ସୁନା କହି ପିତଳକୁ ଦେଇ ୧୦ ଲକ୍ଷ ଟଙ୍କା ଠକି ନେଲେ ଠକ ଦମ୍ପତି; ସ୍ବାମୀ ଗିରଫ ସ୍ତ୍ରୀ ଫେରାର

ଶସ୍ତାରେ ସୁନା କିଣିବା ପଡ଼ିଲା ମହଙ୍ଗା। କଟକର ବ୍ୟବସାୟୀଙ୍କୁ ୧୦ ଲକ୍ଷ ଟଙ୍କାର ଚୁନ ଲଗାଇଲେ ବାଲେଶ୍ବରର ଠକ ଦମ୍ପତି। ସ୍ବାମୀ ଗିରଫ, ଠକେଇରୁ ଅର୍ଜିତ ଅର୍ଦ୍ଧାଧିକ ଟଙ୍କା ନେଇ ସ୍ତ୍ରୀ ଫେରାର।

ସୁନା କହି ପିତଳକୁ ଦେଇ ୧୦ ଲକ୍ଷ ଟଙ୍କା ଠକି ନେଲେ ଠକ ଦମ୍ପତି

ସୁନା କହି ପିତଳକୁ ଦେଇ ୧୦ ଲକ୍ଷ ଟଙ୍କା ଠକି ନେଲେ ଠକ ଦମ୍ପତି

  • News18 Odia
  • Last Updated :
  • Share this:
News18 Odia Digital

କଟକ: ସୁନା କହି ପିତଳକୁ ଦେଇ ୧୦ ଲକ୍ଷ ଟଙ୍କା ଠକି ନେଲେ ଠକ ଦମ୍ପତି। ଏଭଳି ଏକ ଘଟଣା କଟକରେ ଦେଖିବାକୁ ମିଳିଛି। ଏହି ମାମଲାରେ ଠକେଇ କରିଥିବା ଅଭିଯୁକ୍ତ ପତି-ପତ୍ନୀଙ୍କ ମଧ୍ୟରୁ ପୋଲିସ ପତିକୁ ଗିରଫ କରିଥିବା ବେଳେ ଠକେଇ ହୋଇଥିବା ଅଧାରୁ ଅଧିକ ଟଙ୍କା ନେଇ ଫେରାର ହୋଇ ଯାଇଛି ପତ୍ନୀ।

ଘଟଣାଟି ଥିଲା କିଛି ଏପରି, କଟକ କନିକା ଛକରେ ପାଥୋଲାବ୍ କରି ନିଜର ବ୍ୟବସାୟ ଚଳାନ୍ତି ଜଗତସିଂପୁର ବାଲୁକୁଦା ବାସିନ୍ଦା ଜଚିନ୍ଦ୍ର ଦଳାଇ। କଟକ ସମେତ ବିଭିନ୍ନ ଜିଲ୍ଲାର ଲୋକ ତାଙ୍କ ଲ୍ୟାବକୁ ଆସୁଥିବା ବେଳେ ବାଲେଶ୍ବର ବାଲିଆପାଳ ବାସିନ୍ଦା ସନ୍ୟାସୀ ଜେନା ନାମକ ଜଣେ ବ୍ୟକ୍ତି ନିୟମିତ ଭାବେ ଜଚିନ୍ଦ୍ରଙ୍କ ଲ୍ୟାବକୁ ଆସନ୍ତି। ଏହାରି ଭିତରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ବ ସ୍ଥାପନ ହୋଇଥିଲା।

ଏହିପରି କିଛି ଦିନ ବିତିବା ପରେ ତାଙ୍କ ପାଖରେ ଏକ କେଜି ଓଜନ ବିଶିଷ୍ଟ ସୁନାର ଏକ ଦୀପ ରହିଛି ଓ ସେହି ଦୀପକୁ ସେ ବିକ୍ରି କରିବାକୁ ଚାହୁଁଥିବା କଥା ଜଚିନ୍ଦ୍ରଙ୍କୁ କହିଥିଲେ ସନ୍ୟାସୀ। ସେହି ଦୀପଟିକୁ ସେ ୧୦ ଲକ୍ଷ ଟଙ୍କା ବଦଳରେ ବିକ୍ରି କରିବେ ବୋଲି ମଧ୍ୟ କହିଥିଲେ। ସନ୍ୟାସୀଙ୍କ କଥା ଶୁଣି ୧୦ ଲକ୍ଷ ଟଙ୍କାରେ କେଜିଏ ସୁନା ପାଇବା ଲୋଭ ଜଚିନ୍ଦ୍ରଙ୍କୁ ଗ୍ରାସିଥିଲା। ସୁନା କିଣିବା ପୂର୍ବରୁ ଗତ ଜୁନ ୫ ତାରିଖ ଦିନ ଜଚିନ୍ଦ୍ର ବାଲେଶ୍ବର ଯାଇ ସେହି ସୁନା ଦୀପଟିକୁ ଯାଞ୍ଚ ମଧ୍ୟ କରିଥିଲେ।

କଥା ମୁତାବକ ଗତ ଜୁନ ମାସ ୨୬ ତାରିଖ ଦିନ ସେହି ଦୀପଟି ଆଣି କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମ ନିକଟରେ ପହଁଚିଥିଲା ସନ୍ୟାସୀ। ସନ୍ୟାସୀ ଠାରୁ ସେହି ଦୀପଟି ସଂଗ୍ରହ କରି ତାକୁ ଡିଲ ମୁତାବକ ନଗଦ ୧୦ ଲକ୍ଷ ଟଙ୍କା ଦେଇଥିଲେ ଜଚିନ୍ଦ୍ର। ତେବେ ଦୀପ କିଣିବା ପରେ ଜଚିନ୍ଦ୍ର ଯେତେବେଳେ ତାକୁ ଯାଞ୍ଚ କରିଥିଲେ ସେତେବେଳେ ତାଙ୍କର ହୋସ ଉଡ଼ିଯାଇଥିଲା। କାରଣ ତାହା ସୁନା ନଥିଲା ବରଂ ଥିଲା ପିତଳ। ଏହା ପରେ ଦୀପ ବିକ୍ରି କରିଥିବା ସନ୍ୟାସୀ ଜେନାଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଫୋନ ସୁଇଚ୍ ଅଫ ଆସିବା ପରେ ସେ ଠକେଇର ଶିକାର ହୋଇଥିବା ଜାଣି କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନର ଦ୍ବାରସ୍ଥ ହୋଇଥିଲେ।

ମାମଲାର ତଦନ୍ତ ଆରମ୍ଭ କରିବାକୁ ଯାଇ ପୋଲିସ ପ୍ରଥମେ ସନ୍ୟାସୀ ପାଖରେ ପହଁଛିଥିଲା। ତେବେ ସନ୍ୟାସୀକୁ ଧରିବା ପରେ ସେ ସେହି ୧୦ ଲକ୍ଷ ଟଙ୍କା ମଧ୍ୟରୁ କିଛି ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟରେ ଓ ଆଉ କିଛି ନିଜ ପତ୍ନୀ ସୀମା ଜେନାର ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲା। କିନ୍ତୁ ସନ୍ୟାସୀ ଗିରଫ ହେବାର ଦୁଇ ଦିନ ପୂର୍ବରୁ ଅର୍ଥାତ ଗତ ୨ ତାରିଖ ଦିନ ସୀମା ନିଜ ସହିତ ସନ୍ୟାସୀର ଆକାଉଣ୍ଟରେ ଥିବା ଟଙ୍କା ମଧ୍ୟରୁ ୬ ଲକ୍ଷ ୫୦ ହାଜର ଟଙ୍କା ଧରି ଅର୍ନ୍ତଦ୍ଧ୍ୟାନ ହୋଇଯାଇଥିବା ପୋଲିସ ଜାଣିବାକୁ ପାଇଥିଲା।

ତେବେ ପୋଲିସ ଉଭୟ ଆକାଉଣ୍ଟରେ ୨ ଲକ୍ଷ ୯୭ ହଜାର ଟଙ୍କାକୁ ଫ୍ରିଜ କରିବା ସହ ସନ୍ୟାସୀ ପାଖରୁ ୫୦ ହଜାର ନଗଦ ଟଙ୍କାକୁ ଜବତ କରି ସନ୍ୟାସୀଙ୍କୁ କୋର୍ଟ ଚାଲାଣ କରିଛି। ଏହା ସହ ଫେରାର ସୀମାକୁ ଖୋଜିବା ମଧ୍ୟ ଆରମ୍ଭ କରିଛି ପୋଲିସ। ତେବେ ଉଭୟ ପତି-ପତ୍ନୀ ପୂର୍ବରୁ ମଧ୍ୟ ଏହି ଭଳି ଅନେକ ଠକେଇରେ ସମ୍ପୃକ୍ତ ଥିବା ସନ୍ଦେହ କରୁଛି ପୋଲିସ।
Published by:Lipina Das
First published: