ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଢୁଛି ବିବାଦ; ଭିନ୍ନ ଭିନ୍ନ ମତ ରଖିଲେ ବିରୋଧୀ ଦଳ

ସରକାରଙ୍କ ତରଫରୁ କୁହାଯାଇଛି ଯେ, ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପୂର୍ବ ଭଳି ଜାରି ରହିବ। କାମ ବନ୍ଦ କରିବାକୁ ହାଇକୋର୍ଟ କହିନାହାଁନ୍ତି। ତେଣୁ ତ୍ୱରାନ୍ୱିତ ବେଗରେ କାମ ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଢୁଛି ବିବାଦ

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଢୁଛି ବିବାଦ

  • Share this:
News18 Odia Digital

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଢୁଛି ବିବାଦ। ବଢୁଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ରାଜ୍ୟ ସରକାର କଳା ପାହାଡ଼ ମାନସିକତା ଛାଡ଼ି ଭୁଲକୁ ସ୍ୱୀକାର କରନ୍ତୁ। ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ DPR ଦାଖଲ କରାଯାଇଥିବା ସେ କହିଛନ୍ତି। ବିଜୟ ମହାପାତ୍ର କହିଛନ୍ତି ଅହଙ୍କାର ଓ ଅବହେଳା ଲଢେ଼ଇରେ କ୍ଷତି ସହୁଛନ୍ତି ଜଗନ୍ନାଥ ପ୍ରେମୀ।

କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ପ୍ରକଳ୍ପ ଆଇନ ଅନୁମୋଦିତ ନୁହେଁ। ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଅବାନ୍ତର ଅଭିଯୋଗ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁଶ ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରେସ୍ କନଫରେନ୍ସ।

ପ୍ରେସ କନଫରେନ୍ସରେ ୩ଟି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ସମ୍ବିତ ପାତ୍ର। ସେ କହିଛନ୍ତି ଯେ ହାଇକୋର୍ଟରେ ଦାଖଲ ରିପୋର୍ଟ ଦେଖିଲେ ଧୌର୍ଯ୍ୟଚ୍ୟୁତ୍‌ ଘଟୁଛି । ବିନା ଅନୁମତିରେ ରାଜ୍ୟ ସରକାର ନିର୍ମାଣ କାମ କରୁଥିଲେ। ଏହା ବେଆଇନ ନୁହେଁ କି? କିଏ ଉତ୍ତର ଦେବ ବୋଲି ପ୍ରଶ୍ନ କରିଛନ୍ତି ସେ।

ଦାଖଲ ରିପୋର୍ଟରେ ବାରମ୍ବାର ଡିପିଆର ବଦଳାଯାଉଥିବା ଉଲ୍ଲେଖ ଅଛି। ଯଦି ନିର୍ମାଣରେ ସନ୍ଦେହ ନ ଥିଲା କାହିଁକି ଡିପିଆର ବଦଳାଉଥିଲେ ବୋଲି ପ୍ରଶ୍ନ କରିଛନ୍ତି। ୧୦୦ ମିଟର ନିଷିଦ୍ଧାଞ୍ଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ। ୨୦୦ ମିଟର ରେଗୁଲେଟେଡ୍ ଏରିଆରେ ଅନୁମତି ନେଇ ନିର୍ମାଣ କରିହେବ। ମାତ୍ର ରିସେପସନ୍ ନିଷିଦ୍ଧାଞ୍ଚଳରୁ ରେଗୁଲେଟେଡ୍ ଏରିଆକୁ ସ୍ଥାନାନ୍ତର କରାଯାଇଥିବା ଉଲ୍ଲେଖ ଅଛି। ଏଥିରୁ ସ୍ପଷ୍ଟ ହୋଇଛି ରିସେପସନ୍ କାଉଣ୍ଟର ନିଷିଦ୍ଧାଞ୍ଚଳରେ କରୁଥିଲେ।

ଶ୍ରୀମନ୍ଦିର ପ୍ରରିକ୍ରମା ପ୍ରକଳ୍ପ ବିବାଦ ନେଇ ହାଇକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ଓ ଏଏସଆଇକୁ ବିଜୟ ମହାପାତ୍ର ଟାର୍ଗେଟ କରିଛନ୍ତି। ବିଜୟ କହିଛନ୍ତି ଯେ ରାଜ୍ୟ ସରକାର ବେଆଇନ ଭାବେ କାମ କରିବା ଯେତିକି ଭୁଲ, ଏଏସଆଇ ତଦାରଖ ନକରିବା ସେତିକି ଭୁଲ। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଦାୟିତ୍ୱ ଏଏସଆଇର, ତେବେ ବେଆଇନ କାର୍ଯ୍ୟର ପ୍ରତିରୋଧ କଲା ନାହିଁ କାହିଁକି? ଏଏସଆଇର ରିପୋର୍ଟ ଉଦବେଗଜନକ। ଏଏସଆଇ ଦାୟୀତ୍ୱରେ ଅବହେଳା କରିଛି। ହାଇକୋର୍ଟରେ ଏଏସଆଇ ପ୍ରଥମେ ଚୁପ ରହିଲା, ତାପରେ 15 ଦିନ ସମୟ ମାଗିଲା କାହିଁକି? ଏଏସଆଇ କାହିଁକି ନିର୍ମାଣ କାମ ଉପରେ ହାଇକୋର୍ଟଙ୍କ ନିକଟରେ ଷ୍ଟେ ଅର୍ଡର ମାଗିଲା ନାହିଁ? ଯଦି ବେଆଇନ କାମ ହେଉଥିଲା, ତାହେଲେ କାହିଁକି ଏଫଆଇଆର କଲା ନାହିଁ ଏଏସଆଇ? କାହା ଚାପରେ ଏଏସଆଇ ରହିଛି? କେଉଁ ପଦସ୍ତ ଅଫିସରଙ୍କ ଚାପରେ ଅଛି ଏଏସଆଇ?

ସେପଟେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବି ସମାନ ଢ଼ଙ୍ଗରେ ଟାର୍ଗେଟ କରିଛନ୍ତି। ନରସିଂହ କହିଛନ୍ତି, ‘‘ମନ୍ଦିର ପ୍ରସଙ୍ଗରେ ରାଜ୍ୟ ସରକାର ନିୟମକୁ ଉଲ୍ଲଂଘନ କରି କାମ ଚଳାଇବା ଦୁର୍ଭାଗ୍ୟ ଜନକ। ଗୃହ କମିଟି ଗଠନ କରାଯାଇଥିଲେ ମଧ୍ୟ କମିଟି ଏ ପର୍ଯ୍ୟନ୍ତ ପ୍ରକଳ୍ପ ବୁଲି ଦେଖିନି। ଏଏସ ଆଇ ସ୍ୱୀକାର କରିଛି ଆମେ ଅନୁମତି ଦେଇନୁ। କିଛି ଅଞ୍ଚଳ ଅଛି ଯେଉଁଠି ଅନୁମତିର ଆବଶ୍ୟକତା ନାହିଁ । ସେଠାରେ ମଧ୍ୟ କାମ ଚାଲିଛି। ହାଇକୋର୍ଟ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ଉଚିତ ଥିଲା । ଗୃହ କମିଟି ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରୁ ବୋଲି ବାଚସ୍ପତିଙ୍କୁ ଚିଠି ଲେଖି ଅନୁରୋଧ କରିବି।

ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ‘‘କଳାପାହାଡିଆ ମନୋବୃତ୍ତି ରାଜ୍ୟ ସରକାରଙ୍କର ନାହିଁ। ଏହା ଏକ ଅବାନ୍ତର ଅଭିଯୋଗ। ଶ୍ରୀ ଜଗନ୍ନାଥ କ୍ଷେତ୍ର ଓ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପାରିପାର୍ଶ୍ୱିକ ଉନ୍ନୟନ କିଭଳି ହୋଇପାରିବ ସେଥିପାଇଁ ସରକାର ଚେଷ୍ଟା କରୁଛନ୍ତି। ଏଭଳି ସ୍ଥାନଗୁଡ଼ିକ ମହତ୍ତ୍ୱ ବୃଦ୍ଧି ସହିତ ଲୋକଙ୍କ ଜୀବନ ଜୀବିକା କିଭଳି ସମୃଦ୍ଧ ହୋଇପାରିବ ସେଥିପାଇଁ ଉଦ୍ୟମ କରାଯାଉଛି।’’

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଦାଖଲ ପରେ ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସରକାର। ସରକାରଙ୍କ ତରଫରୁ କୁହାଯାଇଛି ଯେ, ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ପୂର୍ବଭଳି ଜାରି ରହିବ। କାମ ବନ୍ଦ କରିବାକୁ ହାଇକୋର୍ଟ କହିନାହାଁନ୍ତି। ତେଣୁ ତ୍ୱରାନ୍ୱିତ ବେଗରେ କାମ ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ଅନ୍ୟପଟେ ନ୍ୟାସନାଲ ମୁନ୍ୟମେଣ୍ଟ ଅଥରିଟିର ଏନେଇ ଏନଓସି ରହିଛି। ଓଡ଼ିଶା ସରକାର ଏଏସଆଇ ସହ ମିଶି କାମ କରିବାକୁ ଚାହୁଁଛନ୍ତି ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି।
Published by:Lipina Das
First published: