News18 Odia Digital
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ କୋହଳ ହେଲା କଟକଣା। କୋଭିଡ ସଂକ୍ରମଣ ହ୍ରାସ ପାଉଥିବା ବେଳେ କଟକଣା କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ପୂର୍ବରୁ ୫ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ ପାଇଁ ଅନୁମତି ମିଳିଥିବା ବେଳେ ଏହାକୁ ୨୦ ଜଣ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ବାହାର ସ୍ଥାନରେ ୩୦୦ ଜଣଙ୍କୁ ସମାବେଶ ପାଇଁ ଅନୁମତି ମିଳିଛି। ସମାବେଶ ସମୟରେ ମାସ୍କ ଓ ସାମାଜିକ ଦୂରତା ଜରୁରୀ।
ଅନ୍ୟ ସମସ୍ତ କଟକଣା ପୂର୍ବ ପରି ବଳବତ୍ତର ରହିଛି। ପ୍ରାର୍ଥୀ ସହିତ ୨୦ ଜଣ ଯାଇ ଘର ଘର ବୁଲି ପ୍ରଚାର କରିବେ। ସାଇକେଲ ଓ ଗାଡ଼ି ରାଲି ସମ୍ପୂର୍ଣ୍ଣ ବାରଣ। ଉତ୍ତର ପ୍ରଦେଶ, ପଞ୍ଜାବ ସହ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କଟକଣା କୋହଳ ହେବା ପରେ ଓଡ଼ିଶାରେ ବି ଦାବି ଉଠିଥିଲା।
ରାଜନୈତିକ ଦଳ ଗୁଡ଼ିକ ଦାବି ଉଠାଇଥିଲେ। ତେବେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ଓଡ଼ିଶାରେ କେବେ କୋହଳ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହା ପରେ ସୋମବାର ବିଭିନ୍ନ ଦିଗକୁ ବିଚାର କରି ରାଜ୍ୟ ନିର୍ବାଚନ କମିଶନ କୋହଳ ନେଇ ଘୋଷଣା କରିଛନ୍ତି।
ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,"କେନ୍ଦ୍ର ନିର୍ବାଚନ ଆୟୋଗ ୨୦ ଜଣଙ୍କୁ ନେଇ ଘର ଘର ବୁଲି ପ୍ରଚାର ପାଇଁ ଅନୁମତି ଦେଇଛନ୍ତି। ଏହା ପରେ ସଂକ୍ରମଣ ହ୍ରାସ ପାଉଥିବାରୁ ବିଭିନ୍ନ ଦିଗକୁ ବିଚାର କରି ଏଭଳି ନିଷ୍ପତ୍ତି ନିଆଯାଇଛି। ଏକା ସାଙ୍ଗରେ ଜଣେ ପ୍ରାର୍ଥୀଙ୍କ ସହ ୨୦ ଜଣ ଯାଇ ଡୋର ଟୁ ଡୋର ପ୍ରଚାର କରିପାରିବେ। ସେହିପରି ବାହାର ସ୍ଥାନରେ ୩୦୦ ଜଣଙ୍କୁ ନେଇ ରାଜନୈତିକ ସମାବେଶ କରିହେବ। ଏହା ସହ ସୋମବାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମୀକ୍ଷା କରାଯାଇଥିବା ବେଳେ ଜଣା ପଡ଼ିଛି ପ୍ରାୟ ୮୦ ରୁ ୯୦ ପ୍ରତିଶତ କର୍ମଚାରୀନକୁ ପ୍ରିକସନ ଦିଆଯାଇଛି।
ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ପ୍ରିକସନ ଡୋଜ ଦେବାକୁ ସ୍ଥିର ହୋଇଥିବା ବେଳେ ୨ ରୁ ୩ ଦିନ ମଧ୍ୟରେ ସମସ୍ତଙ୍କୁ ପ୍ରିକସନ ଡୋଜ ଦିଆଯିବ। ସେହିପରି ତାଲିମ କାର୍ଯ୍ୟକ୍ରମ ବି ଦୁଇ ଦିନ ମଧ୍ୟରେ ଶେଷ ହେବ। ପୌର ନିର୍ବାଚନ ପାଇଁ ୧୦ ତାରିଖରେ ଡ୍ରାଫ୍ଟ ପବ୍ଲିଶ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟ ନିର୍ବାଚନ କମିଶନ କଟକଣା କୋହଳ କରିବା ପରେ ସ୍ୱାଗତ କରିଛନ୍ତି ତିନି ରାଜନୈତିକ ଦଳ।
ବିଜେଡି ସାଂସଦ ସୁବାସ ସିଂ କହିଛନ୍ତି, "ରାଜ୍ୟ ନିର୍ବାଚନ କମିଶନ ନିୟମରେ ଯେଉଁ ସଂଶୋଧନ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ। ଏହା ଦ୍ୱାରା ଲୋକଙ୍କ ନିକଟରେ ପହଞ୍ଚିବାକୁ ସୁବିଧା ହେବ। ପୂର୍ବରୁ ମାତ୍ର ୫ ଜଣ ଡୋର କ୍ୟାମ୍ପେନ କରୁଥିବା ବେଳେ ଏବେ ୩୦୦ ଜଣଙ୍କୁ ନେଇ ସମାବେଶ ପାଇଁ ଅନୁମତି ମିଳିଥିବାରୁ ଏହା ସହାୟତା ହେବ। ଯାହା କଟକଣା ରହିଛି ସେହି ଅନୁସାରେ ଆମେ ପ୍ରଚାର କରିବୁ।’’
ସେହିପରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମନ୍ତସିଂହର କହିଛନ୍ତି ଯେ ସଂକ୍ରମଣ ହ୍ରାସ ପାଉଥିବାରୁ ଆମେ ପୂର୍ବରୁ କଟକଣା କୋହଳ ପାଇଁ ଦାବି କରିଥିଲୁ। କଟକଣା କୋହଳ ହୋଇଥିବାରୁ ଲୋକଙ୍କ ନିକଟରେ ପହଞ୍ଚିବାକି ସୁବିଧା ହେବ।
ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ବି ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।