ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକର ଅଭିମନ୍ୟୁଙ୍କୁ ପ୍ରଶଂସା କଲେ କ୍ରିକେଟର ଭି. ଭି. ଏସ ଲକ୍ଷ୍ମଣ; ନିଃସ୍ୱାର୍ଥପର ସେବା ପାଇଁ କଲେ ସଲାମ

କଟକର ଅଭିମନ୍ୟୁଙ୍କୁ ପ୍ରଶଂସା କଲେ କ୍ରିକେଟର ଭି. ଭି. ଏସ ଲକ୍ଷ୍ମଣ; ନିଃସ୍ୱାର୍ଥପର ସେବା ପାଇଁ କଲେ ସଲାମ

କଟକର ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ନିଜ ଟ୍ୱିଟର ମାଧ୍ୟମରେ ଟ୍ୱିଟ କରି ପ୍ରଶଂସା କରିବା ସହ ସଲାମ କରିଛନ୍ତି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଭି. ଭି. ଏସ. ଲଷ୍ମଣ।

କଟକର ଅଭିମନ୍ୟୁଙ୍କୁ ପ୍ରଶଂସା କଲେ କ୍ରିକେଟର ଭି. ଭି. ଏସ ଲକ୍ଷ୍ମଣ; ନିଃସ୍ୱାର୍ଥପର ସେବା ପାଇଁ କଲେ ସଲାମ
ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ଟ୍ୱିଟ କରି ପ୍ରଶଂସା କଲେ କ୍ରିକେଟର ଲକ୍ଷ୍ମଣ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 9, 2021, 5:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକର ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ନିଜ ଟ୍ୱିଟର ମାଧ୍ୟମରେ ଟ୍ୱିଟ କରି ପ୍ରଶଂସା କରିବା ସହ ସଲାମ କରିଛନ୍ତି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଭି. ଭି. ଏସ. ଲଷ୍ମଣ। ତାଙ୍କର ନିଃସ୍ୱାର୍ଥପର ସେବା ମନୋବୃତ୍ତି ଯୋଗୁଁ ତାଙ୍କୁ ସମ୍ମାନ ଜଣାଇଛନ୍ତି କ୍ରିକେଟର ଲକ୍ଷ୍ମଣ।

ଭି. ଭି. ଏସ କହିଛନ୍ତି," କଟକର ୫୦ ବର୍ଷୀୟ ଅଭିମନ୍ୟୁ ଜଣେ ବହି ବନ୍ଧାଳି ହୋଇ ଯେଉଁଭଳି ଭାବେ ଅଜଣା ଓ ଅପରିଚିତ ମୃତକମାନଙ୍କୁ ସମ୍ମାନ ଜଣାଇ ନିଃସ୍ୱାର୍ଥପର ଭାବେ ସେମାନଙ୍କ ଶବଦାହ କରୁଛନ୍ତି ଓ ହଜାର ହଜାର ବାସହୀନ, ନିରାଶ୍ରୟ କ୍ୟାନ୍ସର ପୀଡ଼ିତ ରୋଗୀ ମାନଙ୍କ ସେବା ଶୁଶ୍ରୁଷା କରୁଛନ୍ତି ତାଙ୍କର ଏଭଳି ନିଃସ୍ୱାର୍ଥପର ସେବାକୁ ସଲାମ ଜଣାଉଛି"।

ଟ୍ୱିଟରରେ ଅଭିମନ୍ଯୁଙ୍କୁ ପ୍ରଶଂସା କରିଛନ୍ତି କ୍ରିକେଟର ଲକ୍ଷ୍ମଣ (ପ୍ରତୀକାତ୍ମକ ଛବି)


ପୂର୍ବରୁ ଅଭିମନ୍ୟୁଙ୍କୁ ଅନେକ ପ୍ରଶଂସା ମିଳିଥିଲେ ମଧ୍ୟ ଏତେ ବଡ ସ୍ୱୀକୃତି ମିଳି ନ ଥିଲା। ଭି.ଭି.ଏସଙ୍କ ଟ୍ୱିଟ ପରେ ଏବେ ଦେଶ ବିଦେଶରୁ ଅଭିମନ୍ୟୁଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ପୂର୍ବରୁ ଜିଲ୍ଲା ପ୍ରଶାସନ, ଓ ମହାନଗର ନିଗମ ଅଭିମନ୍ୟୁଙ୍କୁ ସମ୍ମାନ ପ୍ରଦାନ କରିଥିଲା ବେଳେ ୨୦୧୫ ମସିହା ପୋଲିସ ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

୧୯୮୭ ମସିହାରୁ କଟକରେ ରହୁଥିବା ଅଭିମନ୍ୟୁ କହନ୍ତି ଯେ ୨୦୦୪ ମସିହାରୁ ସେ ଦୁଃଖୀରଙ୍କି ,ବାସହୀନ ଓ ନିରାଶ୍ରୟଙ୍କ ସେବା ଶୁଶ୍ରୁଷା କରିଆସୁଛନ୍ତି।୨୦୦୨ ମସିହାରେ ଏକ ସଡକ ଦୁର୍ଘଟଣାରେ ଯେତେବେଳେ ଅଭିମନ୍ୟୁଙ୍କ ଡାହାଣ ଗୋଡ଼ଟି ଗୁରୁତର ଭାବେ ଭାଙ୍ଗି ଯାଇଥିଲା ସେ ସମୟରେ ସେ ୮ ରୁ ୯ ମାସ ପର୍ୟ୍ଯନ୍ତ ଶଯ୍ୟାଶାୟୀ ହୋଇ ରହିଥିଲେ, ସେହି ସମୟରେ ସେ ବିଭିନ୍ନ ଖବରକାଗଜରୁ ପଢିଥିଲେ କିଭଳି ଭାବରେ ଅନେକ ଅସହାୟ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ଯାହା ପରେ ତାଙ୍କୁ ସମାଜସେବା ଆଡକୁ ଟାଣି ନେଇଥିଲା। ଧୀରେ ଧୀରେ ସେ କଟକ ବଡ ଡାକ୍ତରଖାନା ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅସହାୟ ରୋଗୀମାନଙ୍କୁ ସାହାଯ୍ୟ ସହଯୋଗ କରିବା ଆରମ୍ଭ କରିଦେଲେ।

ଅସହାୟଙ୍କୁ ସାହାଯ୍ଯ କରନ୍ତି ଅଭିମନ୍ଯୁ (ପ୍ରତୀକାତ୍ମକ ଛବି)


ଅଭିମନ୍ୟୁ କୁହନ୍ତି ଆଜିଯାଏ ସେ ୧୦ ହଜାରରୁ ଅଧିକ ଅଜଣା , ଅପରିଚିତ ରୋଗୀଙ୍କ ସେବା ପ୍ରଦାନ କରିଛନ୍ତି। ଖାଲି ସେତିକି ନୁହେଁ ବରଂ  ପାଖାପାଖି ୧୩ ଶହ ପରିଚିତ  ଓ ଅପରିଚିତ ମୃତକମାନଙ୍କ ଶବଦାହ ମଧ୍ୟ୍ୟ କରିସାରିଛନ୍ତି। ପେସାରେ ଅଭିମନ୍ୟୁ ଜଣେ ବହି ବନ୍ଧାଳି । ନିଜ ବାପାଙ୍କ ଏକ ପୁରୁଣା ପ୍ରେସ ଥିଲା,ଯେଉଁଥିରେ ବୁକ ବାଇଣ୍ଡିଙ୍ଗ ମେସିନ ବି ଥିଲା, ଯାହା ଆଜି ଅଭିମନ୍ୟୁଙ୍କ ରୋଜଗାରର ମାଧ୍ୟମ।ତେବେ ଯେତେଦିନ ଯାଏ ବଞ୍ଚିଥିବି ଶେଷ ପର୍ଯ୍ୟନ୍ତ ଗରିବ ଅସହାୟମାନଙ୍କୁ ସାହାଯ୍ୟ ଓ ସେବା ପ୍ରଦାନ କରିବେ ବୋଲି କହିଛନ୍ତି ଅଭିମନ୍ୟୁ ।

ଅଭିମନ୍ୟୁଙ୍କଠାରୁ ପ୍ରେରଣା ପାଇ କଟକର ଅନ୍ୟତମ ସମାଜସେବୀ ବସନ୍ତ କୁମାର ସେଠୀ କହିଛନ୍ତି,"ଯାହାର କେହି ନାହାନ୍ତି ତାର ଅଭିମନ୍ୟୁ ଭାଇ ଅଛନ୍ତି। ଅଭିମନ୍ୟୁ ଖାଲି କଟକ ନୁହେଁ ବରଂ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ବେସାହାରା ରୋଗୀ ଯେଉଁମାନେ ଡାକ୍ତରଖାନାକୁ ଆସନ୍ତି, ସେମାନଙ୍କୁ ସେବା ଯୋଗାଇ ଦେଇଥାନ୍ତି ଅଭିମନ୍ୟୁ। ଆଜି ମୁଁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେହି ରାସ୍ତାରେ ଆଉ ପାଦେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି"।
Published by: Soumya Das
First published: November 9, 2021, 5:01 PM IST