ସୌମ୍ୟ ମୃତ୍ୟୁ ମାମଲା: କ୍ରାଇମ୍ ବ୍ରାଞ୍ଚର ବୟାନ ରେକର୍ଡ ଓ ପ୍ରମାଣ ସଂଗ୍ରହ କାର୍ଯ୍ୟ ଶେଷ
ପାରଳାଖେମୁଣ୍ଡି ଏ.ସି.ଏଫ. ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ପଛର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଏହା ହତ୍ୟା ନା ଆତ୍ମହତ୍ୟା ନା ଏକ ଦୃଘଟଣାଜନିତ ମୃତ୍ୟୁ ଥିଲା ତା’ ଉପରେ ସସପେନ୍ସ ଜାରି ରହିଛି ।
ସୌମ୍ୟ ମୃତ୍ୟୁ ମାମଲା
- News18 Odia
- Last Updated: September 4, 2021, 9:09 AM IST
କଟକ: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏ.ସି.ଏଫ. ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ରହସ୍ୟରୁ ପରଦା ଉଠାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିବା କ୍ରାଇମ୍ ବ୍ରାଞ୍ଚ୍ ନିଜର ପ୍ରଥମ ପର୍ଯ୍ୟାୟ ତଦନ୍ତ ଶେଷ କରିଛି । ଏହି କ୍ରମରେ ବାଲେଶ୍ବର ଓ ମୟୁରଭଞ୍ଜ ଯାଇ ସୌମ୍ୟରଞ୍ଜନଙ୍କ ଓ ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରି ଶୁକ୍ରବାର ମୁଖ୍ୟାୟଳକୁ ଫେରିଛି ଟିମ୍ । ଏହି ଦୁଇ ଦିନ ମଧ୍ୟରେ ମୋଟ ସାତ ଜଣଙ୍କ ବୟାନ ରେକର୍ଡ କରିଛି କ୍ରାଇମ ବ୍ରାଞ୍ଜ୍ ।
ତେବେ ଏହି ଦୁଇ ଦିନିଆ ତଦନ୍ତରେ କ୍ରାଇମ୍ ବ୍ରାଞ୍ଚର ଫୋକସରେ ଥିଲେ ସୌମ୍ୟରଞ୍ଜନଙ୍କ ପତ୍ନି ବିଦ୍ୟାଭାରତୀ ପଣ୍ଡା । ବିଦ୍ୟଭାରତୀଙ୍କୁ ୭୦ଟି ପ୍ରଶ୍ନ ସହ ସାତ ଘଣ୍ଟା ଧରି ଗୁଡ଼ାଇ ତୁଡ଼ାଇ ଜେରା କରିଥିଲା କ୍ରାଇମ୍ ବ୍ରାଞ୍ଚ୍ । ଏହା ସହ କ୍ରାଇମ୍ ବ୍ରାଞ୍ଚ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିଦ୍ୟାଭରତୀଙ୍କ ଜେରାରୁ ଅନେକ ଗୁରୁତ୍ବପୂର୍ଣ୍ଣ ସୁରାଖ ତଦନ୍ତକାରୀ ଦଳ ହାତରେ ଲାଗିଛି । ଏ ପରିକି ବିଦ୍ୟାଭାରତୀଙ୍କୁ ପୂର୍ବରୁ ଜେରା କରିଥିବା ପାରଳାଖେମୁଣ୍ଡି ପୋଲିସ ଯେଉଁ ସବୁ ତଥ୍ୟ ପାଇଥିଲା ତା ଠାରୁ ଅନେକ ପରିମାଣରେ ତଥ୍ୟ ବିଦ୍ୟାଭରତୀଙ୍କ ଠାରୁ ହାସଲ କରାଯାଇଥିବା ତଦନ୍ତକାରୀ ଟିମ ପକ୍ଷରୁ କୁହାଯାଇଛି । ହେଲେ କ୍ରାଇମ୍ ବ୍ରାଞ୍ଚର ଏହି ତଦନ୍ତ ନା ସୌମ୍ୟରଞ୍ଜନଙ୍କ ପରିବାର ନା ତାଙ୍କ ଓକିଲ କାହରିକୁ ବି ସନ୍ତୁଷ୍ଟ କରି ପାରିଛି ।
"କ୍ରାଇମବ୍ରାଞ୍ଚ ଯେଉଁ ତଦନ୍ତ କରୁଛି ତାହା ସମ୍ପୂର୍ଣ୍ଣ ଦୀଗହରା । ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି । ହେଲେ ଏହି ଜେରା ପାଇଁ ଯେଉଁ ପ୍ରସ୍ତୁତି କରିବା କଥା ତାହା ତଦନ୍ତକାରୀ ସଂସ୍ଥା କରିନାହିଁ । ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରୁ ବିଦ୍ୟାଭରତୀଙ୍କ ହାତ ଲେଖା ଯେଉଁ ଚିଠି ସବୁ ମିଳିଥିଲା ସେଥିରୁ ସ୍ପଷ୍ଟ ପ୍ରମାଣିତ ହେଉଥିଲା ଯେ ବିଦ୍ୟାଭାରତୀ ସୌମ୍ୟରଞ୍ଜନଙ୍କୁ କେତେ ପରିମାଣରେ ଘୃଣା କରୁଥିଲେ । ହେଲେ ସେହି ହାତ ଲେଖା ଚିଠି ଯେ ବିଦ୍ୟାଭରତୀଙ୍କ ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ କ'ଣ ପଦକ୍ଷେପ ନେଇଛି । ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟ ଏହି ହସ୍ତାକ୍ଷରକୁ ଜାଞ୍ଚ କରିଛନ୍ତି କି? ଯଦି କରି ନାହାଁନ୍ତି ତା ହେଲେ ବିଦ୍ୟାଭରତୀଙ୍କୁ କି ପ୍ରଶ୍ନ କରିଛି?," କହିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ପାର୍ଥସାରଥୀ ନାୟକ ।
କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ମିଳିଥିବା ସୂଚନା ମୁତାବକ ଘଟଣାସ୍ଥଳରୁ ସଂଗୃହିତ କିଛି ପ୍ରମାଣକୁ ପରୀକ୍ଷା ପାଇଁ ଏସ.ଏଫ.ଏସ.ଏଲ.କୁ ପଠାଯାଇଛି । ଯାହାର ରିପୋର୍ଟ ଆଉ କିଛି ଦିନ ମଧ୍ୟରେ ହସ୍ତଗତ ହେବ । ଏହା ସହିତ ଘଟଣାସ୍ଥଳ ପରିଦର୍ଶନ କରିଥିବା ଏକ୍ସପର୍ଟମାନେ ସେମାନଙ୍କ ରିପୋର୍ଟ ମଧ୍ୟ ଦିନେ ଦୁଇ ଦିନ ମଧ୍ୟରେ ପ୍ରଦାନ କରିବେ । ଶନିବାର ଠାରୁ ଏହି ମାମଲାରେ ଏ ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ୨୧ ଜଣଙ୍କ ବୟାନକୁ ତର୍ଜମା କରାଯାଇ ନିର୍ଦ୍ଧିଷ୍ଟ ନିର୍ଯ୍ୟାସରେ ପହଁଞ୍ଚ ଯାଇ ପାରିବ ।
ପ୍ରଥମେ ଘଟଣାସ୍ଥଳ ବା ପାରଳାଖେମୁଣ୍ଡି ସ୍ଥିତ ସୌମ୍ୟରଞ୍ଜନ ସରକାରୀ କ୍ବାଟରରେ ପହଁଞ୍ଚି ନୂଆ କରି ଅନୁସନ୍ଧାନ ଆରମ୍ଭ କରିଥିବା କ୍ରାଇମ୍ ବ୍ରାଞ୍ଜ୍ ସେଠାରେ ଡି.ଏଫ.ଓ. ସଂଗ୍ରାମ ବେହେରା ଓ ଗୁରାଣ୍ଡି ଥାନାଅଧିକାରୀ ମମତା ପଣ୍ଡାଙ୍କ ସମେତ ମୋଟ ୧୪ ଜଣଙ୍କ ବୟାନ ମଧ୍ୟ ରେକର୍ଡ କରିବା ସହ କିଛି ସାଇଣ୍ଟିଫିକ୍ ପ୍ରମାଣ ମଧ୍ୟ ହାସଲ କରିଥିଲା । ସେଠାରୁ ଫେରିବା ପରେ ଦୁଇ ଦିନିଆ ବାଲେଶ୍ବର ଓ ମୟୁରଭଞ୍ଜ ଗସ୍ତ ମଧ୍ୟ ଶେଷ କରିଛି ।






