News18 Odia Digital
ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ। ଦେଶରେ ସଂକ୍ରମଣ ଉପର ମୁହାଁ ହୋଇଥିବା ବେଳେ ରାଜ୍ୟରେ ବି ବଢ଼ି ଚାଲିଛି। ଗତକାଲି ୩୦୦ ପାର କରିଥିବା ବେଳେ ଗତ କିଛି ଦିନ ହେବ ୨୦୦ ଉପରେ ସଂକ୍ରମଣ ରହୁଛି।
ସ୍ଥିତିକୁ ଦେଖି ସ୍ବାସ୍ଥ୍ୟ ବିଭାଗ ବି ସଜାଗ ହୋଇଛି। ଗୋଟେ ପଟ ସଂକ୍ରମଣ ବଢ଼ିଥିଲେ ବି ଏତେଟା ଗୁରୁତର ହେବନି ବୋଲି ଆକଳନ କରାଯାଉଛି। ଗୁରୁତର ରୋଗରେ ପୀଡିତ ଲୋକଙ୍କ ପାଇଁ ସାମାନ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଆକଳନ କରୁଛନ୍ତି। ଯାହା ବି ହେଉନା କାହିଁକି କୋଭିଡରୁ ବର୍ତ୍ତିବା ପାଇଁ ଟୀକାକରଣ ଉପରେ ଗୁରୁତ୍ବ ଦେଇଛି ବିଭାଗ।
ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, "ହର ଘର ଦସ୍ତକ କାର୍ଯ୍ୟକ୍ରମ ଜାରି ରହିଛି। ଏଏନଏମ, ଆଶା ଘର ଘର ବୁଲି ଟିକା ନେଇ ନଥିବା ଲୋକଙ୍କୁ ଚିହ୍ନଟ କରିବା ପରେ ଟୀକାକରଣ କରାଯାଉଛି। ୧୨ ରୁ ୧୪ ବର୍ଷ ପିଲା ୯୪ ପ୍ରତିଶତ ପ୍ରଥମ ଡୋଜ ନେଇଛନ୍ତି। ୧୫ ରୁ ୧୭ ବର୍ଷ ପିଲା ୯୧ ପ୍ରତିଶତ ନେଇଛନ୍ତି। ସ୍କୁଲ ଓ ଯୁକ୍ତ ଦୁଇ କଲେଜରେ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଉଛି। ୧୮ରୁ ଉର୍ଦ୍ଧ୍ବ ବର୍ଷ ପ୍ରଥମ ଡୋଜ ୯୬ ପ୍ରତିଶତ ଓ ଦ୍ବିତୀୟ ଡୋଜ ୯୦ ପ୍ରତିଶତ ନେଇଛନ୍ତି। ବାକି ଥିବା ଲୋକଙ୍କ ଟୀକାକରଣ ଉପରେ ଗୁରୁତ୍ଵ ଦିଆଯାଇଛି।’’
ବର୍ତ୍ତମାନ ସୁଦ୍ଧା ୨୭ ଲକ୍ଷ ଲୋକଙ୍କ ଦ୍ୱିତୀୟ ଡୋଜ ପାଇ ସମୟ ହୋଇଥିଲେ ବି ସେମାନେ ଟିକା ନେଇ ନାହାଁନ୍ତି। ଏଥିରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ସଂଖ୍ୟା ୧୯ ଲକ୍ଷ ଥିବା ବେଳେ ୧୫ ରୁ ୧୭ ବର୍ଷ ୪ ଲକ୍ଷ,୧୨ ରୁ ୧୪ ବର୍ଷ ୪ ଲକ୍ଷ ହିତାଧିକାରୀ ରହିଛନ୍ତି। ସେହିପରି ୬୦ ବର୍ଷରୁ ଅଧିକ ଲୋକ ମାତ୍ର ୨୦ ପ୍ରତିଶତ ପ୍ରିକସନ୍ ଡୋଜ ନେଇଛନ୍ତି।
ଏହି ବର୍ଗର ବ୍ୟକ୍ତିଙ୍କୁ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ। ସଂକ୍ରମଣ କମିଲେ ଟୀକାକରଣ ପ୍ରତି ଲୋକଙ୍କ ଆଗ୍ରହ କମୁଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଟୀକାକରଣ ଅମୋଘ ଅସ୍ତ୍ର। ଗୁରୁତର ହେବାରୁ ବର୍ତ୍ତିବା ପାଇ ଟୀକାକରଣ ବହୁତ୍ ଜରୁରୀ। ତେଣୁ ଟିକା ନେବାକୁ ସମସ୍ତେ ମାନିଲେ ଆଗାମୀ ଲହରରୁ ବର୍ତ୍ତି ପାରିବା ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।