ଭିଏସଏସ ନଗର ଗଡେଶ୍ବର ହାଟରେ ଦୋକାନୀଙ୍କ ସଂଖ୍ୟାକୁ ନେଇ ବିବାଦ; ଆଗକୁ ଜୋରଦାର ହେବ ପ୍ରତିବାଦ

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହୋଇଥିବା ସର୍ଭେରେ ହାଟର ବ୍ୟବସାୟୀଙ୍କ ସଂଖ୍ୟା ୩୬୬ ଭିତରେ ସୀମିତ ରଖାଯାଇଛି, ଯାହାକୁ ବିରୋଧ କରିଛି ବଣିକ ସଙ୍ଘ। କାରଣ ବ୍ୟବସାୟୀ ସଙ୍ଘ ଯୁକ୍ତି ରଖିଛି ଯେ, ଏହାଦ୍ୱାରା ହାଟରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଥିବା ବ୍ୟବସାୟୀମାନେ ନିଜର ପରିଚୟ ହରାଇବେ।

ଭିଏସଏସ ନଗର ଗଡେଶ୍ବର ହାଟରେ ଦୋକାନୀଙ୍କ ସଂଖ୍ୟାକୁ ନେଇ ବିବାଦ

ଭିଏସଏସ ନଗର ଗଡେଶ୍ବର ହାଟରେ ଦୋକାନୀଙ୍କ ସଂଖ୍ୟାକୁ ନେଇ ବିବାଦ

  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ୱରରେ ଥିବା ବିଭିନ୍ନ ହାଟରେ କ୍ରମାଗତ ଭାବେ ବିବାଦ ମୁଣ୍ଡ ଟେକିବାରେ ଲାଗିଛି। ନିକଟରେ ଉଚ୍ଛେଦ କାରଣକୁ ନେଇ ଝାରପଡ଼ା ଗଣେଶ ହାଟ ଚର୍ଚ୍ଚାରେ ରହିଥିଲା। ଏବେ ଭିଏସଏସ ନଗର ସ୍ଥିତ ଗଡ଼େଶ୍ୱର ହାଟକୁ ନେଇ ଏବେ ବିବାଦ ମୁଣ୍ଡ ଟେକିବାରେ ଲାଗିଛି। ବିବାଦର କାରଣ ହେଉଛି ହାଟରେ ଥିବା ବ୍ୟବସାୟୀଙ୍କ ସଂଖ୍ୟାକୁ ନେଇ। ଅର୍ଥାତ ହାଟରେ ଥିବା ନିୟମିତ ବ୍ୟବସାୟୀଙ୍କ ସଂଖ୍ୟା ତଥା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତ ଦୋକାନୀଙ୍କ ସଂଖ୍ୟା ଭିତରେ ଫରକ ସୃଷ୍ଟି ହିଁ ଏହି ବିବାଦର କାରଣ ସାଜିଛି।

ଗଡ଼େଶ୍ୱର ହାଟ ବଣିକ ସଙ୍ଘର ସଭାପତି ଲକ୍ଷ୍ମଣ ସାହୁଙ୍କ ସୂଚନା ଅନୁସାରେ, ଦୀର୍ଘ ବର୍ଷ ଧରି ଏହି ହାଟରେ ୬୫୦ରୁ ଅଧିକ ବ୍ୟବସାୟୀ ଛୋଟ ବଡ଼ ବ୍ୟବସାୟ ଚଳାଇ ଆସୁଛନ୍ତି। ନିୟମିତ ଭାବେ ହାଟରୁ ୬୫୦ ବ୍ୟବସାୟୀଙ୍କଠାରୁ ଟୋକନ ଅର୍ଥ ମଧ୍ୟ ଆଦାୟ କରାଯାଉଛି। ମୋଟ ଉପରେ କହିବାକୁ ଗଲେ ଏହି ହାଟ ବର୍ଷ ବର୍ଷ ଧରି ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୩୫ ହଜାରରୁ ଅଧିକ ଲୋକଙ୍କର ଭାତହାଣ୍ଡି ସାଜିଛି। କିନ୍ତୁ ସେମାନଙ୍କ ପେଟକୁ ଲାତ ମାରୁଛି ପ୍ରଶାସନିକ ନିଷ୍ପତ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହୋଇଥିବା ସର୍ଭେରେ ହାଟର ବ୍ୟବସାୟୀଙ୍କ ସଂଖ୍ୟା ୩୬୬ ଭିତରେ ସୀମିତ ରଖାଯାଇଛି, ଯାହାକୁ ବିରୋଧ କରିଛି ବଣିକ ସଙ୍ଘ। କାରଣ ବ୍ୟବସାୟୀ ସଙ୍ଘ ଯୁକ୍ତି ରଖିଛି ଯେ, ଏହାଦ୍ୱାରା ହାଟରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଥିବା ବ୍ୟବସାୟୀମାନେ ନିଜର ପରିଚୟ ହରାଇବେ। କାରଣ କୋର୍ଟଙ୍କ ଅନୁମତି କ୍ରମେ ହାଟରେ ବ୍ୟବସାୟୀଙ୍କ ସଂଖ୍ୟା ଧାର୍ଯ୍ୟ ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏଥିରେ ଚଞ୍ଚକତା କରାଯାଉଥିବା ଅଭିଯୋଗ ହୋଇଛି। କିଛି ନିଗମ ଅଧିକାରୀ ୬୫୦ ସଂଖ୍ୟା ଦର୍ଶାଇବାକୁ ଲାଞ୍ଚ ଦାବି କରିଛନ୍ତି। ଏହାକୁ ବିରୋଧ କରି ଆସୁଛି ବଣିକ ସଙ୍ଘ।

ଏହି ଘଟଣାରେ ନୀତିଗତ ନିଷ୍ପତ୍ତି ପାଇଁ ଶନିବାର ହାଟ ପରିସରରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ଏହି ସମସ୍ୟା ଉପରେ ବିସ୍ତ୍ରୁତ ଆଲୋଚନା ହେବା ସହ ବ୍ୟବସାୟୀ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସହିତ କିଛି ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ଫେରାଦ ହେବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ପ୍ରକୃତ ବ୍ୟବସାୟୀଙ୍କୁ ଚିହ୍ନଟ କରା ନ ଗଲେ ଆଗକୁ ପ୍ରତିବାଦ ଜୋରଦାର ହେବ ସଙ୍ଘ ଚେତାବନୀ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ପକ୍ଷରେ ଏହି ଘଟଣା ଉପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ।
Published by:Lipina Das
First published: