ଓଡ଼ିଶାରେ ମୃତ୍ୟୁହାର ରୋକିବା ପାଇଁ ପୋଲିସ ଓ ପରିବହନ ଅଧିକାରୀଙ୍କୁ ଦିଆଗଲା ତାଲିମ

ସଡ଼କ ଦୁର୍ଘଟଣାରେ ଗତ ୧୦ ବର୍ଷରେ ଗଲାଣି ୪୫,୦୦୦ ଜୀବନ। ଦୁର୍ଘଟଣାର କାରଣ ଖୋଜିବା ସହ ମୃତ୍ୟୁହାର ରୋକିବା ପାଇଁ ପୋଲିସ ଓ ପରିବହନ ଅଧିକାରୀଙ୍କୁ ଦିଆଗଲା ତାଲିମ।

ଡ଼ିଶାରେ ମୃତ୍ୟୁହାର ରୋକିବା ପାଇଁ ପୋଲିସ ଓ ପରିବହନ ଅଧିକାରୀଙ୍କୁ ଦିଆଗଲା ତାଲିମ

ଡ଼ିଶାରେ ମୃତ୍ୟୁହାର ରୋକିବା ପାଇଁ ପୋଲିସ ଓ ପରିବହନ ଅଧିକାରୀଙ୍କୁ ଦିଆଗଲା ତାଲିମ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ପ୍ରତିଦିନ ହାରାହାରି ସଡ଼କ ଦୁର୍ଘଟଣାରେ ୧୬ରୁ ଅଧିକ ଜୀବନ ଯାଉଛି। ଅନେକ ପଦକ୍ଷେପ ପରେ ବି ଦୁର୍ଘଟଣା ହ୍ରାସ ପାଉନି। ଯାହାକୁ ନେଇ ପରିବହନ ବିଭାଗର ଚିନ୍ତା ବଢ଼ିଚାଲିଛି। ଗତ ୧୦ ବର୍ଷରେ ଦୁର୍ଘଟଣାରେ ଗଲାଣି ୪୫.୦୦୦ ଜୀବନ।

ଦୁର୍ଘଟଣା ଜନିତ ମୃତ୍ୟୁ ହାର ୫୦ ପ୍ରତିଶତ କମାଇବା ନେଇ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଥିଲେ ବି ୨୦୧୪-୨୦୨୧ ମଧ୍ୟରେ ୨୯ ପ୍ରତିଶତ ମୃତ୍ୟୁହାର ବଢ଼ିଛି।

୨୦୨୦ ତୁଳନାରେ ୨୦୨୧ରେ ଦୁର୍ଘଟଣାରେ ମୃତ୍ୟୁହାର ୭.୨୪ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୧ରେ ରାଜ୍ୟରେ ୧୦,୯୮୪ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ୫ ହଜାର ୮୧ ଜଣଙ୍କ ମୃତ୍ୟୁ ହୋଇଛି।

ଅନେକ ପଦକ୍ଷେପ ପରେ ବି ଦୁର୍ଘଟଣା ଜନିତ ମୃତ୍ୟୁ କମୁନଥିବାରୁ ଉଦବେଗ ପ୍ରକାଶ କରିଛି ପରିବହନ ବିଭାଗ। ଆଗାମୀ ଦିନରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁସାରେ ୫୦ ପ୍ରତିଶତ ମୃତ୍ୟୁହାର କମାଇବା ନେଇ ପ୍ରୟାସ ଆରମ୍ଭ କରିଛି ପରିବହନ ବିଭାଗ। ସୋମବାରଠୁ ପୋଲିସ ଓ ଟ୍ରାନ୍ସପୋର୍ଟ ଅଧିକାରୀଙ୍କ କ୍ରାଶ ଇନଭେଷ୍ଟିଗେସନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଟ ୭୦ ଜଣଙ୍କୁ ତାଲିମ ଦିଆଯାଇଥିବା ବେଳେ ୫୦ ଜଣ ପୋଲିସ ଓ ୨୦ ଜଣ ପରିବହନ ଅଧିକାରୀ ସାମିଲ ହୋଇଥିଲେ। ଦୁର୍ଘଟଣା କାହିଁକି ଘଟୁଛି ତାହାର ସଠିକ ତଦନ୍ତ କରିବା ସହ ବୈଜ୍ଞାନିକ ପ୍ରଣାଳୀରେ ଦୁର୍ଘଟଣା ରୋକିବାକୁ ତାଲିମ ଦିଆଯାଇଛି। କାହିଁକି ଘଟୁଛି ଦୁର୍ଘଟଣା, ଏଥିପାଇଁ ଦାୟୀ କିଏ ଭଳି ଦିଗର ତଦନ୍ତ କରିବା ସହ ସାମଗ୍ରିକ ତଦନ୍ତ ସହ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ତାଲିମ ଦିଆଯାଇଛି।

ତିନୋଟି ପର୍ଯ୍ୟାୟରେ ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ତାଲିମ ଦିଆଯିବ। ସଡ଼କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଛା ବଛା କିଛି ପୋଲିସ ଓ ପରିବହନ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଲୋକଙ୍କ ସୁବିଧା ଦୃଷ୍ଟିରୁ ପରିବହନ ବିଭାଗ ୱେବ ସାଇଟକୁ ବି ଅପଗ୍ରେଡ୍ କରାଯାଇଛି।

କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ପୋଲିସ ଡିଜି, ବାଣିଜ୍ୟ ଓ ପରିବହନ ବିଭାଗ ସଚିବ, ପରିବହନ କମିଶନର, ପୋଲିସ କମିଶନର ପ୍ରମୁଖ ଉପସ୍ଥିତ ଥିଲେ।।

୨୦୧୪ ରୁ ୨୦୨୧ ମଧ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁହାର ୨୯ ପ୍ରତିଶତ ବଢ଼ିଥିବା ବେଳେ ୨୦୨୦ ତୁଳନାରେ ୨୦୨୧ ରେ ୭.୨୪ ପ୍ରତିଶତ ବଢ଼ିଛି। ବିଶେଷ କରି ଗଜପତି, ଝାରସୁଗୁଡ଼ା, ବୌଦ୍ଧ ଓ ରାୟଗଡ଼ାରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧି ହୋଇଛି।

ଗଜପତିରେ ସର୍ବାଧିକ ୩୨.୫୬ ପ୍ରତିଶତ ମୃତ୍ୟୁ ହାର ବଢିଥିବା ବେଳେ, ଝାରସୁଗୁଡ଼ାରେ ୨୯.୦୩ ପ୍ରତିଶତ। ସେହିପରି ବୌଦ୍ଧରେ ୨୮.୫୭ ପ୍ରତିଶତ, ରାୟଗଡ଼ାରେ ୨୬.୬୭ ପ୍ରତିଶତ ମୃତ୍ୟୁ ହାର ବଢ଼ିଛି।

ତେବେ ନୟାଗଡରେ ୨୦୨୦ ତୁଳନାରେ ୨୦୨୧ରେ ସର୍ବନିମ୍ନ ୧୨.୫୦ ପ୍ରତିଶତ ରହିଛି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ସୁପ୍ରିମ କୋର୍ଟ ତାଗିଦ କରିଛନ୍ତି ଦୁର୍ଘଟଣା ଜନିତ ମୃତ୍ୟୁହାର ୫୦ ପ୍ରତିଶତ କମାଇବାକୁ। ଏନେଇ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ତେବେ କେଉଁ କାରଣ ପାଇଁ ଦୁର୍ଘଟଣା ଘଟୁଛି କିପରି ଭାବେ ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରି ରୋକି ହେବ ସେ ସଂକ୍ରାନ୍ତରେ ତାଲିମ ଦିଆଯାଇଛି। ଆଗାମୀ ଦିନରେ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।
Published by:Lipina Das
First published: