News18 Odia Digital
ଭୁବନେଶ୍ୱର: କଂଗ୍ରେସର ଭେଟରାନ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ‘‘ସୁର ଭାଇ’’ ନାଁରେ ରବୁଠି ଜଣାଶୁଣା । ସୁର ଭାଇ ଯେଉଁଠି, ଗହଳି ସେଇଠି । ବିନା ଗହଳିରେ ସୁର ଭାଇଙ୍କୁ ଦେଖିବାକୁ ମିଳେନା । ପ୍ରତି ବର୍ଷ ସୁର ଭାଇଙ୍କ ଜନ୍ମ ଦିନରେ ହଜାର ହଜାର ଲୋକଙ୍କ ଗହଳି ଜମେ । ଏଥର କିନ୍ତୁ ସେଭଳି କିଛି ଦେଖିବାକୁ ମିଳି ନ ଥିଲା । କେବଳ ଜଳଖିଆ, ରକ୍ତଦାନ ଶିବିର, ବୃକ୍ଷ ରୋପଣ ଓ ରୋଗୀଙ୍କୁ ଫଳ ବଣ୍ଟନରେ କାର୍ଯ୍ୟକ୍ରମ ସୀମିତ ହୋଇ ରହିଥିଲା ଅଗଷ୍ଟ ୧୦ ତାରିଖରେ ତାଙ୍କ ଜନ୍ମ ଦିନ ।
ଭୋଜି-ଭାତ ଓ ବାଜା-ବାଣକୁ ଜନ୍ମ ଦିନ ପାଳନ କାର୍ଯ୍ୟକ୍ରମରୁ ବାଦ୍ ଦିଆଯାଇଥିଲା । ସେଇଥି ପାଇଁ ଏହି ବରିଷ୍ଠ କଂଗ୍ରେସ ନେତାଙ୍କ ପୂର୍ବ ବର୍ଷମାନଙ୍କରେ ହୋଇଥିବା ଜନ୍ମ ଦିନ ପାଳନ ତୁଳନାରେ ଏ ଥରର କାର୍ଯ୍ୟକ୍ରମ ଖାଁ ଖାଁ ଲାଗୁ୍ଥିଲା । ହେଲେ କୋଭିଡ କଟକଣା ସତ୍ତ୍ୱେ ପ୍ରାୟତଃ ମାସ୍କ ପିନ୍ଧୁ ନ ଥିବା ସୁର ଭାଇ ଏ ଥର ନିଜ ଜନ୍ମ ଦିନରେ ପିନ୍ଧିଥିବା ମାସ୍କ ପାଇଁ ଚର୍ଚ୍ଚାରେ ରହିଥିଲେ ।
ସୁର ଯୁଆଡେ ଯାଆନ୍ତି ତାଙ୍କ କାନ୍ଧରେ ଥାଏ ଗାମୁଛା । ସେଇ ଗାମୁଛା ହିଁ ତାଙ୍କର ମାସ୍କ ବନେ । ହେଲେ ନିଜ ଜନ୍ମ ଦିନରେ ତାଙ୍କୁ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସେଇ ମାସ୍କରେ ଥିଲା ସୁର ଭାଇଙ୍କ ଫଟୋ । ସେଇଥି ପାଇଁ ତାହା ବେଶୀ ରୋଚକ ଲାଗୁଥିଲା ।

ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସୁରଙ୍କ ସହ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ
ଏହା ଥିଲା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କର ୭୭ ତମ ଜନ୍ମ ଦିବସ । ତାଙ୍କ ଭୁବନେଶ୍ୱର ବାସଭବନରେ ଶହ ଶହ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ପାଳିତ ହୋଇଥିଲା ଏହି ଦିନ । ଏହି ଉପଲକ୍ଷେ ଆୟୋଜିତ ଏକ ରକ୍ତଦାନ ଶିବିରକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍ଘାଟନ କରିବା ସହ ରାଉତରାୟଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ଓ ତାଙ୍କ ଦୀର୍ଘ ତଥା ନିରାମୟ ଜୀବନ କାମନା କରିଥିଲେ ।

ରକ୍ତଦାନ ଶିବିରକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ ।
ପରେ ମାଉସୀମା’ ମନ୍ଦିର ପରିସରରେ ଆୟୋଜିତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବୃକ୍ଷରୋପଣ କରିଥିଲେ । ରାଉତରାୟଙ୍କ ଜନ୍ମ ଦିନ ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ସକାଳେ ଲିଙ୍ଗରାଜ ମନ୍ଦିର, ରାମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ଦୀପଦାନ କରାଯାଇଥିଲା । ପୂର୍ବାହ୍ନରେ ଜଟଣୀ ରେଳବାଇ ହସ୍ପିଟାଲ ସମେତ ଜଟଣୀ ହସ୍ପିଟାଲ ଏବଂ ପୁରୁଣା ଭୁବନେଶ୍ୱରସ୍ଥିତ ମ୍ୟୁନିସିପାଲିଟି ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲା
ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!
ଏହି ଅବସରରେ ଗରିବ ଓ ଅବହେଳିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଳମତ ନିର୍ବିଶେଷରେ ସମସ୍ତ ଯୁବ, ଛାତ୍ର, ମହିଳା ଓ ଶୁଭେଚ୍ଛୁମାନେ ଯୋଗଦେଇ ସଫଳ କରିଥିଲେ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ରାଉତରାୟ ନିଜ ଜନ୍ମ ଦିନର କେକ୍ କାଟିବା ପରେ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ପରେ କଂଗ୍ରେସ ଭବନ ପରିସରରେ ରାଉତରାୟ ବୃକ୍ଷରୋପଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ୍-୧୯ ର ନିୟମାବଳୀ ଅନୁସାରେ କରାଯାଇଥିଲା ଓ ସୁର ରାଉତରାୟ ଜୟନ୍ତୀ କମିଟିର ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।