News18 Odia Digital
କଟକ: ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ଜାରି ରହିଛି କ୍ରାଇମବ୍ରାଞ୍ଚ ତଦନ୍ତ। ଏହି ବହୁ ଚର୍ଚ୍ଚିତ ମୃତ୍ୟୁ ମାମଲାରେ ଗତ ୫ ଦିନ ହେଲା ତନାଘନା ଜାରି ରଖିଛି ଓଡ଼ିଶା ପୋଲିସର ଅପରାଧ ଶାଖା।
ତେବେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଓ ମୃତ୍ୟୁ ପଛର କାରଣକୁ ନେଇ ରାଜ୍ୟ ତମାମ ଆଲୋଚନା ଚାଲିଥିବା ବେଳେ ଏହାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ପ୍ରମାଣ ଏହା ଏକ ଆତ୍ମହତ୍ୟା ବୋଲି ଇଙ୍ଗିତ କରୁଛି।
କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ବିଭିନ୍ନ କାରଣକୁ ନେଇ ଗୋବିନ୍ଦ ଗଭୀର ମାନସିକ ଅବସାଦ ମଧ୍ୟରେ ଥିଲେ ଏବଂ ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ନେଇ ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ଆସନ୍ତୁ ନଜର ପକାଇବା କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା କାରଣ ଗୁଡ଼ିକ ଉପରେ...କାରଣ ନମ୍ବର ୧: କୋର୍ଟରେ ବାରମ୍ବାର ଜାମିନ ଆବେଦନ ଖାରଜ ହେବା ପରେ ଜାମିନ ପାଇବା ଆଶା ମଉଳି ଯିବା।
କାରଣ ନମ୍ବର ୨: ଦୋଷୀ ସାବ୍ୟସ୍ତ ହେଲେ ସାରା ଜୀବନ ଜେଲ ହାଜତରେ କଟିବାର ଭୟ।
କାରଣ ନମ୍ବର ୩: ପୂର୍ବରୁ ନିଜ ପରିବାର ଲୋକଙ୍କ ସହ ଗୋବିନ୍ଦଙ୍କ ସମ୍ପର୍କ ଭଲ ନରହିବା ବେଳେ ମମିତା ମେହେର ହତ୍ୟା ମାମଲାରେ ଗିରଫ ହେବା ସମ୍ପର୍କ ଆହୁରି ଖରାପ ହେବା।
କାରଣ ନମ୍ବର ୪: ଗିରଫଦାରୀ ପରେ ଗୋବିନ୍ଦଙ୍କ ପରିବାର ଲୋକେ ସାମାଜିକ ସ୍ତରରେ ନିନ୍ଦିତ ହେବା ଏବଂ ପାରିବାରିକ ଅଶାନ୍ତି ପାଇଁ ଗୋବିନ୍ଦ ନିଜେ ନିଜକୁ ଦାୟୀ କରିବା।
କାରଣ ନମ୍ବର ୫: ସାକ୍ଷୀଙ୍କ ପ୍ରଭାବିତ କରିବା ପାଇଁ ଗୋବିନ୍ଦ ନିୟୋଜିତ କରିଥିବା ତାଙ୍କର ଭଣଜା ଓ କର୍ମଚାରୀ ଗିରଫ ହୋଇ ସମାନ ଜେଲରେ ରହିଥିଲେ। ସେମାନେ କାଳେ ପ୍ରତିଶୋଧ ନେବେ ସେହି ଆଶଙ୍କା ମଧ୍ୟ ଗୋବିନ୍ଦଙ୍କୁ ଘାରୁଥିଲା।
ଏହା ବ୍ୟତୀତ ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ଟିମ ଆଉ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି। ଆତ୍ମହତ୍ୟା ସ୍ଥଳକୁ ନେଇ ମଧ୍ୟ ନିଜର ପକ୍ଷର ରଖିଛି କ୍ରାଇମବ୍ରାଞ୍ଚ। ବିଶେଷ କରି ଗୋବିନ୍ଦ ଆତ୍ମହତ୍ୟା କରିଥିବା ସ୍ଥାନଟି ସିସିଟିଭି ସର୍ଭେଲାନ୍ସରେ ଥିଲା କିନ୍ତୁ ଏକ ଝଙ୍କାଳିଆ ଗଛର ଆଢୁଆଳ ପାଇଁ ସେହି ସ୍ଥାନଟିକୁ ସିସିଟିଭି କଭର କରି ପାରିନଥିଲା। ଏନେଇ ଗୋବିନ୍ଦ ପୂର୍ବରୁ ଜାଣିଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ।
ଏହା ସହ ଆତ୍ମହତ୍ୟା ପୂର୍ବରୁ ଗୋବିନ୍ଦ ସେହି ସ୍ଥାନଟିକୁ ପୂର୍ବରୁ ନିର୍ଦ୍ଧାରିତ କରିଥିଲା ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରୁଛି କ୍ରାଇମବ୍ରାଞ୍ଚ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।