News18 Odia Digital
ଭୁବନେଶ୍ୱର: ପୂର୍ବରୁ ରାଜ୍ୟ ସରକାର ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କମର୍ଚାରୀଙ୍କ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଥିବା ବେଳେ ଆଜି ଆଉଟସୋରସିଂ ସଂସ୍ଥା ଜରିଆରେ ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଉଟସୋରସିଂ ସଂସ୍ଥା ଜରିଆରେ ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି ରାଜ୍ୟ ସରକାର।
ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତିମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି।
ଏହା ଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହା ସହ ଆଉଟସୋରସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି ବ୍ୟକ୍ତି ମାନଙ୍କର ଇ.ପି.ଏଫ ଓ ଇ.ଏସ୍.ଆଇ ପରି ବୈଧାନିକ ଦେୟ ସଂପୃକ୍ତ ସଂସ୍ଥା ପୈଠ କରିବେ। ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ । ଉପରୋକ୍ତ ବୈଧାନିକ ଦେୟ ପୈଠ କରିବାରେ ହେଳା କରୁଥିବା ସଂସ୍ଥା ଗୁଡିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଛୁଟି ସଂକ୍ରାନ୍ତରେ ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ମାତୃତ୍ବ ଛୁଟି ପ୍ରଦାନ ବିଷୟ ବିଚାର କରି ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ରାଜ୍ୟ ସରକାର ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କମର୍ଚାରୀଙ୍କ ପାଇଁ ବଡ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।ଚୁକ୍ତିଭିତ୍ତିକ କମର୍ଚାରୀଙ୍କ ଇନିସିଆଲ ଆପଏଣ୍ଟିଜ୍ ନିଯୁକ୍ତି ନେଇ ନିସ୍ପତି ନେଇଥିଲେ ସରକାର। ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ଦରମା ପାଇବେ।ଚାକିରୀର ପ୍ରଥମ ବର୍ଷରୁ ନୂଆ ନିୟମ ଲାଗୁ କରିବାକୁ ସରକାରଙ୍କ ଘୋଷଣା କରିଥିଲେ। ଚାକିରିର ୬ ବର୍ଷ ପରେ ନିୟମିତ ଚାକିରିର ମାନ୍ୟତା ମିଳିବ। ନିୟମିତ କର୍ମଚାରୀଙ୍କ ଭଳି ମେଡିକାଲ ଖର୍ଚ୍ଚ ପାଇବେ। ଏଥିପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ଅଧିକ ବ୍ୟୟ କରିବେ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।