ସୋନିଆ ଗାନ୍ଧୀଙ୍କୁ ଇଡ଼ି ଡାକରା ପରେ ଭୁବନେଶ୍ୱରରେ ପ୍ରତିବାଦ; ମୋଦିଙ୍କ ନାଲି ଆଖିକୁ ଭୟ ନାହିଁ: କଂଗ୍ରେସ

ସୋନିଆ ଗାନ୍ଧୀଙ୍କୁ ଇଡ଼ିର ଜେରାକୁ ନେଇ କଂଗ୍ରେସ ପ୍ରତିବାଦ କରିଛି । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ବିଧାୟକ, ପୂର୍ବତନ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତୃବର୍ଗ, ଯୁବ, ଛାତ୍ର ଓ ମହିଳା, ସେବାଦଳ ଏବଂ ସମସ୍ତ ପ୍ରକୋଷ୍ଠ ତଥା ଜିଲ୍ଲାସ୍ତରୀୟ ନେତୃବର୍ଗମାନେ ଏକତ୍ରିତ ହୋଇଛନ୍ତି ।

ସୋନିଆ ଗାନ୍ଧୀଙ୍କୁ ଇଡ଼ି ଡାକରା ପରେ ଭୁବନେଶ୍ୱରରେ ପ୍ରତିବାଦ ।

ସୋନିଆ ଗାନ୍ଧୀଙ୍କୁ ଇଡ଼ି ଡାକରା ପରେ ଭୁବନେଶ୍ୱରରେ ପ୍ରତିବାଦ ।

  • News18 Odia
  • Last Updated :
  • Edacheri
  • Share this:
News 18 Odia Digital

ଭୁବନେଶ୍ୱର; କେନ୍ଦ୍ର ସରକାରଙ୍କ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଖିଳ ଭାରତୀୟ  ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ଖବର କାଗଜ (ମନି ଲଣ୍ଡରିଙ୍ଗ) ମାମଲାରେ ଜେରା କରିବା ପାଇଁ ଇଡ଼ି ଯେଉଁ ସମନ ଜାରୀ କରିଛି ତାହା ସଂପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପ୍ରତିହିଂସା ପରାୟଣ ରାଜନୀତିର ଏକ ସ୍ପଷ୍ଟ ଉଦାହାରଣ । ଦୀର୍ଘ ୮ ବର୍ଷ ଧରି ନରେନ୍ଦ୍ର ମୋଦି ସରକାର ଭାରତ ବର୍ଷର ସମ୍ବିଧାନ, ସାମ୍ବାଧାନିକ ଅନୁଷ୍ଠାନ ଏବଂ ସମସ୍ତ ନିରପେକ୍ଷ ତଦନ୍ତକାରୀ ସଂସ୍ଥାମାନଙ୍କୁ ନିଜ ଇଙ୍ଗିତରେ ପରିଚାଳିତ କରୁଛନ୍ତି । ଏପରିକି ଭାରତ ବର୍ଷର ବିଚାରଳୟ ମଧ୍ୟ ଏଥିରୁ ନିସ୍ତାର ପାଉନାହିଁ । ସଂପୂର୍ଣ୍ଣ ଏକ ମିଛ ମାମଲାରେ ଗାନ୍ଧୀ ନେହୁରୁ ପରିବାରକୁ ବଦନାମ କରିବା ଉଦ୍ଦେଶ୍ୟରେ  ରାହୁଲ ଗାନ୍ଧୀ ଏବଂ  ସୋନିଆ ଗାନ୍ଧୀଙ୍କୁ ଇଡ଼ି ସମନ ଜାରି କରିଛି । ନରେନ୍ଦ୍ର ମୋଦିଙ୍କର ଏହା ଏକ ଅପଚେଷ୍ଟା । ଆଜି ସୋନିଆ ଗାନ୍ଧୀଙ୍କୁ ଇଡ଼ିର ଜେରାକୁ ନେଇ କଂଗ୍ରେସ ପ୍ରତିବାଦ କରିଛି ।



ପ୍ରଦେଶ କଂଗ୍ରେସ କମିଟିର ସଭାପତି  ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ବିଧାୟକ, ପୂର୍ବତନ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତୃବର୍ଗ, ଯୁବ, ଛାତ୍ର ଓ ମହିଳା, ସେବାଦଳ ଏବଂ ସମସ୍ତ ପ୍ରକୋଷ୍ଠ ତଥା ଜିଲ୍ଲାସ୍ତରୀୟ ନେତୃବର୍ଗମାନେ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ଇ.ଡ଼ି କାର୍ଯ୍ୟାଳୟ ଅଭିମୁଖେ ଯାଉଥିବାବେଳେ ରାଜମହଲ ଛକ ଠାରେ ପୋଲିସ୍ ଅଟକାଇବାରୁ ସେହିଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏହି ସଭାରେ ପି.ସି.ସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ନେତୃବୃନ୍ଦଙ୍କୁ ସମ୍ବନ୍ଧିତ କରି କହିଥିଲେ ଯେ, "ନରେନ୍ଦ୍ର ମୋଦି ସରକାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବଳ ଭୟ କରେ । ମିଛ ମାମଲାରେ ଇଡ଼ି ମାଧ୍ୟମରେ ଗାନ୍ଧୀ ପରିବାରକୁ ନିନ୍ଦିତ କରିବା ପାଇଁ ଏକ ଅପଚେଷ୍ଟା କରୁଛନ୍ତି । କଂଗ୍ରେସ ଦଳ ମୋଦିଙ୍କର ଏହି ଆଚରଣ ଓ ଉଚାରଣରେ ଭୟଭୀତ ନୁହେଁ । କଂଗ୍ରେସ ଦଳ ଏ ଦେଶକୁ ସ୍ୱାଧିନ କରିଛି , ଗଣତନ୍ତ୍ର ପ୍ରଦାନ କରିଛି ଏବଂ  ଦେଶକୁ ଶାସନ କରିବା ପାଇଁ ମଧ୍ୟ ସମ୍ବିଧାନ ଦେଇଛି ।

କଂଗେସ ଅଭିଯୋଗ କହିଛି, ୨୦୧୪ ମସିହା ପୂର୍ବରୁ ନରେନ୍ଦ୍ର ମୋଦି ଏବଂ ବିଜେପି ଦଳ ଭାରତ ବର୍ଷର ଜନଗଣଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ଏ ସବୁଥିରେ ସେ ଫେଲ୍ ହୋଇଛନ୍ତି । ପ୍ରତିବର୍ଷ ୨ କୋଟି ଯୁବକ / ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୮ ବର୍ଷରେ ୧୬ କୋଟି ନିଯୁକ୍ତି ଦେବା କଥା । କିନ୍ତୁ ୧ ଲକ୍ଷ ୬୦ ହଜାର ନିଯୁକ୍ତି ମଧ୍ୟ ମିଳି ନାହିଁ । ସମସ୍ତଙ୍କ ବ୍ୟାଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଆସିବା କଥା କିନ୍ତୁ ୧୫ ଟଙ୍କା ଆସିଲା ନାହିଁ । ଆଚ୍ଛେ ଦିନର ଡିଣ୍ଡିମ ପିଟୁଥିବା ନରେନ୍ଦ୍ର ମୋଦି ସରକାର କହିବେ କି ପେଟ୍ରୋଲ ଦାମ୍ ୧୦୩ ଟଙ୍କା ଓ ଡିଜେଲ ଦାମ୍ ୧୦୦ ଟଙ୍କା  କାହିଁକି ରହିଛି, ଗ୍ୟାସର ଦାମ୍ - ୧୦୮୦ ଟଙ୍କା ହୋଇଗଲା, ଖାଦ୍ୟ ଦ୍ରବ୍ୟର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି, ମୁଦ୍ରାସ୍ପିତି ସରକାରଙ୍କ ନିୟନ୍ତ୍ରଣର ବାହାରେ, ବିଦେଶୀ ଗଚ୍ଛିତ ମୁଦ୍ରା ଭଣ୍ଡାର ବହୁ ମାତ୍ରାରେ କମି କମି ଚାଲିଛି, ଏ ସବୁ କ’ଣ ଆଚ୍ଛେ ଦିନ ?" ଶେଷର ରାଜକୋଷକୁ ଭରିବାକୁ ରାଜ୍ୟର ନିତିଦିନିଆ ଖାଦ୍ୟ ଖଇ, ଉଖୁଡ଼ା, ଚୁଡ଼ା, ମୁଢ଼ି, ଗୁଡ଼, ଅଟା, ଚୁନା ଇତ୍ୟାଦି ଉପରେ ୫ ପ୍ରତିଶତ ଜି.ଏସ୍‌.ଟି ଲାଗୁ କରିବା ଦ୍ୱାରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ଗରିବ ଆଦିବାସୀ, ଖଟିକିଆ, ସ୍ୱଳ୍ପ ଆୟକାରୀ ଓ ନିମ୍ନ ମଧ୍ୟମ ଆୟକାରୀ ବର୍ଗ ପେଟକୁ ଲାତ ମାରିଛନ୍ତି । ଏ ଉଭୟ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଏମାନେ ଦୁଇ ଭାଇ, ଏମାନଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ । ଏମାନେ ମିଳିମିଶି ଦେଶ ଓ ରାଜ୍ୟକୁ ଲୁଟିବାରେ ବ୍ୟସ୍ତ ଅଛନ୍ତି । ବିଜେଡ଼ି ଓଡ଼ିଶାର ଜନସାଧାରଣ ସ୍ୱାର୍ଥ ପାଇଁ କେବେ ହେଲେ ମୋଦି ସରକାରଙ୍କୁ ବିରୋଧ କରି ନାହିଁ । ବିଜେଡ଼ି ପ୍ରତ୍ୟେକ କ୍ଷେତ୍ରରେ ବିଜେପି ଦଳକୁ ଖୋଲା ସମର୍ଥନ କରିଆସୁଛି । ମାତ୍ର ଲୋକ ଦେଖାଣିଆ ଭାବରେ ଏଠାରେ ଉଭୟ ମିଛ ନାଟକ କରୁଛନ୍ତି ।

କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତିଙ୍କ ପରିଚାଳନାରେ ଏହି ପ୍ରତିବାଦ ସଭାରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ମିଡ଼ିଆ ସେଲ୍‌ର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଓ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ ମଧ୍ୟ ମୋଦି ସରକାରଙ୍କ ଆକ୍ରୋଶମୂଳକ ରାଜନୀତିକୁ ଦୃଢ ସମାଲୋଚନା କରିଥିଲେ । ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ନେତୃବୃନ୍ଦ ଇଡ଼ି କାର୍ଯ୍ୟାଳୟ ଅଭିମୁଖେ ଯିବା ସମୟରେ ରାଜମହଲ ଛକ ଠାରେ ପୁଲିସ୍ ଅଟକାଇବାରୁ ପୁଲିସ୍ ସହ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଶରତ ପଟ୍ଟନାୟକଙ୍କ ସମେତ ହଜାର ହଜାର କଂଗ୍ରେସ ନେତୃବର୍ଗଙ୍କୁ ପୁଲିସ୍ ଗିରଫ କରିଥିଲା । ଶେଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Published by:Soubhagya Mishra
First published: