News18 Odia Digital
ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ମର୍ଡର ସ୍ପଟରେ ତଦନ୍ତ କରିଛି କ୍ରାଇମ୍ ବ୍ରାଞ୍ଚ। ସୁନ୍ଦରପଦାରେ ଥିବା ଦୟାଲ ଆଶ୍ରମରେ ପ୍ରାୟ ୩ ଘଣ୍ଟା ଧରି ଫରେନସିକ ଟିମ ସହାୟତାରେ କ୍ରାଇମ୍ ବ୍ରାଞ୍ଚ ଛାନଭିନ କରିଥିଲା। ଥ୍ରୀଡି ସ୍କାନର ଜରିଆରେ ପ୍ରମାଣ ଖୋଜିଛି ତଦନ୍ତକାରୀ ସଂସ୍ଥା। ସେପଟେ ରାଜ୍ୟ ବାହାରେ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରିଥିବା ବେଳେ ଏହି ମାମଲାରେ ସମ୍ପୃକ ଥିବା ଶର୍ମିଷ୍ଠାଙ୍କ କାରକୁ ମଧ୍ୟ ଯାଞ୍ଚ କରିଛି ତଦନ୍ତକାରୀ ଟିମ।
ରବିବାର ଦିନ ପ୍ରାୟ ୧୧ଟା ସମୟରେ କ୍ରାଇମ୍ ବ୍ରାଞ୍ଚ ଟିମ ସହ ଫରେନସିକ ଟିମ ଦୟାଲ ଆଶ୍ରମରେ ପହଞ୍ଚିଥିଲେ। ସାଙ୍ଗରେ ଥିଲେ ଆଶ୍ରମରେ କାମ କରୁଥିବା କେୟାରଟେକର। ପ୍ରାୟ ୩ ଘଣ୍ଟାର ଧରି ଆଶ୍ରମ ଭିତରେ ଓ ବାହାରେ ଖୋଳତାଡ଼ କରିଥିଲା ଟିମ। କେୟାରଟେକରଙ୍କ ବୟାନକୁ ଭିତ୍ତି କରି ତଦନ୍ତର ଦିଗ ଆଗକୁ ବଢ଼ାଇଥିଲା କ୍ରାଇମ୍ ବ୍ରାଞ୍ଚ।
ଯେହେତୁ ଘଟଣାକୁ ଅନେକ ଦିନ ବିତିଲାଣି ତେଣୁ, ଥ୍ରୀଡି ସ୍କାନରରେ ଛାନଭିନ କରିଥିଲା ତଦନ୍ତକାରୀ ଟିମ। ଆଶ୍ରମ ଚାରି ପାଖରେ ଘାସ ବୁଦା ଭିତରୁ କେୟାରଟେକରକୁ ଧରି ପ୍ରମାଣ ଖୋଜିଥିଲା କ୍ରାଇମ୍ ବ୍ରାଞ୍ଚ। ଶେଷରେ ଆଶ୍ରମ ଭିତରୁ ଜବତ ହେଲା ୪ଟି ଠେଙ୍ଗା। ତଦନ୍ତକାରୀକାରୀ ଟିମ ସନ୍ଦେହ କରୁଛି ସେହି ଠେଙ୍ଗାରେ ମାନସକୁ ପିଠି ପିଟି ହତ୍ୟା କରାଯାଇଥାଇ ପାରେ। ତେଣୁ ସେ ସବୁକୁ ଯାଞ୍ଚ ପାଇଁ ଫରେନସିକକୁ ପଠା ଯାଇଛି।
କ୍ରାଇମ୍ ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଥିଲେ, "ମାନସଙ୍କୁ ଯେଉଁଠି ହତ୍ୟା କରାଯାଇଥିଲା ସେହି ଆଶ୍ରମରେ ଆମ ଟିମ ତଦନ୍ତ କରିଛି। ସାଇଣ୍ଟିଫିକ ଓ ଥ୍ରୀଡି ସ୍କାନର ଜରିଆରେ ତଦନ୍ତ କରାଯାଇଛି। ଆଶ୍ରମର କେୟାରଟେକରଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଯେଉଁଠି ମାନସକୁ ହତ୍ୟା କରାଯାଇଥିଲା ସେ ସ୍ଥାନରୁ କିଛି ତଥ୍ୟ ପ୍ରମାଣ ଯୋଗାଡ଼ କରାଯାଇଛି। ପରେ ଆଶ୍ରମକୁ ସିଲ କରି ଦିଆଯାଇଛି। ସେହିପରି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ କାରକୁ ମଧ୍ୟ ଫରେନ୍ସିକ ଟିମ ଯାଞ୍ଚ କରିଛି।"
ଫେରାର ଥିବା ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ଜବତ କାରର ହୋଇଛି ଫରେନ୍ସିକ ଯାଞ୍ଚ। କାରଣ ସେହି କାରରେ ହିଁ ମାନସକୁ ଚାନ୍ଦବାଲିରୁ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଅପହରଣ କରି ଅଣା ଯାଇଥିଲା। ସେହିପରି ମାନସକୁ ହତ୍ୟା କରିବା ପରେ ମୃତ ଦେହକୁ କାରରେ ନୟାଗଡ଼ ରଣପୁର ନିଆଯାଇଥିଲା। ତେଣୁ କାରରୁ କ୍ରାଇମ୍ ବ୍ରାଞ୍ଚକୁ କିଛି କ୍ଲୁ ମିଳିବ ବୋଲି ଆଶା ରଖିଛି ତଦନ୍ତକାରୀ ସଂସ୍ଥା। ବିଶେଷ କରି ଯେଉଁମାନେ କାରରେ ବସିଥିଲେ ସେମାନଙ୍କର ଫିଙ୍ଗରପ୍ରିଣ୍ଟକୁ ସାଇଣ୍ଟିଫିକ ତରିକାରେ ତଦନ୍ତ ସାମ୍ପୁଲ କଲେକ୍ସନ କରୁଛି ତଦନ୍ତକାରୀ ଟିମ।
ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇକୁ ଧରିବା ପାଇଁ ରାଜ୍ୟ ବାହାରେ ଦୁଇଟି ଟିମ ଅଛି। ସେମାନେ ଯଦିଓ କେଉଁଠି ଅଛନ୍ତି ତାହା ଜଣା ପଡ଼ିନି ତଥାପି ଆମେ ବିଭିନ୍ନ ସ୍ଥାନରେ ଛାନଭିନ କରୁଛୁ। ସେମାନଙ୍କୁ ଧରିବା ପରେ ହତ୍ୟାର କାରଣ ଜଣା ପଡ଼ିବ ବୋଲି କହିଛନ୍ତି କ୍ରାଇମ୍ ବ୍ରାଞ୍ଚ ଏଡିଜି ପଣ୍ଡା।
ସୂଚନାଯୋଗ୍ୟ, ପ୍ରଥମେ ଅପହରଣ ସ୍ପଟ ଏବେ କ୍ରାଇମ ସ୍ପଟରେ ଖୋଳତାଡ଼ କରିଛି କ୍ରାଇମ୍ ବ୍ରାଞ୍ଚ। ଖୁବ୍ ଶୀଘ୍ର ନୟାଗଡ ଯାଇ ମାନସକୁ ପୋତିଥିବା ସ୍ଥାନରେ ସାଇଣ୍ଟିଫିକ ଉପାୟରେ ତଦନ୍ତ କରାଯିବ ବୋଲି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।
ସେପଟେ ଏହି ଘଟଣାରେ ଆହୁରି ଅନେକ ପ୍ରମାଣ ଆବଶ୍ୟକ ରହିଥିବାରୁ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।