News18 Odia Digital
କଟକ: ଖୋଲୁଛି ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାର ଗୁମର। ଅପହରଣ ଗୋଟିଏ ସପ୍ତାହ ପୂର୍ବରୁ ମାନସକୁ ମାଡ଼ ମାରିଥିଲେ ଶର୍ମିଷ୍ଠା ଓ ନିରଞ୍ଜନ। ସେହି ସମୟରେ ମେମୋରୀ ଚିପକୁ ହାସଲ କରିବା ପାଇଁ ହିଁ ମାନସଙ୍କୁ ମାଡ଼ ମରାଯାଇଥିବା ସ୍ପଷ୍ଟ କରିଛି କ୍ରାଇମ୍ ବ୍ରାଞ୍ଚ।
କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଶର୍ମିଷ୍ଠାଙ୍କ ୱେବ ପୋର୍ଟାଲରେ କାମ କରୁଥିବା ମାନସ ଜାନୁଆରୀ ୧୦ ତାରିଖ ଠାରୁ ଦୟାଲ ଆଶ୍ରମରେ ରହି ଆସୁଥିଲେ। ମାନସଙ୍କୁ ଅପହରଣ କରିବା ପୂର୍ବରୁ ଜାନୁଆରୀ ୩୦ ତରିଖ ଦିନ ଶର୍ମିଷ୍ଠା ଓ ନିରଞ୍ଜନ ମାନସଙ୍କୁ ସମ୍ପୂର୍ଣ୍ଣା ଅଫିସକୁ ଡ଼ାକି ଥିଲେ। ଆଉ ସେଠାରେ ଉଭୟ ମାନସଙ୍କୁ ମେମୋରୀ ଚିପ ଓ ସେଥିରେ ଥିବା ଭିଡିଓକୁ ଫେରାଇ ଦେବା ପାଇଁ କହିବା ସହ ମାଡ଼ ମଧ୍ୟ ମାରିଥିଲେ।
ସମ୍ପୂର୍ଣ୍ଣା ଅଫିସରେ ମାନସଙ୍କୁ ମାଡ଼ ମାରିବା ପରେ ସେମାନେ ତାଙ୍କୁ ଦାୟଲ ଆଶ୍ରମକୁ ଆଣିଥିଲେ। ଆଉ ଦାୟଲ ଆଶ୍ରମରେ ହିଁ ଉଭୟ ଶର୍ମିଷ୍ଠା ଓ ନିରଞ୍ଜନ ମାନସ ଠାରୁ ତାଙ୍କର କ୍ୟାମେରାକୁ ଛଡ଼ାଇ ନେଇଥିଲେ। ଏହି ଘଟଣାର ପର ଦିନ ଅର୍ଥାତ ଜାନୁଆରୀ ୩୧ ତାରିଖ ଦିନ ଦୟାଲ ଆଶ୍ରମ ଛାଡ଼ି ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ରହିବାକୁ ଲାଗିଥିଲେ। ଏହା ପରେ ମାନସ ମେମୋରୀ ଚିପ ଓ ତାଙ୍କ କ୍ୟାମେରା ଫେରାଇବା ବଦଳରେ ଶର୍ମିଷ୍ଠାଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ।
ହେଲେ ଶର୍ମିଷ୍ଠା ତାଙ୍କୁ ଟଙ୍କା ଦେଇ ନଥିଲେ। ମାନସଙ୍କ ଠାରୁ ଚିପ ହାସଲ କରିବା ପାଇଁ ବିଦ୍ଧିବଦ୍ଧ ଭାବେ ଏକ ଷଡ଼ଯନ୍ତ୍ର ରଚନା କରିଥିଲେ। ଏହି ଷଡ଼ଯନ୍ତ୍ର କ୍ରମରେ ମାନସ ନିଜ ସହଯୋଗୀ ଦୀପକ ସହ ଏକ ବାହାଘର ସୁଟିଂ ପାଇଁ ଚାନ୍ଦବାଲି ଯାଇଥିବା ସମୟରେ ତାଙ୍କୁ ସେହି ଠାରୁ ହିଁ ଅପହରଣ କରି ନେଇଥିଲେ ଅଭିଯୁକ୍ତମାନେ।
ଏହି ତଥ୍ୟ ଗୁଡ଼ିକ ବ୍ୟତୀତ ସେହି ଚର୍ଚ୍ଚିତ ମେମୋରୀ ଚିପ ବାବଦରେ ପ୍ରଥମ ଥର ଲାଗି ମୁହଁ ଖୋଲିଛି କ୍ରାଇମ୍ ବ୍ରାଞ୍ଚ। ମେମୋରୀ ଚିପଟି ଶେଷ ପର୍ଯ୍ୟନ୍ତ ମାନସ ପାଖରେ ହିଁ ଥିଲା। ଆଉ ଏହାକୁ ଠାବ କରିବା ପାଇଁ କ୍ରାଇମ୍ ବ୍ରାଞ୍ଚ ଟିମ ମଙ୍ଗଳବାର ଦିନ ମାନସଙ୍କ ନୟଗଡ଼ ସ୍ଥିତ ପୈତୃକ ଘର ଓ ଭୁବନେଶ୍ବରରେ ମାନସ ରହୁଥିବା ଦୁଇଟି ଠିକଣାରେ ଖୋଜା ଖୋଜି ପରେ ମଧ୍ୟ ସେହି ମେମୋରୀ ଚିପକୁ ଉଦ୍ଧାର କରାଯାଇ ପାରି ନଥିବା କ୍ରାଇମ୍ ବ୍ରାଞ୍ଚ ସୂଚନା ଦେଇଛି।
ସେପଟେ ଗୁରୁବାର ଦିନ ଶର୍ମିଷ୍ଠା ଓ ଝୁନା ଭୋଇଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେଉଥିବା ବେଳେ ଉଭୟଙ୍କୁ ପୁଣି ଥରେ କୋର୍ଟରେ ହାଜାର କରାଯିବ। ତେବେ ଏହି ମାମଲାରେ ଆଉ କୌଣସି ଅଭିଯୁକ୍ତଙ୍କୁ ଏବେ ରିମାଣ୍ଡରେ ନିଆଯିବ ନାହିଁ ବୋଲି କ୍ରାଇମ୍ ବ୍ରାଞ୍ଚ ସୂତ୍ରରୁ ଜଣା ପଡ଼ିଛି। ତେବେ ମୋମୋରୀ ଚିପକୁ ଠାବ କରିବା ଓ ଏଥିରେ ଥିବା ପ୍ରମାଣକୁ ସଂଗ୍ରହ କରିବା କ୍ରାଇମ୍ ବ୍ରାଞ୍ଚ ଉଦ୍ୟମ ଜାରି ରଖିବା ଉଚିତ୍ ବୋଲି ମତ ଦେଇଛନ୍ତି ପୂର୍ବତନ ପୋଲିସ ଅଧିକାରୀ।
"ହାତ୍ୟା ସମ୍ପର୍କିତ ବିଭିନ୍ନ ପ୍ରମାଣ କ୍ରାଇମ୍ ବ୍ରାଞ୍ଚ ସଂଗ୍ରହ କରିଛି। କିନ୍ତୁ ହତ୍ୟାକାଣ୍ଡକୁ ପ୍ରମାଣ କରିବା ପାଇଁ ଗୋଟିଏ ଜିନିଷ ଦରକାର ଯାହାକି ହେଉଛି ହତ୍ୟା ପଛର ଉଦ୍ଦେଶ୍ୟ। ଯାହାକି ଏକ ମୋମୋରୀ ଚିପ ବୋଲି ଜଣା ପଡ଼ିଛି। ସେହି ଚିପଟି ମିଳିବା ନିହାତି ଦରକାର," କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶରତ ସାହୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।