ଏସ୍.ଟି.ଏଫ୍.କୁ ବଡ଼ ସଫଳତା: ପିପିଲିରେ ଏକ କିଲୋ ୭୪୯ ଗ୍ରାମ୍ ବ୍ରାଉନ୍ ସୁଗାର୍ ଜବତ; ୩ ଗିରଫ

ଏହା ଗତ ତିନି ବର୍ଷ ଭିତରେ ଓଡ଼ିଶାରେ ସବୁ ଠୁ ବଡ଼ ପରିମାଣର ବ୍ରାଉନ୍ ସୁଗାର୍ ଜବତ ଘଟଣା । ୨୦୧୮ ଓ ୨୦୧୯ରେ ମିଶି ଓଡ଼ିଶା ପୋଲିସ ୪ କିଲୋରୁ କମ୍ ବ୍ରାଉନ ସୁଗାର ଜବତ କରିଥିଲା, ହେଲେ ଚଳିତ ବର୍ଷ ଏସଟିଏଫ ମୋଟ ୪ କେଜି ୨୭ ଗ୍ରାମ ବ୍ରାଉନ ସୁଗାର ଜବତ କରିସାରିଲାଣି ।

ଏସ୍.ଟି.ଏଫ୍.କୁ ବଡ଼ ସଫଳତା: ପିପିଲିରେ ଏକ କିଲୋ ୭୪୯ ଗ୍ରାମ୍ ବ୍ରାଉନ୍ ସୁଗାର୍ ଜବତ; ୩ ଗିରଫ
ଜବତ ବ୍ରାଉନ୍‌ ସୁଗାର୍‌କୁ ସିଲ୍‌ କରାଯାଇଛି ।
  • News18 Odia
  • Last Updated: March 12, 2020, 4:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ବ୍ରାଉନ୍‌ ସୁଗାର୍‌ କାରବାରକୁ ରୋକିବାରେ କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ୍‌ ଟାସ୍କ ଫୋର୍ସ (ଏସଟିଏଫ)କୁ ମିଳିଛି ବଡ ସଫଳତା । ପୁରୀ ଜିଲା ପିପିଲି ଅଞ୍ଚଳରେ ଚଢ଼ାଉ କରି ଏକ କେଜି ୭୪୯ ଗ୍ରାମ୍‌ ବ୍ରାଉନ୍‌ ସୁଗାର୍‌ ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ତିନି ଜଣ ଲୋକଙ୍କୁ ଗିରଫ କରିଛି ଏସଟିଏଫ । ଏହା ଓଡ଼ିଶାରେ ଏ ପର୍ଯ୍ୟନ୍ତ ସବୁ ଠୁ ବଡ ପରିମାଣର ବ୍ରାଉନ୍‌ ସୁଗାର୍‌ ଜବତ । ଜବତ ହୋଇଥିବା ବ୍ରାଉନ୍‌ ସୁଗାର୍‌ର ଆନୁମାନିକ ବଜାର ମୂଲ୍ୟ ଦେଢ଼ କୋଟି ଟଙ୍କା ।

ଡଜିପି ଅଭୟ ଭୁବନେଶ୍ବରସ୍ଥିତ କ୍ୟାମ୍ପ ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି: ‘‘ଏ ବର୍ଷ ଦୁଇ ମାସରେ ଏସଟିଏଫ୍ ଚ଼ାରି କେଜିରୁ ଅଧିକ ବ୍ରାଉନ ସୁଗାର ଜବତ କରିଛି । ପୋଲିସକୁ ସରକାର ବ୍ରାଉନ ସୁଗାର ଭଳି ଡ୍ରଗ୍ସ ମମାଲାରେ ଜୋରଦାର ଚଢାଉ କରିବାକୁ ଅନୁମତି ଦେଇଛନ୍ତି । ଅନ୍ୟ ତଦନ୍ତକାରୀ ସଂସ୍ଥା ଓ ପୋଲିସ ମଧ୍ୟ ଚଢାଉ କରି ବ୍ରାଉନ ସୁଗାର  ଜବତ କରୁଛନ୍ତି । ଆଜି ୧,୭୪୯ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ତିନି ଜଣଙ୍କୁ ଗିରଫ କରାଯାଇଛି ।’’

ବୁଧବାର ପୁରୀ ଜିଲ୍ଲାର ପିପିଲିକୁ ଅଧିକ ପରିମାଣର ବ୍ରାଉନ ସୁଗାର ଆସୁଥିବା ନେଇ ଗୁଇନ୍ଦା ସୂଚନା ପାଇଥିଲା ଏସଟିଏଫ । ପରେ ଏସଟିଏଫ ଏୟାରଫିଲ୍ଡ,, ଜଟଣୀ ଓ ପିପିଲି ପୋଲିସକୁ ସାଙ୍ଗରେ ନେଇ ଚଢ଼ାଉ କରିଥିଲା । ପୂରା ଟିମ୍ ସବୁ ରାସ୍ତାରେ ଜଗିରହିଥିବାରୁ ଅଭିଯୁକ୍ତମାନେ ଧରାପଡ଼ିଯାଇଥିଲେ । ଯାଞ୍ଚ କରିବାରୁ ତାଙ୍କ ଠାରୁ ୧,୭୪୯ ଗ୍ରାମ୍‌ ବ୍ରାଉନସୁଗାର ମିଳିଥିଲା । ସେମାନଙ୍କ ଠାରୁ ଏସଟିଏଫ ନଅଟି ମୋବାଇଲ ଫୋନ୍‌, ଗୋଟିଏ ବାଇକ୍‌ ଓ ଗୋଟଏ କାର୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।

ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ଏସଟିଏଫ ପଚରାଉଚରା କରୁଛି ଓ ଆଜି ହିଁ ସୋମାନଙ୍କୁ କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି । ରାଜ୍ୟରେ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ଏସଟିଏଫ୍ ।

ଡଜିପି ଅଭୟ ସାମ୍ବାଦିକ ସମ୍ମିଳନୀରେ ସୂଚ଼ନା ଦେଉଛନ୍ତି ।


ମିଳିଥିବା ସୂଚନା ଅନୁଯାୟୀ ୨୦୧୭ରେ ଓଡ଼ିଶା ପୋଲିସର ସମସ୍ତ ତଦନ୍ତକାରୀ ସଂସ୍ଥା ମୋଟ ଏକ କେଜି ୭୮୨ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଥିବା ବେଳେ ୨୦୧୮ରେ ୬୩୫ ଗ୍ରାମ୍‌ ଓ ୨୦୧୯ରେ ଦୁଇ କେଜି ୫୬୦ ଗ୍ରାମ୍‌ ବ୍ରାଉନ ସୁଗାର ଜବତ କରିଥିଲା । କିନ୍ତୁ ଚଳିତ ବର୍ଷ, ଅର୍ଥାତ ୨୦୨୦ରେ, କେବଳ ଏସଟିଏଫ ମୋଟ ୪ କେଜି ୨୭ ଗ୍ରାମ ବ୍ରାଉନ ସୁଗାର ଜବତ କରିସାରିଲାଣି ।

ବିଶେଷ କରି ଗୁଇନ୍ଦା ସୂଚନା ଯୋଗୁଁ ଅଧିକ ପରିମାଣର ବ୍ରାଉନ ସୁଗାର ଜବତ କରାଯାଉଥିବା ଏସଟିଏଫର ଜଣେ ଅଧିକାରୀ କହିଛନ୍ତି । ଏହି ଡ୍ରଗ୍ସ ବେପାର ଆନ୍ତଃରାଜ୍ୟ କାରବାରରେ ହେଉଥିବାରୁ ଅଭିଯୁକ୍ତମାଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅଫିସରମାନଙ୍କୁ ପଶିକ୍ଷଣ ପ୍ରଦାନ କରାଯାଉଛି ।

ଖୋର୍ଦ୍ଧା ଜିଲାର ଏଜୁକେସନ ହବ କୁହାଯାଉଥିବା ଜଟଣୀ ସହରକୁ ବି ଏବେ ଧଳା ଜହରର ଭୟ ଘରିଛି । ଜଟଣୀରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଓ ଗବେଷଣା କେନ୍ଦ୍ର ଗଢ଼ି ଉଠିଥିବା ବେଳେ ଏଠାରେ ବ୍ରାଉନ ସୁଗାର କବଜାରେ ଯୁବ ପୀଢ଼ି ପଡ଼ିଥିବା ଦେଖାଯାଇଛି । ଗତ କାଲି ଖୁଦୁପୁରୁ ଆଇଆଇଟି ରାସ୍ତାରେ ଜଟଣୀ ଥାନା ପୋଲିସ ଚଢ଼ାଉ କରି ୩୫ ଗ୍ରାମ ବ୍ରାଉନ୍‌ ସୁଗାର୍‌ ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କ ଠାରୁ ଦୁଇଟି ମଟର ସାଇକେଲ, ନଗଦ ୩୦୦ ଟଙ୍କା ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ କରିଛି । ଗିରଫ ଦୁଇଜଣ ଖୋର୍ଦ୍ଧାର ଦିଲୀପ ହରିଚନ୍ଦନ ଓ ଏମ୍‌.ଡି. ସକାବତ । ସେମାନେ କେଉଁଠାରୁ ବ୍ରାଉନ୍‌ ସୁଗାର୍‌ ଆଣି ଏଠାରେ ବେପାର କରୁଥିଲେ ତା’ର ତଦନ୍ତ ଜାରି ଅଛି ।
First published: March 12, 2020, 4:09 PM IST
corona virus btn
corona virus btn
Loading