ରାଜ୍ୟ ପର୍ଯ୍ୟଟନ ଉପରେ କରୋନା ଭାଇରସର କଳା ଛାଇ: ବିଦେଶୀ ପର୍ଯ୍ୟଟକଙ୍କ ଆଗମନ କମିଲା

ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ଯାଏ ପର୍ଯ୍ୟଟକ ଋତୁ ଭାବେ ଗଣାଯାଏ । ହେଲେ ଏବେ କରୋନା ଭାଇରସ୍ ଭୟରେ ଏପ୍ରିଲ ପର୍ଯ୍ୟନ୍ତ କୌଣସି ନୂଆ ପର୍ଯ୍ୟଟକଙ୍କ ବୁକିଂ ନାହିଁ । ପୂର୍ବରୁ ହୋଇଥିବା ସବୁ ବୁକିଂ କ୍ୟାନସଲ୍ ହୋଇଛି । ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ୩୦ ପ୍ରତିଶତ କମିଛି ।

ରାଜ୍ୟ ପର୍ଯ୍ୟଟନ ଉପରେ କରୋନା ଭାଇରସର କଳା ଛାଇ: ବିଦେଶୀ ପର୍ଯ୍ୟଟକଙ୍କ ଆଗମନ କମିଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 13, 2020, 9:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା ଭାଇରସ ଯୋଗୁଁ ବିଶ୍ୱବ୍ୟାପୀ ବଢ଼ୁଥିବା ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତ ଲୋକଙ୍କ ସଂଖ୍ୟା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରିଛି । ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବିଶେଷ ଭାବେ ହ୍ରାସ ପାଇଛି । ଘରୋଇ ପର୍ଯ୍ୟଟକମାନଙ୍କ ବୁକିଂ ମଧ୍ୟ ବାତିଲ ହୋଇଛି ।

ସମସ୍ୟା ଏତେ ଅଧିକ ଯେ ଏପ୍ରିଲ ପର୍ଯ୍ୟନ୍ତ କୌଣସି ନୂଆ ପର୍ଯ୍ୟଟକଙ୍କ ବୁକିଂ ହୋଇନଥିବା କହିଛନ୍ତି ଟ୍ରାଭେଲ ଏଜେଣ୍ଟମାନେ । ଏମିତି ସ୍ଥିତି ପର୍ଯ୍ୟଟନ ଶିଳ୍ପ ପାଇଁ ହାନିକାରକ ବୋଲି କହିଛନ୍ତି ସମୀକ୍ଷକମାନେ ।

ଓଡିଶାରେ ଏ ପର୍ଯ୍ୟନ୍ତ ଗୋଟେ ବି କରୋନା ଭାଇରସ୍‌ ପଜିଟିଭ ମାମଲା ନାହିଁ । ସରକାର ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ମାରାତ୍ମକ ଭୂତାଣୁକୁ ନେଇ ସଚେତନ ଓ ସତର୍କ ଅଛନ୍ତି । ହେଲେ ଏହାର ସିଧାସଳଖ ପ୍ରଭାବ ପଡିଛି ପର୍ଯ୍ୟଟନ ଶିଳ୍ପ ଉପରେ । ବିଦେଶ ଯିବାକୁ ଏବେ ପର୍ଯ୍ୟଟକ ମଣୁ ନାହାନ୍ତି । ବାତିଲ ହେଉଛି ପୂର୍ବରୁ ହୋଇଥିବା ବୁକିଂ ।

ପ୍ରତି ବର୍ଷ ରାଜ୍ୟକୁ ଲକ୍ଷାଧିକ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ଦକ୍ଷିଣ ଏସୀୟ ରାଷ୍ଟ୍ର ଯଥା ମାଲେସିଆ, ଭିଏତନାମ ଓ ଇଣ୍ଡୋନେସିଆରୁ ଅଧିକାଂଶ ପର୍ଯ୍ୟଟକ ଓଡ଼ିଶା ଆସିଥାନ୍ତି । ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟଟକ ଦକ୍ଷିଣ ଏସୀୟ ଦେଶରୁ ଥାଆନ୍ତି । ହେଲେ ବର୍ତ୍ତମାନ ଏହି ଆଗମନ ବିଶେଷଭାବେ ପ୍ରଭାବିତ ହୋଇଛି । ହ୍ରାସ ପାଇଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ।

‘‘କେବଳ ବିଦେଶୀ ପର୍ଯ୍ୟଟକ ନୁହଁନ୍ତି, ଘରୋଇ ପର୍ଯ୍ୟଟକଙ୍କ ମଧ୍ୟରେ ବି ଚିନ୍ତା । କୌଣସି ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାକୁ କେହି ପସନ୍ଦ କରୁନାହାନ୍ତି । ବାହାରକୁ ଯାଇ କରୋନା ଆତଙ୍କ ଭିତରେ ରହିବା ପରିବର୍ତ୍ତେ ବୁକିଂ ବାତିଲ କରିବାକୁ ପର୍ଯ୍ୟଟକ ପସନ୍ଦ କରୁଛନ୍ତି,’’ କହିଛନ୍ତି ପର୍ଯ୍ୟଟନ ସମୀକ୍ଷକ ଜାନକୀଶ ବଡ଼ପଣ୍ଡା ।

ପୂ୍ର୍ବରୁ ହୋଇଥିବା ବୁକିଂ ସବୁ ଗୋଟେ ପରେ ଗୋଟେ ବାତିଲ ହେଉଥିବାରୁ ଟ୍ରାଭେଲ ଏଜେଣ୍ଟ ଓ ଟୁର୍‌ ଅପରେଟରମାନେ କ୍ଷତି ସହିଛନ୍ତି ।

କ୍ବାଲାଲାମପୁରକୁ ସିଧାସଳଖ ବିମାନ ସେବା ଥିବାରୁ ଓଡ଼ିଶାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଦକ୍ଷିଣ ଏସୀୟ ରାଷ୍ଟ୍ର ବୁଲିବାକୁ ଯାଇଥାନ୍ତି । ଭୁବନେଶ୍ବରରୁ କ୍ବାଲାଲାମପୁରକୁ ଥିବା ଫ୍ଲାଇଟରେ ସାଧାରଣ ସମୟରେ ୭୦ ରୁ ୮୦ ପ୍ରତିଶତ ସିଟ୍‌ ବୁକିଂ ରହିଥାଏ । କିନ୍ତୁ ସେ ଫ୍ଲାଇଟ୍‌ ଉପରେ ପଡ଼ିଛି କରୋନା ଭାଇରସର କଳା ଛାଇ ।

‘‘କରୋନା ଭାଇରସ୍‌ ଭୟରେ ପର୍ଯ୍ୟଟକ ସେହି ଦେଶଗୁଡିକୁ ଯିବାକୁ ଏବେ ଇଚ୍ଛା ପ୍ରକାଶ କରୁନାହାନ୍ତି । ଫଳରେ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି,’’ କହିଛନ୍ତି ଟ୍ରାଭେଲ ଏଜେଣ୍ଟ ବେଞ୍ଜାମିନ୍‌ ସାଇମନ୍‌ ।

ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ଯାଏ ସମୟକୁ ପର୍ଯ୍ୟଟକ ଋତୁ ଭାବେ ଗଣାଯାଏ । ଏହି ସମୟରେ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ଓଡ଼ିଶାକୁ । ଟୁର୍‌ ଅପରେଟରମାନେ ବି ଅପେକ୍ଷା କରି ରହିଥାନ୍ତି ଏହି ସମୟକୁ । ବେଶ୍‌ ଦୁଇ ପଇସା ରୋଜଗାର କରନ୍ତି । ହେଲେ ଚ଼ଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । କରୋନା ଭାଇରସରୁ ବିଶ୍ବ କେବେ ମୁକୁଳିବ ତା ଉପରେ ଏବେ ପର୍ଯ୍ୟଟନ ଶିଳ୍ପ ସହ ସମ୍ପୃକ୍ତ ସବୁ ଲୋକଙ୍କ ନଜର । ଏବେ ଯାଏ ଏହି ରୋଗର କୌଣସି ପ୍ରତିଶେଷଧକ ବାହାରି ପାରି ନାହିଁ । ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଉଚ଼ିତ ମଣିଛନ୍ତି ।
First published: February 13, 2020, 9:50 PM IST