News18 Odia Digital
Naba Das Murder Case: ନବ ଦାସଙ୍କୁ ହତ୍ୟାକାଣ୍ଡକୁ (Naba Das Murder Case) ମାସେ ପୂରିବାକୁ ଯାଉଛି। ଏହି ହତ୍ୟାକାଣ୍ଡ ଭିଆଇଥିବା ଗୋପାଳ (Gopal Das) ମଧ୍ୟ ପୋଲିସ କବଜାରେ ରହିଛନ୍ତି। କିନ୍ତୁ ଲମ୍ବା ସମୟର ତଦନ୍ତ ପରେ ମଧ୍ୟ ଏହି ମାମଲାର ପର୍ଦ୍ଦାଫାସ କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ କ୍ରାଇମବ୍ରାଞ୍ଚ (Crime Branch)।
ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା ହେଉ କି ନୟାଗଡ ପରୀ କିମ୍ବା ମମିତା ମେହେର ଅବା କେନ୍ଦ୍ରାପଡ଼ାର ଆତ୍ମଘୋଷିତ ବାବା ସାରଥି ମାମଲା। ଏସବୁ ବହୁ ଚର୍ଚ୍ଚିତ ହତ୍ୟା ମାମଲାଗୁଡ଼ିକର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା କ୍ରାଇମବ୍ରାଞ୍ଚ, ନବ ଦାସ ହତ୍ୟା ମାମଲା ସମସ୍ତ ପ୍ରମାଣ ଥାଇ ମଧ୍ୟ ଏହି ମାମଲା ଉପରୁ କାହିଁକି ପରଦା ଉଠାଇ ପାରୁନାହିଁ ତାକୁ ନେଇ ଥମୁନି ଚର୍ଚ୍ଚା।
ପାର୍ସଲ ବୋମା ବିସ୍ଫୋରଣ୨୦୧୮ ଫେବୃଆରି ୨୩। ପାଟଣାଗଡ଼ ଠାରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ। ଏଥିରେ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମାଆଙ୍କର ମୃତ୍ୟୁ ହୋଇଥିବା ବେଳେ ସୌମ୍ୟଙ୍କ ନବ ବିବାହିତା ପତ୍ନୀ ସୀମାରାଣୀ ଗୁରୁତର ଭାବେ ଆହତ ହୋଇଥିଲେ। ମାମଲାର ତଦନ୍ତ ଆରମ୍ଭରୁ କୌଣସି ସୁରାକ ପାଉନଥିବା କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ଶେଷରେ ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲକୁ ଧରିବାରେ ସଫଳ ହୋଇଥିଲା।
ପରୀ ହତ୍ୟା ମାମଲାସେହିଭଳି ଆଉ ଏକ ଚର୍ଚ୍ଚିତ ମାମଲା ଥିଲା ନୟାଗଡ଼ ପରୀ ହତ୍ୟା ମାମଲା। ନୟାଗଡ଼ ଯଦୁପୁର ଗାଁର ୫ ବର୍ଷୀୟା ଶିଶୁ ପରୀକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ୨୦୨୦ ଜୁନ ୧୪ ତାରିଖରୁ ନିଖୋଜ ଥିବା ପରୀର ମୃତଦେହ ଜୁନ ୨୩ ତାରିଖ ଦିନ ଘର ପଛ ପଟେ ଥିବା ଏକ ପୋଖରୀ ହୁଡ଼ାରେ ପେତାଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେହି ମାମଲାରେ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ ପୋଲିସକୁ କୌଣସି ସୁରାକ ମିଳିନଥିଲା। କିନ୍ତୁ ତଦନ୍ତ କରି ଶେଷରେ ଅଭିଯୁକ୍ତ ସରୋଜ ସାହୁକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।
ପଢ଼ନ୍ତୁ ଏହି ଖବର:
ବିବାହ ଦିନ ଚାଲିଗଲା କନ୍ୟାର ଜୀବନ; ସାନ ଭଉଣୀକୁ ବାହା ହେଲା ବରମମିତା ମେହେର ହତ୍ୟା ମାମଲାଅନ୍ୟ ଏକ ଚର୍ଚ୍ଚିତ ହତ୍ୟା ମାମଲା ଥିଲା ୨୦୨୧ ଅକ୍ଟୋବରରେ ଘଟିଥିବା ମମିତା ମେହେର ହତ୍ୟାକାଣ୍ଡ। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ଥିବା ଏକ ସ୍କୁଲର ଶିକ୍ଷୟତ୍ରୀ ମମିତା ଅକ୍ଟୋବର ୮ରେ ନିଖୋଜ ହୋଇଯାଇଥିଲେ। ମମିତାଙ୍କୁ ହତ୍ୟା କରାଯାଇ ସମ୍ପୃକ୍ତ ସ୍କୁଲ ପରିସରରେ ନିର୍ମାଣାଧିନ ଷ୍ଟାଡିୟମ ପରିସର ପୋତି ଦିଆଯାଇଥିଲା। ଏହି ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁକୁ ଗିରଫ କରିଥିଲା।
ଅଭିମନ୍ୟୁ ସାହୁ ହତ୍ୟା ମାମଲାଆଉ ଏକ ଚର୍ଚ୍ଚିତ ଘଟଣା ମଧ୍ୟରେ ରହିଛି ଟିଟଲାଗଡର ବିଜେଡି ନେତା ତଥା ବର୍ତ୍ତମାନର ମନ୍ତ୍ରୀ ଟୁକୁନି ସାହୁଙ୍କ ସ୍ବାମୀ ଅଭିମନ୍ୟୁ ସାହୁଙ୍କ ହତ୍ୟା। ୨୦୧୩ ଡିସେମ୍ବର ୧୫ ତାରିଖରେ ପ୍ରାତଃ ଭ୍ରମଣରେ ବାହାରିଥିବା ଅଭିମନ୍ୟୁଙ୍କୁ ଗାଡ଼ି ଚଢ଼ାଇବା ସହ ମରାଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହି ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଆଲୋକ ଦାସ ସହ ମୋଟ ୪ ଜଣଙ୍କୁ ଗିରଫ କରିଥିଲା।
ସାରଥି ମାମଲାସେହିଭଳି ଆଉ ଏକ ଚର୍ଚ୍ଚିତ ମାମଲା ଥିଲା କେନ୍ଦ୍ରାପଡ଼ାର ଆତ୍ମଘୋଷିତ ବାବା ସନ୍ତୋଷ ରାଉଳ ଓରଫ୍ ସାରଥୀ ମାମଲା। କେନ୍ଦ୍ରାପଡ଼ା ବାରିମୂଳଠାରେ ଆଶ୍ରମ କରିଥିବା ସାରଥି ବାବା ନାଁରେ ୨୦୧୫ ଅଗଷ୍ଟରେ ଆସିଥିଲା ସାଙ୍ଘାତିକ ଅଭିଯୋଗ। ବେଆଇନ ଅର୍ଥ କାରବାର, ବ୍ୟଭିଚାର, ଠକେଇ ଏବଂ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଭଳି ଅନେକ ଅଭିଯୋଗ ଆସିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।
ଫଳସ୍ବରୂପ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଏହି ସମସ୍ତ ଅଭିଯୋଗର ତଦନ୍ତ କରିବା ସହ ସାରଥୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଏହି ୪ଟି ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ନା ଥିଲେ ସାକ୍ଷୀ ନା ଥିଲା ଆଖି। ତଥାପି ବିଭିନ୍ନ ପ୍ରକାର ବୈଷୟିକ ଜ୍ଞାନ କୌଶଳକୁ ପ୍ରୟୋଗ କରି ଓଡ଼ିଶା କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ପାଖରେ ପହଞ୍ଚିବା ସହ ହତ୍ୟାକାଣ୍ଡ ପଛର କାରଣ ଖୋଜି ପାଇଥିଲା।
ହେଲେ ବିଡମ୍ବନାର ବିଷୟ ଯେ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କେବଳ ଆଖୀ ଓ ସାକ୍ଷୀ ନୁହେଁ ବରଂ ଗଣ୍ଡାଗଣ୍ଡା ପ୍ରମାଣ ରହିଛି। ନିଜେ ଅଭିଯୁକ୍ତ ମଧ୍ୟ ଦୋଷ ସ୍ବୀକାର କରୁଛି। ତଥାପି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଖୋଜି ପାଇବା ତ ଦୂରର କଥା। ଅଭିଯୁକ୍ତ ଜଣେ ମାନସିକ ବିକୃତ ନା ସୁସ୍ଥ ମସ୍ତିସ୍କଧାରୀ ତାହା ଜାଣି ପାରୁ ନାହିଁ ରାଜ୍ୟର ସର୍ବବୃହତ ଅପରାଧ ତଦନ୍ତକାରୀ ସଂସ୍ଥା।
ପରିସ୍ଥିତି ଏପରି ହୋଇଛି ଯେ, ଗୋପାଳଙ୍କ ମନ କଥା ବୁଝିବା ଲାଗି କ୍ରାଇମବ୍ରାଞ୍ଚକୁ ଆମେରିକାରର ତଦନ୍ତକାରୀ ସଂସ୍ଥା ଏଫବିଆଇ (FBI) ସାହାଯ୍ୟ ଲୋଡ଼ା ପଡିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।