ବୋଲି ଦାବି କରିଛନ୍ତି ଆଦିତ୍ୟଙ୍କ ସମାଜସେବା ସଙ୍ଗଠନ ‘ପିପୁଲ ଫର ସେବା’ର ସଦସ୍ୟମାନେ ।
ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ରେଳବାଇ ପୋଲିସ ୨୮ ଦିନ ତଦନ୍ତ କରିଥିଲା । ପରେ ତଦନ୍ତ ଭାର ନେଇଥିଲା କ୍ରାଇମ ବ୍ରାଞ୍ଚ । ଏହାକୁ ୧୩ ଦିନ ପୂରିଲାଣି । ଦୁଇ ଦୁଇଟି ସଂସ୍ଥା ତଦନ୍ତ କରିବା ପରେ ବି ଆଦିତ୍ୟ ମୃତ୍ୟୁ ମାମଲାର ଥଳକୁଳ ଏ ପର୍ଯ୍ୟନ୍ତ ମିଳିନାହିଁ । ଏଥି ପାଇଁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଆଦିତ୍ୟଙ୍କ ସହଯୋଗୀମାନେ ।

ଆଦିତ୍ୟ ଦାଶ ନିଜ ମୃତ୍ୟର ପାଖାପାଖି ମାସକ ତଳେ ହିଁ ବିଦ୍ୟାଶ୍ରୀଙ୍କୁ ପ୍ରେମ ବିବାହ କରିଥିଲେ ।
‘‘ଜିଆରପି ଯେଉଁ ଢଙ୍ଗରେ ତଦନ୍ତ କରୁଥିଲା ସେହିଭଳି ତରିକା ଆପଣେଇଛି କ୍ରାଇମ ବ୍ରାଞ୍ଚ । ପ୍ରଥମ ଦୁଇ ଦିନ ତନାଘନା ତଦନ୍ତ କରିବା ପରେ ଏବେ ସେଭଳି ତପ୍ତର ଦେଖାଉନାହିଁ ସେହି ତଦନ୍ତକାରୀ ସଂସ୍ଥା । ଯାହା ଲାଗୁଛି ମାମଲାକୁ ହାଲୁକା ଭାବରେ ନେଇଛି କ୍ରାଇମ ବ୍ରାଞ୍ଚ । ତେଣୁ ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ,’’ କହିଛନ୍ତି ‘ପିପୁଲ ଫର ସେବା’ର ସଦସ୍ୟ ମନୋଜ ସିଂ ।
ଜିଆରପି ଭଳି କ୍ରାଇମ ବ୍ରାଞ୍ଚ ମଧ୍ୟ ତଦନ୍ତରେ ସେଭଳି କୌଣସି ଆଗୁଆ ସୁରାକ ପାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଗତ ୪୫ ଦିନର ତଦନ୍ତ ସମୟରେ ଅନେକ ଲୋକ ସ୍କାନରକୁ ଆସିଥିଲେ। ଏ ମଧ୍ୟରେ ଆଦିତ୍ୟଙ୍କ ସହଯୋଗୀ ପପୁ ଓ ବିକାଶ, ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ଜଣେ ବରିଷ୍ଠ ଓ.ଏ.ଏସ. ଅଧିକାରୀ ମଧ୍ୟ ରହିଛନ୍ତି । ଏ ଘଟଣାରେ ଓ.ଏ.ଏସ. ଅଧିକାରୀଙ୍କୁ ଛାଡ଼ି ବାକି ଅନ୍ୟମାନଙ୍କୁ ଜେରା କରିସାରିଛି କ୍ରାଇମ ବ୍ରାଞ୍ଚ । ଏବେ ସୁଦ୍ଧା ଘଟଣାର ସତ୍ୟାସତ୍ୟ ପଦାକୁ ଆସି ନ ଥିବାରୁ ସିବିଆଇ ତଦନ୍ତ ପାଇଁ ଦାବି ଉଠିଛି ।
ମୃତ୍ୟୁ ପୂର୍ବରୁ ଆଦିତ୍ୟ କାହା କାହା ସହ କଥା ହୋଇଥିଲେ ଓ କେତେ ମିନିଟ ଧରି କଥା ହୋଇଥିଲେ ସେ ସବୁ ବାହାର କରିବାକୁ ଚେଷ୍ଟା କରୁଛି କ୍ରାଇମ ବ୍ରାଞ୍ଚ । ଆଦିତ୍ୟଙ୍କ ଫେସବୁକ ଆକାଉଣ୍ଟର ପାସୱାର୍ଡ ବିଦ୍ୟାଶ୍ରୀଙ୍କ ନିକଟରେ ମଧ୍ୟ ରହିଥିଲା । ଯାଞ୍ଚ ହେଲେ କାହା ମୋବାଇଲରୁ ଶେଷ ପୋଷ୍ଟ ହୋଇଥିଲା ତାହା ବି ଜଣାପଡ଼ିବ ବୋଲି ଆଶା କରାଯାଉଛି ।
ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀଙ୍କ Reliance Foundation ଭାରତୀୟ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେରିକୀୟ ଏଜେନ୍ସି ସହ କାମ କରିବଏହା ବି ପଢ଼ନ୍ତୁ | HONOR 9S: ମାତ୍ର ୭ ହଜାର ଟଙ୍କାରୁ ବି କମ୍ ବଜେଟରେ ମିଳୁଥିବା ଚମତ୍କାର ସ୍ମାର୍ଟଫୋନ୍!‘‘ସିଡିଆର (କଲ୍ ଡିଟେଲ୍ସ୍ ରିପୋର୍ଟ) ଦେଖାଗଲେ ଓ ତା’ ଅନୁସାରେ ତଦନ୍ତ ହେଲେ ଅନେକ ତଥ୍ୟ ପଦାକୁ ଆସିବ,’’ କହିଛନ୍ତି ଆଦିତ୍ୟଙ୍କ ଓକିଲ ନିହାର ରଞ୍ଜନ ଓଝା । ଆଦିତ୍ୟଙ୍କ ମା କହିଛନ୍ତି, ‘‘ଏବେ ଲାଗୁଛି ଯେମିତି ତଦନ୍ତ ନାମରେ ପ୍ରହସନ ଚାଲିଛି । ଆଦିତ୍ୟ ମରିନି, ତାକୁ ମାରି ଦିଆଯାଇଛି । ସିବିଆଇ ତଦନ୍ତ କରି ଯେଉଁମାନେ ଦୋଷୀ ତାଙ୍କୁ ଫାଶୀ ଦିଆଯାଉ ।’’
ଆଦିତ୍ୟ ମୃତ୍ୟୁ ଘଟଣାର ସତ୍ୟ ପଦାକୁ ଆସିଲେ ଅନେକ ରହସ୍ୟ ଉପରୁ ପରଦା ହଟିବ । ଆଦିତ୍ୟ ଚାଲିଯିବା ପର ଠାରୁ ସେ ଖୋଲିଥିବା ବୃଦ୍ଧାଶ୍ରମକୁ ଆସୁଥିବା ପାଣ୍ଠି ମଧ୍ୟ କମିବାରେ ଲାଗିଥିବା ଜଣାପଡ଼ିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।