ରାଜ୍ୟରେ କମୁଛି କରୋନା ସଂକ୍ରମଣ; ତୃତୀୟ ଲହର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାକୁ ନେଇ ଚର୍ଚ୍ଚା

ମଙ୍ଗଳବାର ୪୨୮ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୋମବାର ୩୮୮ ଓ ୨୦ ତାରିଖରେ ୪୯୨ ପଜିଟିଭ ଚିହ୍ନଟ ହୋଇଥିଲେ। କ୍ରମାଗତ ଭାବେ ତିନି ଦିନ ହେବ ସଂକ୍ରମଣ ୫୦୦ ତଳକୁ ରହିବା ଆସ୍ୱସ୍ତିକର ଖବର ଆଣିଛି।

ରାଜ୍ୟରେ କମୁଛି କରୋନା ସଂକ୍ରମଣ

ରାଜ୍ୟରେ କମୁଛି କରୋନା ସଂକ୍ରମଣ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଖସୁଛି କୋଭିଡ ସଂକ୍ରମଣ। ତିନି ଦିନ ହେବ ୫୦୦ ତଳେ ସଂକ୍ରମଣ ରହୁଥିବା ବେଳେ ନିୟନ୍ତ୍ରଣ ସ୍ଥିତିକୁ ଆସିଯାଇଛି ମାମଲା। ସଂକ୍ରମଣ ହାର ୧ ପ୍ରତିଶତ ତଳକୁ ଖସିଲାଣି। କୁହାଯାଉଛି ରାଜ୍ୟରେ ତୃତୀୟ ଲହର ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଁଞ୍ଚିଲାଣି। ଗତ ତିନି ଦିନର ତଥ୍ୟ ବି ଏ ଦିଗକୁ ଇଙ୍ଗିତ କରୁଛି।

କାରଣ ମଙ୍ଗଳବାର ୪୨୮ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୋମବାର ୩୮୮ ଓ ୨୦ ତାରିଖରେ ୪୯୨ ପଜିଟିଭ ଚିହ୍ନଟ ହୋଇଥିଲେ। କ୍ରମାଗତ ଭାବେ ତିନି ଦିନ ହେବ ସଂକ୍ରମଣ ୫୦୦ ତଳକୁ ରହିବା ଆସ୍ୱସ୍ତିକର ଖବର ଆଣିଛି।

ଗୋଟେ ପଟେ ସଂକ୍ରମଣ ଖସୁଥିବା ବେଳେ ପ୍ରଥମ ପର୍ଯ୍ୟାୟ ଟିକାକରଣ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଟିକାକରଣକୁ ନେଇ ସାମାନ୍ୟ ଦ୍ଵନ୍ଦ୍ବ ଉପୁଜିଛି। ରାଜ୍ୟ ସରକାର ୯୯ ପ୍ରତିଶତ ବୟସ୍କ ଲୋକ ଟିକା ନେଇଥିବା କହୁଥିବା ବେଳେ ସାଢ଼େ ୪ ଲକ୍ଷ ହିତାଧିକାରୀ ଏବେବି ଟିକା ନେଇ ନଥିବା କୁହାଯାଉଛି।

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି,‘‘ରାଜ୍ୟରେ ଟିକାକରଣ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଟିକାକରଣ ସରିଲାଣି। ସେଥିରୁ ପ୍ରଥମ ଡୋଜ ନେଇଛନ୍ତି ୯୫ ପ୍ରତିଶତ। କେନ୍ଦ୍ର ସରକାର ଯେଉଁ ଟାର୍ଗେଟ ଦେଇଥିଲେ ସେହି ଅନୁସାରେ ୯୫ ପ୍ରତିଶତ ଟିକା ନେଇଛନ୍ତି। ଉଭୟ ଡୋଜ ନେଇଛନ୍ତି ୮୦.୬ ପ୍ରତିଶତ। ସେହିପରି ୧୫ ରୁ ୧୭ ବର୍ଷ ପିଲାଙ୍କ ଟିକାକରଣ ଚାଲିଛି। ଯେତିକି ଟାର୍ଗେଟ ଥିଲା ସେଥିରୁ ୭୬ ପ୍ରତିଶତ ନେଇ ସାରିଲେଣି। ଦ୍ବିତୀୟ ଡୋଜ ନେବାକୁ ଥିବା ପିଲାଙ୍କ ମଧ୍ୟରୁ ୫୬ ପ୍ରତିଶତ ଟିକା ନେଲେଣି। ପ୍ରିକସନ ଡୋଜ ବି ଚାଲିଛି। ଶତପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇ ସାରିଲେଣି।’’

ଟିକାକରଣ ନେଇ କେନ୍ଦ୍ର ଓ ରାଜ୍ୟ ତଥ୍ୟ ତାଳମେଳ ରହୁନଥିବା ପ୍ରସଙ୍ଗରେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ କେନ୍ଦ୍ର ସରକାର ଯେଉଁ ତଥ୍ୟ ଦେଇଛନ୍ତି ତାହା ପ୍ରୋଜେକଟେଡ ତଥ୍ୟ। ସେନ୍ସସ ଆଧାରରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ସେହି ଅନୁସାରେ ମୋଟ ୩ କୋଟି ୨୫ ଲକ୍ଷ ୨୮ ହଜାର ହିତାଧିକାରୀ ହେବା କଥା। କିନ୍ତୁ ହର ଘର ଦସ୍ତକ ଅଭିଯାନ ପରେ ଯେଉଁ ତଥ୍ୟ ଆସିଛି ସେହି ଅନୁସାରେ ୯୯ ପ୍ରତିଶତ ପ୍ରଥମ ଡୋଜ ଟିକାକରଣ ଶେଷ ହୋଇଛି। କେନ୍ଦ୍ର ତଥ୍ୟ ଅନୁସାରେ ୬୦ ବର୍ଷରୁ ଉର୍ଦ୍ଧ୍ବ ୪ ଲକ୍ଷରୁ ଅଧିକ ବ୍ୟକ୍ତି ଅଛନ୍ତି। କିନ୍ତୁ ରାଜ୍ୟର ତଥ୍ୟ ଅନୁସାରେ ସଂଖ୍ୟା ବହୁତ କମ। ଅନେକ ଲୋକ ବାହାରେ ଥୁବାରୁ ସେଠାରେ ସେମାନେ ଟିକା ନେଉଥିବାରୁ ତଥ୍ୟରେ ତାଳମେଳ ରହୁନାହିଁ ବୋଲି ସେ କହିଛନ୍ତି।
Published by:Lipina Das
First published: