News18 Odia Digital
ଭୁବନେଶ୍ବର: ବର୍ଷ ଆରମ୍ଭରୁ ବାଘ ଛାଲ ଜବତ। ବୌଦ୍ଧରୁ ଦୁଇଟି ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ବାଘ ଛାଲ ଡିଲ କରୁଥିବା ବେଳେ ଜଣେ ମାଫିଆଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତ ବୌଦ୍ଧ ଓଲଣ୍ଡା ଅଞ୍ଚଳର ହିମାଳୟ ଦାସ। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି ତଦନ୍ତକାରୀ ଟିମ।
ଏସଟିଏଫ ଏସ.ପି କିଶୋର କୁମାର ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ହିମାଳୟ ଓ ତା'ର ଜଣେ ସହଯୋଗୀ ଦୁଇଟି ବାଘ ଛାଲକୁ ଡିଲ କରିବାକୁ ଯୋଜନା କରିଥିଲେ। ମହାବଳ ବାଘ ଚମଡାକୁ ୭ ଲକ୍ଷ ଓ କଲରପତ୍ରିଆ ଚମଡାକୁ ୩ ଲକ୍ଷ ଟଙ୍କାରେ ଡିଲ କରିବାକୁ ଯୋଜନା କରିଥିଲେ। ଖବର ପାଇ ଏକ ଟିମ ଅତର୍କିତ ଚଢ଼ାଉ କରିଥିଲା ବେଳେ ଜଣେ ଫେରାର ହୋଇଯାଇଛି।
ମହାବଳ ବାଘ ଛାଲଟି ପୁରୁଣା ହୋଇଥିବା ବେଳେ କଲରାପତରିଆ ବାଘ ଛାଲଟି କିଛି ଦିନ ତଳର ବୋଲି ଜଣା ପଡ଼ିଛି। ତେବେ କେଉଁ ଜଙ୍ଗଲରୁ ଏହି ବାଘକୁ ଶିକାର କରାଯାଇଛି ତାହା ଜଣା ପଡ଼ିନଥିବା ତଦନ୍ତକାରୀ ଟିମ ପକ୍ଷରୁ ସୂଚନା ମିଳିଛି।
ତେବେ ଗତ କିଛିଦିନ ତଳେ ମୟୁରଭଞ୍ଜ ଜିଲା ବାରିପଦାରୁ ଏକ ମହାବଳ ବାଘ ଛାଲ ଜବତ କରିଥିଲା ଏସଟିଏଫ। ଯେଉଁଥିରେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଗିରଫ ଦୁଇ ଅଭିଯୁକ୍ତଙ୍କ ସହ ହିମାଳୟ ସମ୍ପୃକ୍ତି ରହିଛି କି ନାହିଁ ତାକୁ ନେଇ ତଦନ୍ତ କରୁଛି ଏସଟିଏଫ।
ସୂଚନାଯୋଗ୍ୟ, ବନ୍ୟପ୍ରାଣୀ ସ୍ମଗଲିଂ ବିରୁଦ୍ଧରେ ମଧ୍ୟ ଅପରେସନ ଜୋରଦାର ଜାରି ରଖିଛି ତଦନ୍ତକାରୀ ଟିମ। ଗତବର୍ଷ ରାଜ୍ୟରୁ ସର୍ବାଧିକ ୧୪ଟି କଲରାପତରିଆ ବାଘ ଛାଲ ଜବତ କରିଥିଲା ଏସଟିଏଫ। ସେହିଭଳି ଗୋଟିଏ ମହାବଳ ବାଘ ଛାଲ, ୯ଟି ଜୀବନ୍ତ ବଜ୍ରକାପ୍ତା, ୨୨କେଜି ବଜ୍ରକାପ୍ତା କାତି, ୧୪ ତି ହାତୀ ଦାନ୍ତ, ୨ଟି ବାଘ ଦାନ୍ତ, ୨୯ ବାଘ ନଖ ସହ ୪୬ ଜଙ୍ଗଲୀ ସୁଆ ମାଫିଆଙ୍କଠାରୁ ଜବତ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।