ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ନିର୍ମାଣ ହୋଇ ପାରିଲାନି କୋଭିଡ଼ ଯୋଦ୍ଧା ସ୍ମାରକୀ; ସ୍ବାଧୀନତା ଦିବସରେ CM ନବୀନ ପଟ୍ଟନାୟକ କରିଥାନ୍ତେ ଉଦଘାଟନ

ନିର୍ମାଣ ହୋଇ ପାରିଲାନି କୋଭିଡ଼ ଯୋଦ୍ଧା ସ୍ମାରକୀ; ସ୍ବାଧୀନତା ଦିବସରେ CM ନବୀନ ପଟ୍ଟନାୟକ କରିଥାନ୍ତେ ଉଦଘାଟନ

କୋଭିଡ ଯୋଦ୍ଧା ସ୍ମାରକୀ ନିର୍ମାଣ କାର୍ଯ୍ୟ କାହିଁକି ଆରମ୍ଭ ହୋଇପାରିନାହିଁ ତାହା ଜଣାପଡ଼ିନଥିବା ବେଳେ କେବେ କାର୍ଯ୍ୟ ଆରମ୍ଭ ହେବ ତାହା ମଧ୍ୟ ନିଷ୍ପତ୍ତି ହୋଇନଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।

ନିର୍ମାଣ ହୋଇ ପାରିଲାନି କୋଭିଡ଼ ଯୋଦ୍ଧା ସ୍ମାରକୀ; ସ୍ବାଧୀନତା ଦିବସରେ CM ନବୀନ ପଟ୍ଟନାୟକ କରିଥାନ୍ତେ ଉଦଘାଟନ
ନିର୍ମାଣ ହୋଇ ପାରିଲାନି କୋଭିଡ଼ ଯୋଦ୍ଧା ସ୍ମାରକୀ
  • News18 Odia
  • Last Updated: August 11, 2021, 1:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କୋଭିଡ ମହାମାରୀ ପ୍ରଥମ ଲହର ସମୟରେ ୧୦୦ରୁ ଉର୍ଦ୍ଧ୍ବ ସଂଖ୍ୟାରେ କୋଭିଡ ଯୋଦ୍ଧା ପ୍ରାଣ ହରାଇଥିଲେ । କରୋନା ବିରୁଦ୍ଧ ଲଢେଇରେ ନିଜ ଜୀବନକୁ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିବା ଏହି କୋଭିଡ ଯୋଦ୍ଧାମାନଙ୍କ ପରିବାର ଲାଗି ରାଜ୍ୟ ସରକାର ଆର୍ଥିକ ସହାୟତା ଘୋଷଣା କରିଥିଲେ । ଏହାସହ ଶହୀଦ କୋଭିଡ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିଥାନ୍ତା । ଯାହାକୁ ଅଗଷ୍ଟ ୧୫ ତାରିଖ ଅର୍ଥାତ ସ୍ବାଧିନତା ଦିବସ ଅବସରରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥାନ୍ତେ । ହେଲେ ସ୍ବାଧିନତା ଦିବସକୁ ଆଉ ଦିନ କେଇଟା ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ମରକୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ।

କୋଭିଡ ଯୋଦ୍ଧା ସ୍ମାରକୀ ନିର୍ମାଣ କାର୍ଯ୍ୟ କାହିଁକି ଆରମ୍ଭ ହୋଇପାରିନାହିଁ ତାହା ଜଣାପଡ଼ିନଥିବା ବେଳେ କେବେ କାର୍ଯ୍ୟ ଆରମ୍ଭ ହେବ ତାହା ମଧ୍ୟ ନିଷ୍ପତ୍ତି ହୋଇନଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ମାସରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜଧାନୀ ଭୁବନେଶ୍ବରର ତିନୋଟି ପ୍ରମୁଖ ସ୍ଥାନକୁ ସ୍ମାରକୀ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସେଥିରେ ପ୍ରଥମେ ଥିଲା ଏଜି-ଛକର କଣ ପ୍ଲଟ୍ ଯାହାକି ଭୁବନେଶ୍ବର କ୍ଲବର ନିକଟତର, ଦ୍ବିତୀୟରେ ରହିଥିଲା ଇନ୍ଦିରା ଗାନ୍ଧି ପାର୍କ ନିକଟ ଓ ତୃତୀରେ ଥିଲା ବିଜୁ ପଟ୍ଟନାୟକ ପାର୍କ ।

ଭୁବନେଶ୍ବରରେ କୋଭିଡ ଯୋଦ୍ଧା ସ୍ମାରକୀ ନିର୍ମାଣ କାର୍ଯ୍ୟ


ଏହି ତିନୋଟି ସ୍ଥାନ ମଧ୍ୟରୁ ବିଜୁ ପଟ୍ଟନାୟକ ପାର୍କରେ ସ୍ମାରକୀ ନିର୍ମାଣ ଲାଗି ସ୍ବୀକୃତି ମିଳିଥିଲା । ପୂର୍ତ୍ତ ବିଭାଗ ଏହି ସ୍ମାରକୀ ନିର୍ମାଣ କାର୍ଯ୍ୟ ଅଗଷ୍ଟ ୧୫ ପୂର୍ବରୁ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗ କେବଳ କୋଭିଡ଼ ଯୋଦ୍ଧାଙ୍କ ତାଲିକା ପ୍ରଦାନ କରିଥାନ୍ତା । ବାକି ନିର୍ମାଣ ଶୈଳୀ କିଭଳି ହେବ ଓ ଛଅ ମାସ ମଧ୍ୟରେ କିପରି କାର୍ଯ୍ୟ ଶେଷ ହେବ ସେ ଦାୟିତ୍ବ ପୂର୍ତ୍ତ ବିଭାଗର ଉପରେ ଦିଆଯାଇଥିଲା ।

ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପୂର୍ତ୍ତ ବିଭାଗ ସଚିବଙ୍କୁ ପତ୍ର ଲେଖି ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାପାଇଁ ଅନୁରୋଧ କରିଥିଲେ । ମହା ପାତ୍ର ଦର୍ଶାଇଥିଲେ ଯେ, ଏହି ଅଦୃଶ୍ୟ ମହାମାରୀର ବିରୋଧରେ ଚାଲିଥିବା ମହା ସଂଗ୍ରାମରେ ବହୁ କୋଭିଡ଼ ଯୋଦ୍ଧା ପ୍ରାଣ ହରାଇଛନ୍ତି । ଏହାକୁ ସ୍ମରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ଼ ଯୋଦ୍ଧା ସ୍ମାରକୀ ନିର୍ମାଣ ହେବ ।

ଏଥି ପାଇଁ ପୂର୍ତ୍ତ ବିଭାଗକୁ ଆଞ୍ଚଳିକ ବିଭାଗ ଭାବେ ଘୋଷଣା କରାଯାଇ ଦାୟିତ୍ବ ହସ୍ତାନ୍ତର କରାଗଲା, ଯାହା ଅର୍ଥ ଖର୍ଚ୍ଚ ହେବ ପୂର୍ତ୍ତ ବିଭାଗ ତା’ର ବଜେଟରେ ବ୍ୟବସ୍ଥା କରିବ । ଆସନ୍ତା ସ୍ବାଧୀନତା ଦିବସ ଅବସରରେ ଏହି ସ୍ମାରକୀ ଉଦଘାଟନ ହେବ। ଏହାକୁ ଦୃଷ୍ଟିରେ ରଖି ପୂର୍ତ୍ତବିଭାଗ ସ୍ମାରକୀର ସ୍ଥପତି ନିଯୁକ୍ତ କରି ପରବର୍ତ୍ତୀ କାର୍ଯ୍ୟ ଆଗେଇ ନେବାକୁ ଶ୍ରୀ ମହାପାତ୍ର ଅନୁରୋଧ କରିଥିଲେ । ହେଲେ ସ୍ମାରକୀ ନିର୍ମାଣ ପ୍ରକ୍ରିୟା ଆଉ ଆଗେଇ ପାରିଲା ନାହିଁ ।
Published by: Lipina Das
First published: August 11, 2021, 1:50 PM IST