ରାତି ପାହିଲେ ଖ୍ରୀଷ୍ଟମାସ୍ ଇଭ; କରୋନା କଟକଣା ପାଇଁ କଟକ ଚର୍ଚ୍ଚରେ ନାହିଁ ଆକର୍ଷଣୀୟ ଆୟୋଜନ

କରୋନା ପ୍ରକୋପ ପାଇଁ ଏବର୍ଷ ବି ଫିକା ପଡ଼ିବ କଟକ ଖ୍ରୀଷ୍ଟମାସ୍ । ପ୍ରତି ବର୍ଷ ରଙ୍ଗିନ ଆଲୋକମାଳାରେ ଚର୍ଚ୍ଚ ସହିତ ଏହାର ପରିସରରୁ ସୁସଜ୍ଜିତ କରାଯାଉଥିବା ବେଳେ ଏବେ ସେପରି କୌଣସି ଆୟୋଜନ ହିଁ ହୋଇନାହିଁ ।

କରୋନା କଟକଣା ପାଇଁ କଟକ ଚର୍ଚ୍ଚରେ ନାହିଁ ଆକର୍ଷଣୀୟ ଆୟୋଜନ

କରୋନା କଟକଣା ପାଇଁ କଟକ ଚର୍ଚ୍ଚରେ ନାହିଁ ଆକର୍ଷଣୀୟ ଆୟୋଜନ

  • Share this:
News18 Odia Digital

କଟକ: ଶନିବାର ପାଳନ ହେବ ବଡ଼ଦିନ । ଧରାବତରଣ କରିବେ ପରମ କରୁଣାମୟ ପ୍ରଭୁ ଯୀଶୁ । ଆଉ ଏହି ପବିତ୍ର ଦିନଟିକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି କଟକ ସହରର ସମସ୍ତ ଚର୍ଚ୍ଚ । ଚର୍ଚ୍ଚଗୁଡ଼ିକରେ ଆଲୋକ ସଜା କାର୍ଯ୍ୟ ଚାଲିଥିବା ବେଳେ ଏହାର ଆଖପାଖ ଅଞ୍ଚଳ ସଫେଇ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

ହେଲେ କେବଳ ଚର୍ଚ୍ଚର ହାତଗଣତି କିଛି କର୍ମଚାରୀଙ୍କ ବାଦ ଦେଲେ ପୂର୍ବ ବର୍ଷ ଗୁଡ଼ିକ ଭଳି ଚର୍ଚ୍ଚଗୁଡ଼ିକରେ ସେଭଳି ଭିଡ଼ ଦେଖିବାକୁ ମିଳୁନାହିଁ । ପ୍ରତି ବର୍ଷ ରଙ୍ଗିନ ଆଲୋକମାଳାରେ ଚର୍ଚ୍ଚ ସହିତ ଏହାର ପରିସରରୁ ସୁସଜ୍ଜିତ କରାଯାଉଥିବା ବେଳେ ଏବେ ସେପରି କୌଣସି ଆୟୋଜନ ହିଁ ହୋଇନାହିଁ । କେବଳ ଚର୍ଚ୍ଚ ପରିସରର ନୁହେଁ ବରଂ ସହରବାସିନ୍ଦାଙ୍କ ମଧ୍ୟରେ ବି ପୂର୍ବ ଭଳି ଉତ୍ସାହ ଦେଖିବାକୁ ମିଳୁନାହିଁ । କୋଭିଡ ସଂକ୍ରମଣର ଭୟ ଓ କଟକରେ ଓମିକ୍ରନ ଆକ୍ରନ୍ତ ଚିହ୍ନଟ ହେବା ପରେ ବଡ଼ଦିନ ଉତ୍ସବ ପାଳନ ଏକ ପ୍ରକାର ଫିକା ପଡ଼ିଛି । ଖ୍ରୀଷ୍ଟମାସ ଅବସରରେ ସହର ବିଭିନ୍ନ ସ୍ଥାନରେ ଖୋଲୁଥିବା ବିଭିନ୍ନ ସାମଗ୍ରୀର ଷ୍ଟଲ ସଂଖ୍ୟା ମଧ୍ୟ କମିଛି।

" ଆଜ୍ଞା ହଁ, ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ଏବେ ଖ୍ରୀଷ୍ଟମାସ ଉତ୍ସବ ପାଳନର ଶୈଳିରେ ପରିବର୍ତ୍ତନ ଆସିଛି । କିନ୍ତୁ ଠିକ୍ ଅଛି, କୋଭିଡ ନିୟମ ମାନି ସମସ୍ତଙ୍କୁ ଚଳିବାକୁ ପଡ଼ିବ," କହିଛନ୍ତି କଟକ ବାସିନ୍ଦା ସୁଜନ ପଲ୍ଲୋ।

କରୋନା ପ୍ରକୋପ ପାଇଁ ଏବର୍ଷ ବି ଫିକା ପଡ଼ିବ କଟକ ଖ୍ରୀଷ୍ଟମାସ୍


ଡିସେମ୍ବର ମାସ ୨୪ ତାରିଖ ମଧ୍ୟ ରାତ୍ରରେ ପ୍ରଭୁ ଯୀଶୁଙ୍କ ମା' ମେରିଙ୍କ କୋଳ ମଣ୍ଡନ କରିଥିବା ବିଶ୍ବାସ ରହିଛି । ସେଥିପାଇଁ ଡିସେମ୍ବର ୨୫ ତାରିଖକୁ ବଡ଼ଦିନ ଭାବେ ପାଳନ କରାଯାଇଥାଏ । କିନ୍ତୁ ବଡ଼ଦିନ ଅପେକ୍ଷା ଏହାର ପୂର୍ବ ସଂନ୍ଧ୍ୟା ଅନେକ ଗୁରୁତ୍ବ ବହନ କରିଥାଏ । ପ୍ରଭୁଙ୍କ ଆଗମନ ପୂର୍ବରୁ ୨୪ ତାରିଖ ତଥା ଆଜି ସନ୍ଧ୍ୟାରୁ ଚର୍ଚ୍ଚଗୁଡ଼ିକରେ ସ୍ବତନ୍ତ୍ର ଉତ୍ସବ ଆରମ୍ଭ ହୋଇଥାଏ । ମଧ୍ୟ ରାତ୍ର ପର୍ଯ୍ୟନ୍ତ ଚର୍ଚ୍ଚଗୁଡ଼ିକରେ ଏହି ଉତ୍ସବ ପାଳନ କରାଯାଇଥାଏ ।

ଏହା ପରେ ମଧ୍ୟ ରାତ୍ରକୁ ପ୍ରଭୁ ଯୀଶୁଙ୍କ ଧରାବତରଣ ସମୟ ଭାବେ ବିବେଚନା କରାଯାଇ ସେହି ସମୟରେ ଚର୍ଚ୍ଚଗୁଡ଼ିକରେ ସାମୁହିକ ପ୍ରାର୍ଥନା କରାଯିବା ସହ ଏକ ସ୍ବତନ୍ତ୍ର ପ୍ରାର୍ଥନାର ଆୟୋଜନ କରାଯାଇଥାଏ । ଏହି ପ୍ରାର୍ଥନାରେ ଶହ ଶହ ଲୋକ ଏକତ୍ରିତ ହୋଇ ପ୍ରଭୁଙ୍କ ଆଗମନର ଉତ୍ସବ ପାଳନ କରିଥାନ୍ତି । ହେଲେ କୋଭିଡ କଟକଣା ଲାଗିଥିବାରୁ ନିର୍ଦ୍ଦେଶାବଳିକୁ ମାନି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସମସ୍ତ କାର୍ଯ୍ୟକୁ ଶେଷ କରାଯିବ ବୋଲି କହିଛନ୍ତି କଟକର ବଡ଼ ଗିର୍ଜା କତ୍ତୃପକ୍ଷ। କଟକ ସହରରେ ଛୋଟ ବଡ଼ କରି ପ୍ରାୟ ୨୦ରୁ ଉର୍ଦ୍ଧ ଚର୍ଚ୍ଚ ରହିଥିବା ବେଳେ ସମସ୍ତ ଚର୍ଚ୍ଚ ବଡ଼ଦିନ ଉତ୍ସବ ପାଳନ କାର୍ଯ୍ୟକ୍ରମକୁ ସୀମିତ କରିଛନ୍ତି।

"କୋଭିଡ କଟକଣା ପାଇଁ ଆମେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ସବ ପାଳନ କରି ପାରିବୁ ନାହିଁ । ସୀମିତ ସମୟ ଓ ସୀମିତ ଲୋକଙ୍କ ଗହଣରେ ଯାହା କିଛି ପରମ୍ପରା ରହିଛି ସେଗୁଡ଼ିକୁ ଶେଷ କରିବା ପାଇଁ ଚେଷ୍ଠା କରିବୁ," କହିଛନ୍ତି କଟକ ବଡ଼ ଗିର୍ଜାର ପାଳକ ଡକ୍ଟର ନିହାର କୁମାର ବର୍ଦ୍ଧନ ।
Published by:Lipina Das
First published:
)}