News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଥିବା ଏକ ଲେଡିଜ ହଷ୍ଟେଲରେ ଆତଙ୍କରାଜ । ହଷ୍ଟେଲ ଯୁବତୀଙ୍କୁ କମେଣ୍ଟ ମାରିବା ସହ ମାଡ଼ ମାରିଛନ୍ତି ୧୦ରୁ ଅଧିକ ଯୁବକ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ। ଯୁବତୀମାନଙ୍କ ଅଭିଯୋଗ ଭିତ୍ତି କରି ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପକ୍ରିୟା ଆରମ୍ଭ କରିଛି ପୋଲିସ ।
ଏଭଳି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି ନୟାପଲ୍ଲୀ ଥାନା ଅଧିନ ଉଗ୍ରତାରା ଲେଡିଜ ହଷ୍ଟେଲରେ। ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ କହିବା ଅନୁସାରେ, ହଷ୍ଟେଲ ଆଗରେ ସେ ଛିଡା ହୋଇଥିଲେ । ଏହି ସମୟରେ କିଛି ଯୁବକ ଟେକା ଫିଙ୍ଗିଥିଲେ। ଏନେଇ ଯୁବତୀ ବିରୋଧ କରିବାରୁ ଧମକ ଚମକ ଦେଇଥିଲେ। ପରେ ଧକ୍କା ମାରିବା ସହ ମାଡ଼ ମାରିଥିଲେ । ଚିତ୍କାର ଶୁଣି ହଷ୍ଟେଲର ଆଉ କିଛି ଯୁବତୀ ବାହାରକୁ ଆସିବା ବେଳେ ସେମାନଙ୍କ ଉପରକୁ ଟେକା ଫିଙ୍ଗିଥିଲେ ଉକ୍ତ ଯୁବକ।
କେବଳ ଯୁବତୀଙ୍କୁ ମାଡ଼ ନୁହେଁ, ହଷ୍ଟେଲର କାନ୍ଥ ଭାଙ୍ଗିବା ସହ ହଷ୍ଟେଲକୁ ଟେକା ଫିଙ୍ଗି କାଚ ଭାଙ୍ଗିଥିଲେ । ଏପରିକି ପ୍ରାୟ ୧୦ଜଣ ରୁ ଅଧିକ ଦୃର୍ବୁତ୍ତ ଆତଙ୍କ ଖେଳାଇଛନ୍ତି। ଆତଙ୍କ ମଚାଇ ଥିବା ଯୁବକମାନେ ନିଶାରେ ଚୁର ଥିବା କହିଛନ୍ତି ଯୁବତୀ ଜଣଙ୍କ । ଏନେଇ ହଷ୍ଟେଲର ପ୍ରାୟ ୩୦ରୁ ଅଧିକ ଯୁବତୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସ ଜାଣିବାକୁ ପାଇଛି । ତେଣୁ ସେମାନଙ୍କୁ କାବୁ କରିବା ପାଇଁ ରେଡ଼ କରୁଛି ପୋଲିସ।
ସୂଚନାଯୋଗ୍ୟ , ରାସ୍ତା କଡରେ କିବା ଖଟିରେ ମଦ୍ୟପାନ କରୁଥିବା ସ୍ଥାନ ମାନଙ୍କରେ ଅତର୍କିତ ଚଢ଼ାଉ କରୁଛି ପୋଲିସ । ହେଲେ ଏପଟେ ଖୁଲମ ଖୁଲା ଆତଙ୍କ ମଚାଉଛନ୍ତି ଦୃର୍ବୁତ୍ତ। ଏଭଳି ଘଟଣା ନୂଆ ନୁହେଁ, ପୂର୍ବରୁ ଏଭଳି ଘଟଣା ନେଇ ଅଭିଯୋଗ ହୋଇଛି ହେଲେ ପୋଲିସ କାହିଁକି ଘଟଣାକୁ ଗୁରୁତ୍ୱ ଦେଇନି ତାକୁ ନେଇ ଉଠିଛି ପ୍ରଶ୍ନ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।