ସମ୍ବଲପୁର ସହରର ଫ୍ଲାଏ ଓଭର ବ୍ରିଜକୁ ନେଇ କଂଗ୍ରେସର ଦାବି; ଏଯାବତ ଶେଷ ହୋଇନି କାମ

୨୦୧୬ ଫେବୃଆରୀ ୧୨ ତାରିଖରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ୨୦୧୭ ମେ ୧୧ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ ଧାର୍ଯ୍ୟ ହୋଇଥିଲା । ତେବେ ଆରମ୍ଭ ହେବା ଦିନରୁ ଏହାର ଡିଜାଇନକୁ ତିନି ଥର ପରିବର୍ତ୍ତନ କରାଯାଇଥିଲା ।

ସମ୍ବଲପୁର ସହରର ଫ୍ଲାଏ ଓଭର ବ୍ରିଜକୁ ନେଇ କଂଗ୍ରେସର ଦାବି

ସମ୍ବଲପୁର ସହରର ଫ୍ଲାଏ ଓଭର ବ୍ରିଜକୁ ନେଇ କଂଗ୍ରେସର ଦାବି

  • Share this:
News18 Odia Digital

ସମ୍ବଲପୁର: ସମ୍ବଲପୁର ସହରର ଜନସାଧାରଣଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିଲା ଫ୍ଲାଏ ଓଭର ବ୍ରିଜ। ଏହି ଫ୍ଲାଏ ଓଭର ବ୍ରିଜ ଯୋଗୁ ସହରର ଟ୍ରାଫିକ ସମସ୍ୟାର ସମାଧାନ ହେବ ବୋଲି ସମସ୍ତେ ଆଶା କରିଥିଲେ । ତେବେ ୨୦୧୬ରୁ ଏହି ବ୍ରିଜ୍ କାମ ଆରମ୍ଭ ହୋଇଥିବା ବେଳେ ପ୍ରଶାସନର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନି କାମ । ଯାହା ଦ୍ବାରା ଏହି ଅଧା ପନ୍ତରିଆ ବ୍ରିଜ ଏବେ ସମ୍ବଲପୁର ସହରବାସୀଙ୍କ ପାଇଁ ପାଲଟିଛି ସମସ୍ୟା । ସମ୍ବଲପୁର ସହର ମଧ୍ୟରେ ଟ୍ରାଫିକ ସମସ୍ୟାକୁ ସମାଧାନ କରିବା ପାଇଁ ଧୁତୁରାପଡା ଛକରୁ କଚେରୀ ଛକ ପର୍ଯ୍ୟନ୍ତ ଟାଉନ୍ ମଧ୍ୟରେ ଆରମ୍ଭ ହୋଇଥିଲା ଫ୍ଲାଏ ଓଭର ବ୍ରିଜ ।

୨୦୧୬ ଫେବୃଆରୀ ୧୨ ତାରିଖରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ୨୦୧୭ ମେ ୧୧ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ ଧାର୍ଯ୍ୟ ହୋଇଥିଲା । ତେବେ ଆରମ୍ଭ ହେବା ଦିନରୁ ଏହାର ଡିଜାଇନକୁ ତିନି ଥର ପରିବର୍ତ୍ତନ କରାଯାଇଥିଲା । ଏହାର ଦୀର୍ଘତା ପୂର୍ବରୁ ୧ ହଜାର ୫୪୦ ମିଟର ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ୧ ହଜାର ୮୮୦ ମିଟର ମିଟରକୁ ବୃଦ୍ଧି କରାଯାଇଥିଲା । ତେବେ ବିଭାଗୀୟ ଅବହେଳା ଯୋଗୁଁ ଏହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ।

୨୦୧୭ ମେ ୧୨ରେ କାର୍ଯ୍ୟ ଶେଷ ନ ହେବାରୁ ଠିକା ସଂସ୍ଥା ୨୦୧୮ ଜୁନ ପର୍ଯ୍ୟନ୍ତ ମହଲତ ମାଗିଥିଲା । ତେବେ ୨୦୧୮ ଜୁନରୁ ଏହା ୨୦୨୧ ନଭେମ୍ବର ହୋଇଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ଶେଷ ହୋଇ ପାରିନାହିଁ । ଅନ୍ୟ ପଟେ ସର୍ଭିସ ରୋଡର ସୁବିଧା ନଥିବାରୁ ସହରବାସୀ ପାଞ୍ଚ ବର୍ଷ ହେଲା ଫ୍ଲାଇ ଓଭର ଜନିତ ଟ୍ରାଫିକ ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ଏହି ବ୍ରିଜର ବ୍ୟୟ ଅଟକଳ ପୂର୍ବରୁ ୬୨.୩୮ କୋଟି ଥିବା ବେଳେ ବର୍ତ୍ତମାନ ଏହା ୧୧୮ କୋଟି ଟଙ୍କା ହୋଇଛି ବୋଲି ସଚେତନ ନାଗରିକ ଦାବି କରୁଛନ୍ତି।

ଏହି ଅସୁବିଧା ପାଇଁ ଜିଲ୍ଲା ପ୍ରଶାସନ, ଭୂଅର୍ଜନ ବିଭାଗ ଓ ପୂର୍ତ୍ତ ବିଭାଗ ମଧ୍ୟରେ ଥିବା ସମନ୍ବୟ ଅଭାବକୁ ଦାୟୀ କରିଛନ୍ତି ସଚେତନ ନାଗରିକ । ତେବେ ଗତ ନଭେମ୍ବର ୨ ତାରିଖରେ ମୁଖ୍ୟ ମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ସମୟରେ ଏହି ଫ୍ଲାଏ ଓଭରର ଶୁଭାରମ୍ଭ ହେବ ବୋଲି ସ୍ଥାନୀୟ ଲୋକେ ଆଶା କରିଥିଲେ। କିନ୍ତୁ ତାହା ମଧ୍ୟ ହୋଇନଥିଲା । ଧୁତୁରାପଡା ଛକ ପଟେ ଜମି ଅଧିଗ୍ରହଣ କାର୍ଯ୍ୟ ଅଟକି ଥିବାରୁ ବ୍ରିଜ ଅଧାପନ୍ତରିଆ ହୋଇ ପଡ଼ିରହିଛି ।

ଏହାକୁ ନେଇ କିନ୍ତୁ ଜିଲ୍ଲା ପ୍ରଶାସନ ମୁଁହ ଖୋଲିବାକୁ ନାରାଜ । ଫ୍ଲାଏ ଓଭର ନିର୍ମାଣ ବିଳମ୍ବକୁ ନେଇ ସମ୍ବଲପୁର ଜିଲ୍ଲା କଂଗ୍ରେସ ପ୍ରଶ୍ନ ଉଠାଇବା ସହ ନିର୍ମାଣ କାର୍ଯ୍ୟ କାହିଁ ଓ କେଉଁ ପରିସ୍ଥିତିରେ ବିଳମ୍ବ ହେଉଛି ତା'ର ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ତେବେ କେବେ ଏହି ଫ୍ଲାଏ ଓଭର ସମ୍ପୂର୍ଣ୍ଣ ହେଉଛି ଓ ସମ୍ବଲପୁରବାସୀ କେବେ ଏହାର ଲାଭ ପାଉଛନ୍ତି ତାହାରି ଉପରେ ଏବେ ସମସ୍ତଙ୍କ ନଜର।
Published by:Lipina Das
First published: