'ପିଏମ କିଷାନ ଯୋଜନା'କୁ ଅଚଳ କରିବା ପାଇଁ ଚାଲିଛି ଚକ୍ରାନ୍ତ; ବିଜେପି କୃଷକ ମୋର୍ଚ୍ଚା

କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟି କୃଷକ ମୋର୍ଚ୍ଚାର ଦାବିପତ୍ର ପ୍ରଦାନ ।

'ପିଏମ କିଷାନ ଯୋଜନା'କୁ ଅଚଳ କରିବା ପାଇଁ ଚାଲିଛି ଚକ୍ରାନ୍ତ; ବିଜେପି କୃଷକ ମୋର୍ଚ୍ଚା

'ପିଏମ କିଷାନ ଯୋଜନା'କୁ ଅଚଳ କରିବା ପାଇଁ ଚାଲିଛି ଚକ୍ରାନ୍ତ; ବିଜେପି କୃଷକ ମୋର୍ଚ୍ଚା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ମୋଦି ସରକାର ପିଏମ କିଷାନ ଯୋଜନାରେ ( PM kisan yojna ) ଓଡ଼ିଶାର ୪୫ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବ୍ୟବସ୍ଥା କରିଥିଲେ ବି ରାଜ୍ୟ ସରକାର କେନ୍ଦ୍ରକୁ ସଠିକ ତାଲିକା ଦେଉନାହାନ୍ତି । ଫଳରେ ଓଡ଼ିଶାର ଚାଷୀକୂଳ କେନ୍ଦ୍ରର ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏବେ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରକୁ ମାତ୍ର ୨୫ ଲକ୍ଷ ଚାଷୀଙ୍କର ଭୂଲେଖ ରେକର୍ଡ ଦେଇଥିବା ମୁଖ୍ୟ ଶାସନ ସଚିବ କହୁଛନ୍ତି ।



କାହିଁକି ରାଜ୍ୟ ସରକାର ( State Government ) ଏବେ ସୁଦ୍ଧା ସେହି କାମକୁ ସମାପ୍ତ କରି ନାହାନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କାଳିଆ ଯୋଜନାରେ ରାଜ୍ୟ ସରକାର ୫୯ ଲକ୍ଷ ଚାଷୀଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି ତାହାଲେ ଓଡ଼ିଶାର ଚାଷୀଙ୍କ ତଥ୍ୟକୁ କେନ୍ଦ୍ର ସରକାରଙ୍କୁ ଦେବାରେ ତାଙ୍କ ହାତ ଥରୁଛି କାହିଁକି ? ଓଡ଼ିଶା ଚାଷୀ ଉପକୃତ ହେଲେ ରାଜ୍ୟ ସରକାରଙ୍କ ଅସୁବିଧା କାହିଁକି ହେଉଛି ? ବାରମ୍ବାର କହିବା ସତ୍ୱେ ରାଜ୍ୟ ସରକାର କାହିଁକି ଚାଷୀ ତାଲିକା କେନ୍ଦ୍ର ସରକାରଙ୍କୁ ଦେଉନାହାନ୍ତି ? ତାହା ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଶାସକ ବିଜେଡିର ଚାଷୀମାରଣ ନୀତି ସ୍ପଷ୍ଟ ହୋଇଛି । ଏପରି ଅନେକ ପ୍ରଶ୍ନ ରଖିଛି ବିଜେପି କୃଷକ ମୋର୍ଚ୍ଚା ।

ପିଏମ-କିଷାନ ସମ୍ମାନ ଏବଂ କାଳିଆ ଯୋଜନାରେ ଭିନ୍ନ ଭିନ୍ନ ସଂଖ୍ୟାରେ ହିତାଧିକାରୀ ଥିବା ଲୋକେ ବାରମ୍ବାର ମାଗିବା ସତ୍ୱେ ରାଜ୍ୟ ସରକାର କେନ୍ଦ୍ରକୁ ସଠିକ ଚାଷୀ ତାଲିକା ପ୍ରଦାନ ନକରିବା, କାଳିଆ ଯୋଜନାରେ ପିଏମ-କିଷାନ ଯୋଜନାର ସହାୟତା ରାଶି ବଣ୍ଟନ କରି ଦ୍ୱନ୍ଦ ସୃଷ୍ଟି କରିବା ଭଳି ଅନେକ ସନ୍ଦେହଜନକ କାର୍ଯ୍ୟ କାରଣରୁ ଓଡ଼ିଶାର ଚାଷୀକୂଳ ଆଜି ଦ୍ୱନ୍ଦ ଭିତରେ ରହି ଅଯଥାରେ ହନ୍ତସନ୍ତ ହେଉଛନ୍ତି । ଏନେଇ ଆଜି ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ପିଏମ କିଷାନ ଯୋଜନାରେ ପ୍ରଥମ କିସ୍ତିରେ ୪୦ ଲକ୍ଷ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳିଥିଲା । ହେଲେ ବର୍ଷକୁ ବର୍ଷ ଚାଷୀମାନଙ୍କର ତଥ୍ୟକୁ ଅପଡେଟ ନକରିବା କାରଣରୁ ଏହି ଯୋଜନାରେ ଏବେ ୨୧ ଲକ୍ଷ ଚାଷୀ ସେମାନଙ୍କର ଆର୍ଥିକ ସହାୟତା ପାଇଛନ୍ତି । କାହିଁକି ରାଜ୍ୟ ସରକାର ଚାଷୀମାନଙ୍କର ତଥ୍ୟକୁ ଅପଡେଟ କରି କେନ୍ଦ୍ର ସରକାରକୁ ଦେଉନାହାନ୍ତି ତାହା ଏକ ବଡ ପ୍ରଶ୍ନ । ରାଜ୍ୟ ସରକାର ଏବେ ସୁଦ୍ଧା ୫୯ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ପଠାଇଛନ୍ତି ବୋଲି ଦାବି କରିଛନ୍ତି । ଯଦି ୫୯ଲକ୍ଷ ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ସମସ୍ତ ତଥ୍ୟ ଅଛି ତାହାଲେ ତାକୁ କେନ୍ଦ୍ର ପଠାଇବାରେ ଅସୁବିଧା କେଉଁଠି ବୋଲି ବିଜେପି ପ୍ରଶ୍ନ କରିଛି । କାଳିଆ ଯୋଜନାରେ ରାଜ୍ୟ ସରକାର ବର୍ଷକୁ ୧୦ ହଜାର ଟଙ୍କା ଦେବେ ବୋଲି କହି ଏବେ ମାତ୍ର ୪ ହଜାର ଟଙ୍କା କାହିଁକି ଦେଉଛନ୍ତି ? ୨୦୧୯ରେ ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନ ସମୟରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ, କିନ୍ତୁ ଏବେ ସୁଦ୍ଧା ୫୯ ଲକ୍ଷ ଚାଷୀଙ୍କୁ ସେହି ଯୋଜନାରେ ଅର୍ଥ ଦିଆଯାଉଛି ବୋଲି ସରକାର କହୁଛନ୍ତି । ତାହେଲେ ବଳକା ୧୬ ଲକ୍ଷ ଚାଷୀଙ୍କୁ କାହିଁକି ବଞ୍ଚିତ ରଖାଗଲା ବୋଲି ବିଜେପି ପ୍ରଶ୍ନ କରିଛି ।

ରାଜ୍ୟ ସରକାରଙ୍କ ଅଧିକାରୀମାନେ ବିଜୁ ଜନତା ଦଳର ମୁଖପାତ୍ର ଭଳି କେନ୍ଦ୍ରକୁ ଦୋଷ ଦେଉଛନ୍ତି । ସରକାରୀ ଅଧିକାରୀଙ୍କର କାମ ହେଉଛି ଲୋକମାନଙ୍କର ସେବା କରିବା । କିନ୍ତୁ ଅଧିକାରୀମାନେ ନିଜ ଦାୟିତ୍ୱ ନବୁଝି କେନ୍ଦ୍ର ସରକାରଙ୍କୁ ଦୋଷ ଦେଇ ଚାଷୀମାନଙ୍କୁ ସେମାନଙ୍କର ହକରୁ ବଞ୍ଚିତ କରିବେ ଏହା ଠାରୁ ବଳି ନିନ୍ଦନୀୟ କଥା କିଛି ନାହିଁ । ରାଜ୍ୟ ସରକାର ପିଏମ କିସାନ ଯୋଜନାରେ ୪୫ ଲକ୍ଷ ଚାଷୀଙ୍କର ସବିଶେଷ ଓ ସମ୍ପୂର୍ଣ୍ଣ ତାଲିକା କେନ୍ଦ୍ର ସରକାର ମାଗିଥିବା ଫର୍ମାଟରେ ଦେଲେ ଓଡ଼ିଶାର ଚାଷୀମାନେ ଉପକୃତ ହେବେ । ଏଥିସହ ଉପଯୁକ୍ତ ଚାଷୀ ତାଲିକା କେନ୍ଦ୍ର ସରକାରଙ୍କୁ ତୁରନ୍ତ ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ବିଜେପି ଦାବି କରିଛି । ଏହି ପ୍ରତିନିଧି ମଣ୍ଡଳୀରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, ଶ୍ରୀରଞ୍ଜନ ମଙ୍ଗରାଜ, ରାଧାକାନ୍ତ ମହାନ୍ତ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ କୁମାର ସ୍ୱାଇଁ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ ଓ କୃଷକ ମୋର୍ଚ୍ଚା ମିଡିଆ ସଂଯୋଜକ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

https://odia.news18.com/news/odisha/darshana-jardosh-odisha-visit-tv-4srm-090123-srm-kbg-146929.html
Published by:Soubhagya Mishra
First published: