News18 Odia Digital
ଭୁବନେଶ୍ୱର: ଉତ୍ତର ବାଲେଶ୍ୱରର ପ୍ରମୁଖ ନଦୀ ସୁବର୍ଣ୍ଣରେଖାର ଆସୁଥିବା ବନ୍ୟା ପ୍ରାୟ ପ୍ରତି ବର୍ଷ ଜିଲ୍ଲାରେ ଅନେକ ଧନଜୀବନ ହାନି କରୁଥିବା ବେଳେ ଜଳ ନିଷ୍କାସନର ପଥ ଗୁଡ଼ିକୁ ପରିସ୍କାର ରଖିବା ସହିତ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ଏ ସମସ୍ୟାର ଏକ ମାତ୍ର ସମାଧାନ ବୋଲି ସମସ୍ତେ ହୃଦୟଙ୍ଗମ କରୁଛନ୍ତି । ହେଲେ ଏହି ଯୋଜନା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବାରୁ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ଓ ଚେତାବନୀ ବି ଦେଇଛି ।
ପଶ୍ଚିମ ବଙ୍ଗର ପୂର୍ବ ମେଦିନପୁର ଅଞ୍ଚଳର ବର୍ଷା ଜଳ ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳରେ କୃତିମ ବନ୍ୟା ସୃଷ୍ଟି କରିଥାଏ । ବର୍ଷରେ ଚାରି ମାସ ଧରି ଅନେକ ଗାଁର ଲୋକେ ଜଳବନ୍ଦୀ ହୋଇ ରହନ୍ତି ଓ ସେମାନଙ୍କର ଚାଷବାସ ଉଜୁଡ଼ିଯାଏ । ବନ୍ୟା ସମୟରେ ଅନେକ ଧନଜୀବନ ମଧ୍ୟ ନଷ୍ଟ ହୁଏ ।
ନିକଟ ଅତୀତରେ ଅନେକ ଗାଁ ନଦୀ ଗର୍ଭରେ ଲୀନ ହେବାର ନଜିର ମଧ୍ୟ ରହିଛି । ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ଅଞ୍ଚଳରେ ନଦୀ ଭୀଷଣ ଭାବରେ କୂଳ ଖାଉଥିବା ବେଳେ ତାର ପ୍ରତିକାର କରିବା କ୍ଷେତ୍ରରେ ସରକାର ଅସମର୍ଥ ହୋଇଛନ୍ତି । ନଦୀବନ୍ଧ, ପଥର ପେକିଂ ଓ ସ୍ପର ନିର୍ମାଣ ଇତ୍ୟାଦି ଅନେକ ଦିନ ଧରି ନ ହେବା ଫଳରେ ନଦୀରେ ସାମାନ୍ୟ ବନ୍ୟା ଆସିଲେ ଲୋକେ ହନ୍ତସନ୍ତ ହେଉଛନ୍ତି ।
ସରକାର ଘୋଷଣା କରିଥିବା ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାହିଁକି କାର୍ଯ୍ୟକାରୀ ହୋଇନି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଯଦି ଏଥି ପ୍ରତି ସରକାର ଦୃଷ୍ଟି ନ ଦିଅନ୍ତି ତେବେ ବିଧାନ ସଭା ଭିତରେ ଓ ବାହାରେ ଏହାର ତୀବ୍ର ପ୍ରତିବାଦ ହେବ ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ବନ୍ୟା ପୀଡ଼ିତମାନଙ୍କ ସହ କଥା ହେଉଛନ୍ତି କଂଗ୍ରେସ ନେତାମାନେ ।
ଏଆଇସିସି ଦ୍ୱାରା ନିଯୁକ୍ତି ପ୍ରତିନିଧି ଦଳର ସଭ୍ୟ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ଲାବିତ ଅଞ୍ଚଳ ପରିଦର୍ଶନରେ ଯାଇ ଭୋଗରାଇ, ଜଳେଶ୍ୱର, ବସ୍ତା, ବାଲିଆପାଳ ଅଂଚଳର ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ ।
‘‘ସୁବର୍ଣ୍ଣରେଖା ନଦୀର ତଳି ଅଞ୍ଚଳରେ ଏ ଯାଏଁ ଗୋଟିଏ ବି ଆଡ଼ିବନ୍ଧ ହୋଇନି । ଉପରେ ମୁଣ୍ଡରେ ବ୍ୟାରେଜ କରାଯାଇନି, ଯାହାଫଳରେ ବନ୍ୟା ସୃଷ୍ଟି ହେଉଛି । ତେଣୁ ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ ଅବିଳମ୍ବେ ସରକାର କାର୍ଯ୍ୟକାରୀ ନ କଲେ କଂଗ୍ରେସ ଦଳ ଶକ୍ତିଶାଳୀ ଜନ ଆନ୍ଦୋଳନ ଗଢ଼ି ତୋଳିବ,’’ କହିଛନ୍ତି ବିଧାୟକ ବାହିନୀପତି ।
ଏହି ଅନୁସନ୍ଧାନକାରୀ ଦଳ ସହିତ ବାଲେଶ୍ୱରର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ଜଳେଶ୍ୱରର ବିଧାୟକ ପ୍ରାର୍ଥୀ ତଥା କଂଗ୍ରେସର ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ, ଭୋଗରାଇର ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ, ବସ୍ତା ବିଧାୟକ ପ୍ରାର୍ଥୀ ବିଜନ ନାୟକ, ବାଲେଶ୍ୱର ସଦରର ବିଧାୟକ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ ତଥା କଂଗ୍ରେସ ନେତା ସଞ୍ଜିବ ଗିରୀ, ହରମୋହନ ଦାସ ପ୍ରମୁଖ ବାଲେଶ୍ୱର ଜିଲ୍ଲାର ବନ୍ୟାପ୍ଲାବିତ ଅଂଚଳଗୁଡ଼ିକୁ ଗ୍ରସ୍ତ କରିଥିଲେ ।
ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖିବା ପରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ରାଜଘାଟ, ଆମ୍ବଳିଅଠା, ନାମ୍ପୋ ଓ ଇକିଡ଼ା ଇତ୍ୟାଦି ସ୍ଥାନରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ସହିତ ଜଳବୁଡ଼ି ସମସ୍ୟାର ଦୃଶ୍ୟ ନିଜ ଆଖିରେ ଦେଖିଲେ । ସେହିପରି ଭୋଗରାଇ ଅଞ୍ଚଳ ଗସ୍ତ କରି ବିଭିନ୍ନ ସ୍ଥାନରେ ଲୋକଙ୍କୁ ଦେଖିବାପରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କର ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସରକାରଙ୍କର ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ ।
ଏହା ବି ପଢ଼ନ୍ତୁ | ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲାଏହା ବି ପଢ଼ନ୍ତୁ | କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେତୁରନ୍ତ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା, ଚାଷୀମାନଙ୍କୁ ବନ୍ୟାର କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦେବା, ବନ୍ୟା ପ୍ରଭାବିତ ସମସ୍ତ ଲୋକଙ୍କୁ ୫୦କିଲୋ ଚାଉଳ ଓ ୫୦୦ ଲେଖାଏଁ ଟଙ୍କା ଇତ୍ୟାଦି ଦେବା ପାଇଁ ଦୃଢ଼ ଦାବୀ ଉପସ୍ଥାପିତ କରିଥିଲେ ।
ଏ ନେଇ ବିଜେଡି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ ଜେନା କହିଛନ୍ତି, ‘‘ବନ୍ୟା ସମୟରେ ଲୋକଙ୍କ ସହଭାଗୀ ହେବା ନେତା ବା ଜନସେବକମାନଙ୍କର କର୍ତ୍ତବ୍ୟ । ବିପଦରେ ଲୋକଙ୍କ ସାହାରା ହୋଇ ସେମାନଙ୍କ ସହଯୋଗ ସହ ଧୈର୍ଯ୍ୟ ନ ହରାଇବା ପାଇଁ କହିବା ଠିକ୍ । କିନ୍ତୁ ତା’ ବଦଳରେ ରାଜନୀତି କରି ବା ଗୋଳିଆ ପାଣିରୁ ଫାଇଦା ନେବା ପାଇଁ ଚେଷ୍ଟା କରିବା ପିଲାଳିଆମି ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।