News18 Odia Digital
କଟକ: ବହୁ ଚର୍ଚ୍ଚିତ ଦୁଇ ଋଷିୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ଗୋଟିଏ ଦିନ ରାୟଗଡ଼ା ଯାଇ ସରଜମିନ ତଦନ୍ତ ଜାରି ରଖିଛିଥିବା ବେଳେ ଅନ୍ୟ ଟିମ ମୁଖ୍ୟାଳୟରେ ରହି ଏପର୍ଯ୍ୟନ୍ତ ସଂଗୃହିତ ତଥ୍ୟ ଓ ପ୍ରମାଣ ଗୁଡ଼ିକୁ ଅନୁଧ୍ୟାନ କରୁଛନ୍ତି।
ବିଶେଷ କରି ରାୟଗଡ଼ା ଯାଇଥିବା ଟିମ ନିଜ ସାଥିରେ ଥିବା ସାଇଣ୍ଟିଫିକ ଟିମ ଜରିଆରେ ଛାନବିନ ଆରମ୍ଭ କରିଛି। ଶୁକ୍ରବାର ଦିନ ଏହି ଟିମ ପାବେଲ ଆଣ୍ଟୋଭଙ୍କ ମୃତଦେହ ପଡ଼ିଥିବା ସ୍ଥାନର ଅନୁଧ୍ୟାନ କରିବା ସହ ଘଟଣାସ୍ଥଳର ଫଟୋ ମଧ୍ୟ ଉଠାଇ ସେହି ସ୍ଥାନ ଏକ ନକ୍ସା ମଧ୍ୟ ପ୍ରସ୍ତୁତ କରିଛନ୍ତି। ଘଟଣା ସ୍ଥଳରୁ ପାବେଲ ବ୍ୟବହାର କରୁଥିବା ଏକ ଚପଲକୁ ମଧ୍ୟ ଜବତ କରାଯାଇଛି।
ଗତ ୨୧ ତାରିଖରେ ପାବେଲ ଓ ଭ୍ଲାଦିମିର ରାତ୍ରିଯାପନ କରିଥିବା ୨୦୩ ନମ୍ବର ରୁମର ଯାଞ୍ଚ ମଧ୍ୟ କରିଛି କ୍ରାଇମବ୍ରାଞ୍ଚ ଟିମ। ଏହି ରୁମରୁ ଚପଲ ସହିତ କାଚ ଗ୍ଲାସ ଓ ଅନ୍ୟାନ୍ୟ ସ୍ଥାନରେ ଲାଗିଥିବା ଫିଙ୍ଗର ପ୍ରିଣ୍ଟଗୁଡ଼ିକୁ ମଧ୍ୟ ସଂଗ୍ରହ କରାଯାଇଛି। ଏହା ବ୍ୟତୀତ ୨୨ ତାରିଖ ଦିନ ପାବେଲ ଏକାକି ରାତ୍ରିଯାପନ କରିଥିବା ୩୦୯ ନମ୍ବର ରୁମକୁ ମଧ୍ୟ ଯାଞ୍ଚ କରିଛି ତଦନ୍ତକାରୀ ଦଳ।
ସେହି ରୁମରେ ଥିବା କିଛି ଗ୍ଲାସ ଓ ପାଣି ବୋତଲ ଜବତ ହୋଇଛି। ସେହି ସାମଗ୍ରୀ ଗୁଡ଼ିକରେ କିଛି ଫ୍ରିଙ୍ଗର ପ୍ରିଣ୍ଟ ଥିବା ନେଇ ଅନୁମାନ କରୁଛି କ୍ରାଇମବ୍ରାଞ୍ଚ। ଏହା ସହିତ ରାୟଗଡ଼ା ଏସଡିପିଓ ଓ ରାୟଗଡ଼ା ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛି ଟିମ। ବିଶେଷ କରି ଉଭୟ ପାବେଲ ଓ ଭ୍ଲାଦିମିରଙ୍କ ମୃତ୍ୟୁ ସମ୍ପର୍କିତ ଏବଂ ସ୍ଥାନୀୟ ପୋଲିସ ଦ୍ବାରା ପୂର୍ବରୁ ସଂଗୃହିତ ପ୍ରମାଣଗୁଡ଼ିକୁ ନେଇ ମଧ୍ୟ ନେଇ ଆଲୋଚନା ହୋଇଛି।
ଏହାରି ଭିତରେ ଭ୍ଲାଦିମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ସହଯାତ୍ରୀ ତଥା ଋଷିୟ ଦମ୍ପତି ପାନ ସେଙ୍କୋ ଓ ଟୁରଭୋ ଓ ସେମାନଙ୍କ ଟୁର ଗାଇଡ ଜିତେନ୍ଦ୍ର ସିଂଙ୍କୁ ନିଜ ହେଫାଜତକୁ ନେଇ ଚତୁର୍ଥ ଦିନ ଲାଗି ଜେରା ଜାରି ରଖିଛି କ୍ରାଇମବ୍ରାଞ୍ଚ।
ଶୁକ୍ରବାର ଦିନ ନିଜେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ସିହ୍ନା ଏହି ଋଷିୟ ଦମ୍ପତିଙ୍କୁ ଜେରା କରିଥିଲେ। ଏହି ଦମ୍ପତ୍ତି ଶୁକ୍ରବାର ସକାଳ ପ୍ରାୟ ୧୧ଟା ବେଳେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଁଚିବା ପରେ ସୋମନଙ୍କୁ ଜେରା ଆରମ୍ଭ ହୋଇଯାଇଥିଲା। ବିଭିନ୍ନ ପର୍ଯ୍ୟାୟରେ ସନ୍ଧ୍ୟା ପର୍ଯ୍ୟନ୍ତ ଜେରା ଜାରି ରଖିଥିଲେ ଆଇଜି।
ଏହାରି ଭିତରରେ ଋଷିୟ ଦମ୍ପତିଙ୍କୁ ଜେରା କରିବା ପାଇଁ ଜଣେ ଅନୁବାଦଙ୍କୁ ନିୟୋଜିତ କରିଛି କ୍ରାଇମବ୍ରାଞ୍ଚ ଟିମ। ସେପଟେ ଭ୍ଲାଦିମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ପରିବାର ଲୋକଙ୍କ ସହିତ କ୍ରାଇମବ୍ରାଞ୍ଚ ଟିମ ଯୋଗାଯୋଗ ସ୍ଥାପନ କରିବା ସହ ପୂରା ଘଟଣାକୁ ନେଇ ସେମାନଙ୍କ ସହିତ ଆଲୋଚନା ମଧ୍ୟ କରିଛି। କେବଳ ସେତିକି ନୁହେଁ ଶୁକ୍ରବାର ଦିନ ଉଭୟଙ୍କ ବୟାନ ରେକର୍ଡ କରାଯିବା ସହ ଏହାର ଭିଡ଼ିଓଗ୍ରାଫି ମଧ୍ୟ ହୋଇଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।