News18 Odia Digital
ଭୁବନେଶ୍ବର: ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧିଙ୍କୁ ଇଡି ସମନ୍ କରିବା ଓ ଡାକି ଜେରା କରିବାକୁ ନେଇ ସାରା ଦେଶରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ହେଉଛି। ରାଜଧାନୀରେ ରାଜ ଭବନ ଆଗରେ କଂଗ୍ରେସ ପ୍ରତିବାଦ ସମୟରେ ରୋକ୍ ଠୋକ୍ କହାଯାଇଛି କି ଆଗାମୀ ଦିନରେ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାଙ୍କୁ ଜୋରଦାର ବିରୋଧ କରାଯିବ।
ବିଜେପି କହିଛି ରାହୁଲଙ୍କ ସମ୍ପୃକ୍ତି ଥିବାରୁ ରାହୁଲ ଭୟଭୀତ ଅଛନ୍ତି। ଆଗକୁ ଓଡ଼ିଶାରେ କେନ୍ଦ୍ର ମନ୍ତ୍ରୀଙ୍କୁ ବିରୋଧ କରାଯିବ। ଯଦି ରାହୁଲ ଗାନ୍ଧିଙ୍କୁ ବାରମ୍ବାର ଡାକି ଇଡି ହଇରାଣ କରେ କେବଳ କେନ୍ଦ୍ର ମନ୍ତ୍ରୀ ନୁହଁନ୍ତି ବିଜେପି ନେତାଙ୍କ କାର୍ଯ୍ୟକ୍ରମକୁ ପ୍ରତିବାଦ ଆକାରରେ ବିରୋଧ କରାଯିବ। ଆଜି ମଧ୍ୟ ସବୁ କେନ୍ଦ୍ରୀୟ ସଂସ୍ଥା ଆଗରେ ଦଳ ପକ୍ଷରୁ ଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।
ରାଜଭବନ ଆଗରେ ଧାରଣା ଦେବା ସମୟରେ କେନ୍ଦ୍ରରେ ଶାସନ କରୁଥିବା ଭାଜପା ଓ ରାଜ୍ୟ ଭାଜପା ନେତାଙ୍କୁ ଏଭଳି ରୋକଠୋକ ଶୁଣାଇ ଦେଇଛନ୍ତି ରାଜ୍ୟ କଂଗ୍ରେସର ଭେଟରାନମାନେ। ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ବା ଏଡିଏମ୍ ଅଫିସ ଆଗରେ ଠୁଳ ହୋଇଥିଲେ ଶରତ ପଟ୍ଟନାୟକ, ସୁରେଶ ରାଉତରାୟ ଓ ସାଲୁଜାଙ୍କ ଭଳି ଆଗଧାଡିର ନେତାମାନେ।
ଛାତ୍ର, ଯୁବ ଓ ମହିଳା କଂଗ୍ରେସର ନେତା ମାନେ ଏଡିଏମ୍ ଅଫିସରୁ ସିଧା ପଟୁଆରରେ ଯାଇଥିଲେ ରାଜ ଭବନ ଓ ପାୱାର ହାଉସ ମଝିରେ ଆହୂତ ହୋଇଥିବା ପ୍ରତିବାଦ ସ୍ଥଳୀକୁ। ଜଣଙ୍କ ପରେ ଜଣେ ନେତା କେନ୍ଦ୍ର ବିରୋଧରେ ବିଶୋଦଗାର କରିବା ସହିତ ଇଡିର ପରିବା ପଣିଆକୁ ନେଇ ପ୍ରଶ୍ନ ଉଠାଇଥିଲେ।
ରାଜଭବନ ଆଗରେ ହୋଇଥିବା ପ୍ରତିବାଦ ସଭାରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ ସହିତ କିଛି ବିଧାୟକ ଓ ଛମୁଆ ସଙ୍ଗଠନମାନେ ଯୋଗ ଦେଇଥିଲେ।
ଦିଲ୍ଲୀ କଂଗ୍ରେସ ଅଫିସରେ ପୋଲିସ ପଶି ଲାଠିଚାର୍ଜ କରିବା ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ତିନି ଦିନ ଧରି ଜେରା କରିବା ଘଟଣାକୁ ଦଳ ନିନ୍ଦା କରିବା ସହିତ ବିଜେପି ଅସହିଷ୍ଣୁ ହୋଇ ଆକ୍ରୋଶ ମୂଳକ ଭାବରେ ଦଳୀୟ ନେତାଙ୍କୁ ଏଭଳି ବ୍ୟବହାର କରୁଥିବା ଅଭିଯୋଗ କରିଛି। ପୋଲିସ ଓ ବିଭିନ୍ନ ସଂସ୍ଥା କେନ୍ଦ୍ର ସରକାରଙ୍କ ହାତ ବାରିସୀ ହୋଇ ଏଭଳି କାର୍ଯ୍ୟ କରୁଥିବା କହିଛି କଂଗ୍ରେସ।
ହାତ ଦଳର ଏହି ଅଭିଯୋଗକୁ ଖଣ୍ଡନ କରି ରାଜ୍ୟ ବିଜେପି କହିଛି, ‘‘ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଓ ତାଙ୍କ ପରିବାରର ସମ୍ପୃକ୍ତ ରହିଛି। ଟ୍ରଷ୍ଟର ସମ୍ପତ୍ତି ହେରେଫେର ହୋଇଛି। ସେ ବାବଦରେ ରାହୁଲ ଜେରା ହେଉଛନ୍ତି। ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ସମୟରେ ସିବିଆଇରେ ଘଣ୍ଟା ଘଣ୍ଟା ଜେରା ହୋଇଥିଲେ। ଜେରାକୁ ରାହୁଲ କାହିଁକି ଭୟ କରୁଛନ୍ତି। ସମ୍ପୃକ୍ତ ଥିବା କାରଣରୁ ଭୟ କରୁଛନ୍ତି।’’
ଦିଲ୍ଲୀ ସମେତ ସମଗ୍ର ଦେଶରେ କଂଗ୍ରେସ ଜାରି ରଖିଛି ପ୍ରତିବାଦ। ବିଜେପି ମଧ୍ୟ କଂଗ୍ରେସ ଉପରେ କରୁଛି କାଉଣ୍ଟର ଅଟାକ୍। ତେବେ ଦେଖାଯାଉ ଆଗାମୀ ଦିନରେ ଏହି ଆରୋପ ପ୍ରତ୍ୟାରୋପର ଫାଇଦା କାହା ଖାତାକୁ ଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।