ଏଆରପୋର୍ଟରେ ବିଲଡିଂ ବନାଉଥିବା କଣ୍ଟ୍ରାକ୍ଟର ୨୦୦୯ରେ ଏକ ଶ୍ରମିକର ମୃତ୍ୟୁ ପାଇଁ ଦାୟୀ ଥିଲା

‘‘ମୁଁ ଗରିବ, ଅଶିକ୍ଷିତ ହୋଇଥିବାରୁ କିଛି ଜାଣି ନ ପାରି ବାଧ୍ୟ ହୋଇ କମ୍ପର୍‌ମାଇଜ୍‌ କରିଥିଲି । ତା’ ବଦଳରେ ଦିଲିପ ଖଟେଇ ମୋତେ ଦେଇଥିଲେ ୪ ଲକ୍ଷ ଟଙ୍କା । କମ୍ପାନୀର ଅସାବଧାନତା ପାଇଁ ମୁଁ ମୋ’ ଯୁବକ ପୁଅକୁ ହରେଇଲି,’’ କହିଛନ୍ତି ମୃତ ପ୍ରଦୀପର ବାପା ମକର ସାମଲ ।

ଏଆରପୋର୍ଟରେ ବିଲଡିଂ ବନାଉଥିବା କଣ୍ଟ୍ରାକ୍ଟର ୨୦୦୯ରେ ଏକ ଶ୍ରମିକର ମୃତ୍ୟୁ ପାଇଁ ଦାୟୀ ଥିଲା
୨୦୦୯ରେ ଦୁର୍ଘଟଣାରେ ପ୍ରାଣ ହରେଇଥିବା ପ୍ରଦୀପ ସାମଲ
  • News18 Odia
  • Last Updated: January 27, 2020, 11:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ନିର୍ମାଣଧୀନ ବିଲଡିଂର ଛାତ ଭୁଶୁଡିବା ଘଟଣାରେ ଯେଉଁ କନଷ୍ଟ୍ରକସନ କମ୍ପାନୀର ମାଲିକ ଦିଲିପ ଖଟେଇ ଗିରଫ ହୋଇଛନ୍ତି, ପୂର୍ବରୁ ତାଙ୍କ ଦାୟିତ୍ବହୀନତା ଯୋଗୁଁ ଆଉ ଜଣେ ଶ୍ରମିକର ମୃତ୍ୟୁ ହୋଇଛି ।

ବିମାନ ବନ୍ଦର ଦୁର୍ଘଟଣାର ଖବର ପାଇବା ପରେ ଦଶ ବର୍ଷ ତଳେ ଏମିତି ଏକ ଦୁର୍ଘଟଣାରେ ପ୍ରାଣ ହରେଇଥିବା ପ୍ରଦୀପ ସାମଲଙ୍କ ବାପା ମୁହଁ ଖୋଲିଛନ୍ତି ଓ ନ୍ୟାୟ ମାଗିଛନ୍ତି । ୨୦୦୯ରେ ହୋଇଥିବା ସେହି ଦୁର୍ଘଟଣା ପରେ ଖଟେଇ ମୃତ ପ୍ରଦୀପଙ୍କ ବାପାଙ୍କୁ ୪ ଲକ୍ଷ ଟଙ୍କା ଦେଇ କେସ୍ କମ୍ପରମାଇଜ୍‌ କରିବା ପାଇଁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

‘‘ମୋ’ର ନ୍ୟାୟ ଦରକାର । ମୋ’ ପୁଅର କଞ୍ଚା ବୟସରେ ମୃତ୍ୟୁର ସେ ମାମଲା ଖୋଲଯାଇ ଆଉଥରେ ଅନୁସନ୍ଧାନ ହେବା ମୁଁ ଦାବି କରୁଛି,’’ କହିଛନ୍ତି ମୃତ ପ୍ରଦୀପ ସାମଲଙ୍କ ବାପା ମକର ସାମଲ ।

୨୦୦୯ ମାର୍ଚ୍ଚ ୧୭ ତାରିଖ ଦିନ ଏକ ଘରୋଇ ମେଡିକାଲ କଲେଜର ନିର୍ମାଣାଧୀନ ଛାତ ଉପରେ ଚଢ଼ି କାମ କରୁଥିଲେ ଭୁବନେଶ୍ବର ଉପକଣ୍ଠ ଅସ୍ତପଦା ଗାଁର ପ୍ରଦୀପ ସାମଲ । ସେତେବେଳେ ତାଙ୍କୁ ବୟସ ମାତ୍ର ୨୨ ବର୍ଷ । କାମ କରୁଥିବା ବେଳେ ହଠାତ୍ ୩୦ ଫୁଟ୍ ତଳକୁ ଖସି ପଡିଥିଲେ ସେ । ଗୁରୁତର ଅବସ୍ଥାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା କଳିଙ୍ଗ ହସ୍ପିଟାଲରେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତା’ପରେ ପ୍ରଦୀପଙ୍କ ପରିବାର ଲୋକେ ଅଭିଯୋଗ ପାଇଁ ପହଞ୍ଚିଥିଲେ ଇନଫୋସିଟି ଥାନାରେ ।

ମୃତ ପ୍ରଦୀପର ବାପା ମକର ସାମଲ


‘‘ଅଯଥା ମାମଲାକୁ ଆଗକୁ ନ ବଢ଼େଇ ଆପୋସ ସମାଧାନ କରିବାକୁ ଦିଲିପ ଖଟେଇ ମୋ’ ଉପରେ ଚାପ ପକାଇଥିଲେ । ଏପରିକି ପୋଲିସ ମଧ୍ୟ ମାମଲାର କମ୍ପରମାଇଜ୍ ପାଇଁ ମୋ’ ଉପରେ ଚାପ ପକାଇଥିଲା । ମୁଁ ଗରିବ, ଅଶିକ୍ଷିତ ହୋଇଥିବାରୁ କିଛି ଜାଣି ନ ପାରି ବାଧ୍ୟ ହୋଇ କମ୍ପରମାଇଜ କରିଥିଲି । ତା’ ବଦଳରେ ଦିଲିପ ଖଟେଇ ମୋତେ ଦେଇଥିଲେ ୪ ଲକ୍ଷ ଟଙ୍କା । କମ୍ପାନୀର ଅସାବଧାନତା ପାଇଁ ମୁଁ ମୋ’ ଯୁବକ ପୁଅକୁ ହରେଇଲି । ମୋତେ ନ୍ୟାୟ ଦରକାର,’’ ନ୍ୟୁଜ ୧୮ ଓଡ଼ିଆ ଡିଜିଟାଲକୁ କହିଛନ୍ତି ପ୍ରଦୀପଙ୍କ ବାପା ମକର ସାମଲ ।

ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରଦୀପଙ୍କ ମୃତ୍ୟୁ ପରେ ଇନଫୋସିଟି ଥାନା ଅପମୃତ୍ୟୁ ମାମଲା ୨/୨୦୦୯ରେ ରୁଜୁ ହୋଇଥିଲା ଏକ କେସ୍‌ । ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ ବି କରିଥିଲା ପୋଲିସ । କେମିତି ୩୦ ଫୁଟ୍ ତଳକୁ ଖସି ପଡିଲେ ପ୍ରଦୀପ, ଦୁଇ ମହଲା ଛାତ ଉପରେ ସେ କ’ଣ କାମ କରୁଥିଲେ, କାମ କରିବା ସମୟରେ ସେଫଟି ମେଜର ନିଆଯାଇଥିଲା କି ନାହିଁ ଆଦି ଅନେକ କଥା ତଦନ୍ତର ଅନ୍ତର୍ଭୁକ୍ତ ଥିଲା ।

ନିର୍ମାଣ କମ୍ପାନୀର ମାଲିକ ଦିଲୀପ ଖଟେଇ


ତଦନ୍ତବେଳେ ଜଣାପଡିଥିଲା ଯେ କାମ କରୁଥିବା ବେଳେ ପ୍ରଦୀପଙ୍କୁ ନା ସେଫ୍ଟଟି ବେଲ୍ଟ ଦିଆଯାଇଥିଲା ନା ତାଙ୍କ ମୁଣ୍ଡରେ ଥିଲା ହେଲମେଟ୍ । ବିନା ସେଫ୍ଟଟି ମେଜର ରେ ସେ କାମ କରୁଥିଲେ । କନଷ୍ଟ୍ରକସନ କମ୍ପାନୀର ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ତଦନ୍ତରୁ ପୋଲିସ ପାଇଥିଲା ।

ସମସ୍ତ ତଥ୍ୟ ଓ ପ୍ରମାଣ ମିଳିବା ପରେ ବି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସିଥିଲା । ଶେଷରେ ଚ଼ାରି ବର୍ଷ ପରେ, ଅର୍ଥାତ୍ ୨୦୧୩ ଜୁନ ୧ ତାରିଖରେ, ମାମଲାକୁ କ୍ଲୋଜ କରିଦେଇଥିଲା ପୋଲିସ ।

ଏଠାରେ ପ୍ରଶ୍ନ ଉଠୁଛି ଯେ ତଥ୍ୟ ଓ ପ୍ରମାଣ ମିଳିବା ପରେ ବି କାହିଁକି ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସିପଡିଥିଲା ପୋଲିସ? ପୋଲିସ ଉପରେ କିଏ ପକେଇଥିଲା ଚ଼ାପ ? କାହିଁକି ଜଣେ ଶ୍ରମିକକୁ ନ୍ୟାୟ ନ ଦେଇ କମ୍ପାନୀ ମାଲିକଙ୍କୁ ସୁରକ୍ଷା ପ୍ରଦାନ କରିଥିଲା ପୋଲିସ?

ବିମାନ ବନ୍ଦର ଅଘଟଣରେ ଦିଲିପ ଗିରଫ ହେବା ପରେ ପ୍ରଦୀପଙ୍କ ବାପା ମକର ପଚ଼ାରିଛନ୍ତି: ‘‘ମୋ’ ପୁଅର ଜୀବନର ମୂଲ୍ୟ କଣ ୪ ଲକ୍ଷ ଟଙ୍କା? ମୋ’ ପୁଅର ମୃତ୍ୟୁ ପାଇଁ ଦିଲିପ ଖଟେଇ ଦାୟୀ । ତେଣୁ ସେ ମାମଲାର ରିଓପନିଂ କରାଯାଉ । ମୋତେ ନ୍ୟାୟ ମିଳୁ ।’’

ବିମାନ ବନ୍ଦରରେ ଛାତ ଭୁଶୁଡିବା ଘଟଣାରେ ଅନ୍ତର୍ଯ୍ୟାମୀ ଗୁରୁ ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ଦିଲିପଙ୍କ ସମେତ ଚ଼ାରି ଜଣଙ୍କୁ ଗିରଫ କରି କୋର୍ଟ ଚ଼ାଲାଣ କରିଛି ।
First published: January 27, 2020, 11:08 PM IST
corona virus btn
corona virus btn
Loading