News18 Odia Digital
ଭୁବନେଶ୍ବର: ତାମିଲନାଡୁ, କର୍ଣ୍ଣାଟକ, କେରଳ, ଦିଲ୍ଲୀ ଓ ମହାରାଷ୍ଟ୍ରରେ କୋଭିଡ ବଢ଼ିବାକୁ ନେଇ ଓଡ଼ିଶାରେ ଚିନ୍ତା। କାହିଁକି ନା ଗତ ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟରେ ୩୧ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ ଜିଲ୍ଲାପାଳଙ୍କୁ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ। କ୍ଲଷ୍ଟର କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ।
ଏଭଳି ସ୍ଥଳେ କେନ୍ଦ୍ରର ଗାଇଡ଼ଲାଇନ ଅନୁସାରେ ବିମାନ ବନ୍ଦରରେ ମାସ୍କକୁ କରାଯାଇଛି ବାଧ୍ୟତାମୂଳକ। ରାଜ୍ୟରେ ପୁଣି ମୁଣ୍ଡ ଟେକିବ କି କୋଭିଡ? ଆଉ ଏକ ଲହରର ସାମ୍ନା କରିବକି କି ଓଡ଼ିଶା? କାହିଁକି ନା ଦେଶ ପରେ ଏବେ ରାଜ୍ୟରେ ସଂକ୍ରମଣ ଉପର ମୁହାଁ।
୨୪ ଘଣ୍ଟାରେ ୨ ଗୁଣା ବଢ଼ିଛି ସଂକ୍ରମଣ। ବିମାନ ବନ୍ଦରରେ ମାକ୍ସ ପିନ୍ଧିବା ହେଲା ବାଧ୍ୟତାମୂଳକ। ୪ ମାସର ବିରତି ପରେ ଏବେ ପୁଣିଥରେ ଉପର ମୁହାଁ ସଂକ୍ରମଣ। ମହାରାଷ୍ଟ୍ର, ଦିଲ୍ଲୀ ଓ କେରଳ ପରି ରାଜ୍ୟରେ ମଧ୍ୟ ବଢ଼ିଛି ସଂକ୍ରମଣ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା କି ଗତ କାଲି ଅପେକ୍ଷା ଦୁଇ ଗୁଣ। ତେବେ ରାଜ୍ୟରେ ସଂକ୍ରମଣ ବଢ଼ିବା ଏକ ସତର୍କ ଘଣ୍ଟି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଏମିତି କି କଟକର ଏକ ୱାର୍କିଂ ହଷ୍ଟେଲରେ ୧୩ ଜଣ ଚିହ୍ନଟ ହୋଇଛନ୍ତି। ସେଠାରେ ଜଣେ ପଜିଟିଭ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ଦ୍ୱାରା ଅନ୍ୟମାନେ ସଂକ୍ରମିତ ବୋଲି ଜଣାପଡ଼ିଛି। ତେବେ ଏଭଳି ସ୍ପୋରାଡିକ ଆଉଟବ୍ରେକ ହେବ। ଟ୍ରାନ୍ସମିସନ ଏବେ ଯାଏଁ ବନ୍ଦ ହୋଇନାହିଁ। ସେଥିପାଇଁ ସବୁ ଜିଲ୍ଲାଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଲଷ୍ଟର କଣ୍ଟେମେଣ୍ଟ କଲେ ବ୍ୟାପିବ ନାହିଁ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ
ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟୀକାକରଣ ଓ କୋଭିଡ ଆପ୍ରୋପ୍ରିଏଟ ବ୍ୟବହାର ମାନିବାକୁ ପଡ଼ିବ। ସେପଟେ ଦେଶରେ ସଂକ୍ରମଣ ବଢୁଥିବା ଦେଖି ସବୁ ଏୟାରପୋର୍ଟରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଯିଏ ନିୟମ ଖିଲାପ କରିବ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଟର୍ମିନାଲ ମ୍ୟାନେଜରକୁ ନିର୍ଦ୍ଦେଶ ମାସ୍କ ପିନ୍ଧୁନଥିବା ଲୋକଙ୍କ ଠାରୁ ୫୦୦ ଟଙ୍କା ଫାଇନ ଆଦାୟ କରିବା ପାଇଁ।
ସେହିପରି ଦେଶରେ ବଢୁଥିବା ସଂକ୍ରମଣ ଚତୁର୍ଥ ଲହର ଆଣିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ହେଲେ ଏହା ପ୍ରଥମ ଦ୍ୱିତୀୟ ଲହର ପରି ଭୟାନକ ହୋଉ ନପାରେ। କିନ୍ତୁ ଭାଇରସ ରୂପ ବଦଳାଇଲେ ବିପଦ ବଢ଼ିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେବେ ୨୪ ଘଣ୍ଟାରେ ୭,୨୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢୁଛି। ବେଳ ଥାଉ ସାବଧାନ ନ ହେଲେ ଆଗକୁ ବଡ଼ ବିପଦକୁ ଏଡାଇ ଦିଆଯାଇ ନପାରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।