News18 Odia Digital
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ପିଜି କଲେଜ ପାଇଁ ଆରମ୍ଭ ହୋଇଛି କାମ। କଲେଜ ନିର୍ମାଣ ପାଇଁ ପାଖରେ ଥିବା ସାଢ଼େ ୪ ଏକର ଜମିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମେ ୨୬ ପିଲାଙ୍କୁ ନେଇ ଆରମ୍ଭ ହେବ ପିଜି କୋର୍ସ। ସାଢ଼େ ୪ ଏକରରେ ଜାଗାରେ ୨୮୦ କୋଟି ଟଙ୍କା ବ୍ୟୟରେ ୭ ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ଏଲ ଏଣ୍ଡ ଟି କାମ ହାତକୁ ନେଇଛି। ୨ ବର୍ଷ ଭିତରେ କାମ ସାରିବାକୁ ରହିଛି ଲକ୍ଷ୍ୟ। ସେପଟେ ଉଚ୍ଛେଦ ହୋଇଥିବା ବ୍ୟବସାୟୀ, ବସ୍ତି ବାସିନ୍ଦା ଥଇଥାନ ପାଇଁ ଦାବି କରିଛନ୍ତି।
କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ। ୨୦୨୩-୨୪ ଶିକ୍ଷାବର୍ଷ ରୁ ଆରମ୍ଭ ହେବ ପାଠପଢ଼ା। ମୋଟ ୬୦ ସିଟରେ ନାମଲେଖା ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୬ ଜଣ ପିଲାଙ୍କୁ ନେଇ ଆରମ୍ଭ ହେବ ପାଠପଢ଼ା। ସେଥିପାଇଁ ୫ଟି ବ୍ଲକରେ ୧୫ଟି ବିଭାଗ ରହିବ। ମୋଟ ୨୮୦ କୋଟି ଟଙ୍କା ଖର୍ଚ୍ଚ ରେ ୭ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ। ୨ ବର୍ଷ ମଧ୍ୟରେ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି। ଖୁବଶୀଘ୍ର ପ୍ରିଦର୍ଶନ ରେ ଆସିବେ ନେସନାଲ ମେଡ଼ିକାଲ କାଉନସିଲ ଟିମ।
"ଆସନ୍ତା ଶିକ୍ଷାବର୍ଷରୁ ପିଜିଆଇ ପାଠପଢ଼ା ଆରମ୍ଭ ହେବ। ସେଥିପାଇଁ କାମ ଆରମ୍ଭ ହୋଇଛି। ୨୮୦ କୋଟି ଟଙ୍କା ଖର୍ଚ୍ଚରେ ଉନ୍ନତମାନର ମେଡ଼ିକାଲ ସୁବିଧା ସହ କଲେଜ ପ୍ରତିଷ୍ଠା ହେବ। ୨ ବର୍ଷ ଭିତରେ କାମ ଶେଷ ହେବ ତା ପୂର୍ବରୁ ଏନ ଏମ୍ ସି ଆସିବେ ଓ ଅନୁମତି ପ୍ରଦାନ କରିବେ,"କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।
ମେଡ଼ିକାଲ କଲେଜ ନିର୍ମାଣ ପାଇଁ ହସ୍ପିଟାଲକୁ ଲାଗି ରହିଥିବା ଦୋକାନ ଘର, ସରକାରୀ କ୍ବାଟର, ବସ୍ତିକୁ ଉଛେଦ କରାଯାଇଛି। ବିଡିଏ ପକ୍ଷରୁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। "ଦୀର୍ଘ ୧୫ ବର୍ଷ ହେବ ସେହି ଅଞ୍ଚଳରେ ରହି ଆସୁଥିବା ଲୋକେ ହଠାତ କେଉଁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି। ତେବେ ଡାକ୍ତରଖାନା ସଂପ୍ରସାରଣ ଓ ନୂଆ ପ୍ରକଳ୍ପକୁ ଆମେ ବିରୋଧ କରୁନାହୁଁ ହେଲେ ଆମକୁ ବିନା ନୋଟିସ ଓ ଥଇଥାନରେ ଉଚ୍ଛେଦ କାମ ଅନୁଚିତ," କହିଛନ୍ତି ସ୍ଥାନୀୟ ଲୋକ।
"କ୍ୟାପିଟାଲ ହସ୍ପିଟାଲ ସଂପ୍ରସାରଣ ପାଇଁ ଆମକୁ ତାର ଚତୁର୍ପାର୍ଶ୍ଵ ଉଛେଦ ପାଇଁ ଅର୍ଡର ରହିଛି। ସରକାରୀ କ୍ବାଟର ଭଙ୍ଗା ସରିଛି। ଦୋକାନ ଘର, ବସ୍ତି ଉଛେଦ ଚାଲିଛି। ରାଜୀବ ଆବାସ ଯୋଜନାରେ କିଛି ଲୋକ ଅଛନ୍ତି ତାଙ୍କୁ ଥଇଥାନ ପରେ ସମ୍ପୁର୍ଣ୍ଣ ଅଞ୍ଚଳରୁ ଜବର ଦଖଲ ଉଚ୍ଛେଦ ହେବ," କହିଛନ୍ତି ବିଡ଼ିଏ ଏନଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ କୁମାର ପାତ୍ର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।