ବଢୁଛି ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ କରୋନା ସଂକ୍ରମଣ
News18 Odia Digital
ଭୁବନେଶ୍ବର: କୋଭିଡ଼ ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସଂକ୍ରମଣକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ି ଚାଲିଛି । ବିଶେଷ କରି ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ ଗୁଡ଼ିକରେ ପ୍ରାୟ ୩୦ ରୁ ୪୦ ପ୍ରତିଶତ ସ୍ୱାସ୍ଥ୍ୟ କର୍ମଚାରୀ କୋଭିଡ଼ ସଂକ୍ରମିତ ହୋଇଥିବା କୁହାଯାଉଥିବା ବେଳେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଠାରୁ ଆରମ୍ଭ କରି ଏମ୍ସ ଓ ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡ଼ିକରେ ସଂକ୍ରମିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୫୦ ପ୍ରତିଶତ ଥିବା ବେଳେ ଘରୋଇ ହସ୍ପିଟାଲ ଗୁଡ଼ିକ ପକ୍ଷରୁ ନିର୍ଦ୍ଦିଷ୍ଟ ତଥ୍ୟ ମିଳିପାରିନାହିଁ। ତେବେ ସ୍ୱାସ୍ଥ୍ୟ କର୍ମୀଙ୍କ ସଂକ୍ରମଣ ବଢୁଥିବାରୁ ଏହା କୋଭିଡ଼ ସମୟରେ ସ୍ୱାସ୍ଥ୍ୟ ସେବା ପରିଚାଳନାରେ ବାଧକ ସାଜିବ ବୋଲି ଆକଳନ କରାଯାଇଛି।
କୋଭିଡ଼ର ତୃତୀୟ ଲହରରେ ଦୈନିକ ସଂକ୍ରମଣ ୧୧,୦୦୦ ଟପିଥିବା ବେଳେ ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡ଼ିକରେ କାର୍ଯ୍ୟରତ ଡ଼ାକ୍ତର, ନର୍ସଙ୍କ ସମେତ ବିଭିନ୍ନ ବିଭାଗର ସ୍ୱାସ୍ଥ୍ୟ କର୍ମଚାରୀମାନେ ଅଧିକରୁ ଅଧିକ ସଂକ୍ରମିତ ହେବାରେ ଲାଗିଛନ୍ତି।
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ, ଏବେ ସୁଦ୍ଧା କେବଳ କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ମୋଟ ୧୪୪ ଜଣ ଡ଼ାକ୍ତରଙ୍କ ମଧ୍ୟରୁ ୪୦ ଜଣ ଡ଼ାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୩୦ ଜଣ କ୍ବାରେଣ୍ଟାଇନରେ ଅଛନ୍ତି ଓ ପ୍ରତ୍ୟେକ ଦିନ ୭ ରୁ ୮ ଜଣ କୋଭିଡ଼ ସଂକ୍ରମିତ ହେଉଛନ୍ତି। ହସ୍ପିଟାଲରେ ଥିବା ପ୍ରାୟ ୧,୬୦୦ରୁ ଅଧିକ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରୁ ୧୪୦ ଜଣ ସଂକ୍ରମିତ ହୋଇସାରିଛନ୍ତି।
ସେହିଭଳି ଭୁବନେଶ୍ୱର ସ୍ଥିତ ଏମ୍ସ ବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ମୋଟ ୮୦୦ ଜଣ କର୍ମଚାରୀଙ୍କ ଭିତରୁ ଏ ପର୍ଯ୍ୟନ୍ତ ୩୦୦ ଜଣ କୋଭିଡ଼ ସଂକ୍ରମିତ ହୋଇଥିବା କୁହାଯାଇଛି। ଏହା ବ୍ୟତୀତ ରାଜଧାନୀରେ ବି.ଏମ.ସି. ଦ୍ୱାରା ପରିଚାଳିତ ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ପ୍ରାୟ ୫୦ ପ୍ରତିଶତ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଆଞ୍ଚଳିକ ଆୟୁର୍ବିଜ୍ଞାନ ଗବେଷଣା ସଂସ୍ଥାନ ଆରଏମ୍ଆରସିର ପ୍ରାୟ ୫୦ ପ୍ରତିଶତ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଥିବା କୁହାଯାଇଛି।
ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ଚଳିତ ମାସ ଶେଷ ସୁଦ୍ଧା କୋଭିଡ଼ ସଂକ୍ରମଣ ପିକ୍ ଆସିବାର ସମ୍ଭାବନା ରହିଛି। ଏହା ପରେ ପରେ ସଂକ୍ରମଣ କମିବ। ତେବେ ଜନସାଧାରଣ ଏନେଇ ଅଧିକ ସଚେତନ ହେବା ଜରୁରୀ।
କେବଳ ସରକାରୀ ହସ୍ପିଟାଲ ବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ନୁହେଁ, ବିଭିନ୍ନ ଘରୋଇ ହସ୍ପିଟାଲଗୁଡ଼ିକରେ ସ୍ୱାସ୍ଥ୍ୟ କର୍ମଚାରୀମାନେ କୋଭିଡ଼ ସଂକ୍ରମିତ ହେବା ଘଟଣା ସାମ୍ନାକୁ ଆସୁଛି । କିନ୍ତୁ ଏନେଇ କୌଣସି ହସ୍ପିଟାଲ ପକ୍ଷରୁ ସୂଚନା ଜାରି କରାଯାଇନାହିଁ।
ସମ୍ କୋଭିଡ଼ କୋ ଭ୍ୟାକ୍ସିନ ସେଣ୍ଟରର ଚିଫ୍ ଇନ୍ଭେଷ୍ଟିଗେଟର ଡ଼ାକ୍ତର ଇପାରୀ ଭେଙ୍କଟରାଓ କହିଛନ୍ତି ଯେ ଯେହେତୁ ତୃତୀୟ ଲହରରେ ଓମିକ୍ରନ ଭାରିଆଣ୍ଟ କାରଣରୁ ସଂକ୍ରମଣ ଦ୍ରୁତ ହୋଇଛି ସେ ଦୃଷ୍ଟିରୁ ସ୍ୱାସ୍ଥ୍ୟ କର୍ମଚାରୀମାନେ ସଂକ୍ରମିତ ହେବା ସ୍ୱାଭାବିକ ଘଟଣା । କାରଣ ସବୁ ପ୍ରତିକୂଳ ସ୍ଥିତି ଭିତରେ ବି ସେମାନେ ସ୍ୱାସ୍ଥ୍ୟ ସେବା ଜାରି ରଖିଛନ୍ତି। ଆଶ୍ୱସ୍ତିର କଥା ହେଲା,ଏହି ସଂକ୍ରମଣ ମାରାତ୍ମକ ହେଉନାହିଁ। କିନ୍ତୁ ସଂଖ୍ୟା ବଢୁଥିବାରୁ ଆଗଧାଡ଼ିର କୋଭିଡ଼ ଯୋଦ୍ଧାଙ୍କ ବୁଷ୍ଟର ଡ଼ୋଜ ତ୍ୱରାନ୍ୱିତ କରାଯିବା ଜରୁରୀ।
ଅନ୍ୟପକ୍ଷେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ‘‘ବିଭିନ୍ନ ହସ୍ପିଟାଲ ଗୁଡ଼ିକରେ ସ୍ୱାସ୍ଥ୍ୟକର୍ମୀମାନେ ସଂକ୍ରମିତ ହେଉଛନ୍ତି । ରାଜ୍ୟରେ ୭୦,୦୦୦ ଉପରେ ଦୈନିକ ଟେଷ୍ଟ କରାଯାଉଛି । ତେଣୁ ସ୍ୱାସ୍ଥ୍ୟସେବା ପରିଚାଳନାରେ ଅସୁବିଧା ହେଉନାହିଁ । ବ୍ୟବସ୍ଥାରେ ଯେଭଳି ସନ୍ତୁଳନ ଦରକାର ସେ ଦିଗରେ ସ୍ୱାସ୍ଥ୍ୟ ବିଭାଗ ଯତ୍ନ ନେବାକୁ ପ୍ରୟାସ କରୁଛି।
ଏକ୍ସପର୍ଟଙ୍କ ମତରେ,ଚଳିତ ମାସ ଶେଷ ସୁଦ୍ଧା କୋଭିଡ଼ ସଂକ୍ରମଣର ତୃତୀୟ ଲହର ଶୀର୍ଷକୁ ଛୁଇଁବା ସମ୍ଭାବନା ଥିବା ଦୃଷ୍ଟିରୁ ଖୁବ୍ ଶୀଘ୍ର ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି।
Published by:Lipina Das
First published: