ରାଜରାସ୍ତାରେ ମୋଟର୍ ବୋଟ୍ ଚଲାଇ BJDକୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ

ରାଜ୍ୟରେ ବର୍ଷାକୁ ନେଇ ସୃଷ୍ଟି ହେଉଥିବା ଜଳବନ୍ଦୀ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁରେଶଙ୍କ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପ୍ରତିନିଧିମାନେ । ମାଷ୍ଟରକ୍ୟାଟିନ ଛକରେ ମୋଟର୍ ବୋଟ୍ ରଖି କରିଥିଲେ ପ୍ରତିବାଦ ।

ମାଷ୍ଟରକ୍ୟାଟିନରେ ମୋଟର୍ ବୋଟ୍ ରଖି ପ୍ରତିବାଦ କଲେ ସୁରେଶ ରାଉତରାୟ

ମାଷ୍ଟରକ୍ୟାଟିନରେ ମୋଟର୍ ବୋଟ୍ ରଖି ପ୍ରତିବାଦ କଲେ ସୁରେଶ ରାଉତରାୟ

  • Share this:
New18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀର ରାଜରାସ୍ତାରେ ଶୁକ୍ରବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସାମାନ୍ୟ ବର୍ଷା ପରେ ଭୁବନେଶ୍ବରରେ ସୃଷ୍ଟି ହୋଇଥିବା ଜଳବନ୍ଦୀକୁ ନେଇ ଭୁବନେଶ୍ବର ମାଷ୍ଟରକ୍ୟାଟିନ ଛକରେ ରାଜ୍ୟର ଶାସକ ଦଳ ବିଜେଡିକୁ କଟାକ୍ଷ କରି ଏଭଳି ଅଭିନବ ଉପାୟ ଆପଣାଇଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ସେ ମାଷ୍ଟରକ୍ୟାଟିନ୍ ଛକରେ ମୋଟର ବୋଟ୍ ରଖି ପ୍ରତିବାଦ କରିଥିଲେ ।

ବାରମ୍ବାର ଦାବି ପରେ ପ୍ରତିବାଦ କରି ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଥିଲେ ବିଧାୟକ । ତାଙ୍କ ଏଭଳି ଅଭିନବ ପ୍ରତିବାଦକୁ ନେଇ ସବୁ ମହଲରେ ଚର୍ଚ୍ଚା ।

ପ୍ରତିବାଦ କରି ସୁରେଶ କହିଥିଲେ, ‘‘ପୂର୍ବରୁ ଏହି ପ୍ରସଙ୍ଗରେ କଂଗ୍ରେସ ବାରମ୍ବାର ପ୍ରତିବାଦ କରିଛି । ଭୁବନେଶ୍ବର ମହାନଗର ନିଗମ ଆଗାରେ ପ୍ରତିବାଦ କରାଯାଇଥିଲା । ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିବାକୁ ଚେଷ୍ଟା କରିଥିଲୁ । ବିଧାନସଭାରେ ମଧ୍ୟ ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇ ସାରିଛି ଦଳ । ହେଲେ ଏଯାବତ ଏହି ଅସୁବିଧା ଦୂର ହୋଇପାରୁନାହିଁ । ଏଥି ନିମନ୍ତେ ଏଭଳି ଏକ ପ୍ରତିବାଦ ପାଇଁ ଆମେ ଚିନ୍ତା କଲୁ, ଯାହା ଜରିଆରେ ଆମେ ବିଭାଗୀୟ ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛୁ ।’’

ସୁରେଶ ରାଉତରାୟଙ୍କ ସହ ପ୍ରତିବାଦରେ ସାମିଲ ହୋଇଥିଲେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ।


ବିଧାୟକଙ୍କ ଟାର୍ଗେଟ ହେଲା ଯେ ଅଭିନବ ଢଙ୍ଗ ମାଧ୍ୟମରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା । ଶୁକ୍ରବାର ସକାଳ ୧୧ଟାରେ ନିଜ ସମର୍ଥକଙ୍କ ସହ ମାଷ୍ଟରକ୍ୟାଟିନ ଛକରେ ପହଞ୍ଚିଥିଲେ ବିଧାୟକ । ଆଉ ସାଙ୍ଗରେ ବିରାଟ କ୍ରେନ୍ ସହାୟତାରେ ଆଣିଥିରେ ମୋଟର ଚାଳିତ ବୋଟ୍, ଯାହାକୁ ରାସ୍ତା ମଝିରେ ରଖି ଆରମ୍ଭ କରିଥିଲେ ପ୍ରତିବାଦ ।

ତାଙ୍କ ଯୁକ୍ତି ଥିଲା ଯେ ଭୁବନେଶ୍ବର ପରିଚୟ ଏବେ ମନ୍ଦିରମାଳିନୀ ସହର ପରିବର୍ତ୍ତେ ଜଳବନ୍ଦୀ ସହର ଭାବେ କୁଖ୍ୟାତି ଅର୍ଜନ କରିବାରେ ଲାଗିଛି । ସହରର ସବୁ ଛକ, ଅଞ୍ଚଳ ଓ ରାସ୍ତା ଘାଟରେ ସାମାନ୍ୟ ବର୍ଷାରେ ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି । ଘରେ ଭିତରେ ଆଣ୍ଠୁଏ ଲେଖାଏଁ ପାଣି ପଶୁଛି । ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ପ୍ରତିକାର ମିଳିପାରୁ ନାହିଁ । ଶେଷରେ ଏଭଳି ଅଭିନବ ପ୍ରତିବାଦ ପାଇଁ ଉଦ୍ୟମ କରାଯାଇଛି । ଆଗକୁ ପ୍ରତିବାଦ ଜୋରଦାର ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ ବିଧାୟକ ।

ସୁରେଶଙ୍କ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପ୍ରତିନିଧିମାନେ । ସମସ୍ତଙ୍କର ଅଭିଯୋଗ ଥିଲା ଯେ ଲୋକଙ୍କ ଆପତ୍ତି ଅଭିଯୋଗକୁ ପ୍ରଶାସନ ଅଣଦେଖା କରୁଛି । ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ ପ୍ରତିଶୃତି ଛଡ଼ା ଆଉ କିଛି ମିଳୁନାହିଁ । ପୂର୍ବରୁ ଭୁବନେଶ୍ବରର କିଛି ହାତ ଗଣତି ଅଞ୍ଚଳରେ ଲୋକେ ଜଳବନ୍ଦୀ ସମସ୍ୟାକୁ ସାମ୍ନା କରୁଥିଲେ। ଏବେ ରାଜଧାନୀର ଅଧିକାଂଶ ଅଞ୍ଚଳରେ ଏଭଳି ଅବସ୍ଥା ଦେଖିବାକୁ ମିଳିଲାଣି । ଏଥି ପାଇଁ ବିଧାୟକଙ୍କ ଉଦ୍ୟମ ଯଥାର୍ଥ ।

ରାଜଧାନୀର ରାଜରାସ୍ତାରେ ମୋଟର୍ ବୋଟ୍ ରଖି ପ୍ରତିବାଦ କରିଥିଲେ ସୁରେଶ ରାଉତରାୟ ।


ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଥିଲେ, ‘‘ଆଜି ରାଜରାସ୍ତାରେ ମୋଟର ବୋଟ୍ ପ୍ରତିବାଦ ପରେ ଯଦି ପ୍ରଶାସନର ନିଦ ନ ଭାଙ୍ଗେ, ତାହାଲେ ଆଗାମୀ ଦିନରେ ବି.ଏମ.ସି. କାର୍ଯ୍ୟାଳୟ ଭିତରେ ମୋଟର ବୋଟ୍ ରଖି ପ୍ରତିବାଦ କରିବୁ । ସେତେବେଳେର ଅବସ୍ଥା ଯାହା ହେବ ସରକାର ଦାୟୀ କେବଳ ଦାୟୀ ହେବେ ।’’

ପ୍ରତିବାଦ ପରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଥିଲେ ଯେ ଜଳବନ୍ଦୀ ସମସ୍ୟାର ସମାଧାନ ହୋଇପାରୁନି, ତାହାଲେ ଭୁବନେଶ୍ବର ମହାନଗର ନିଗମର ସମସ୍ତ ୱାର୍ଡ଼ରେ ମୁଖ୍ୟମନ୍ତ୍ରୀ ମୋଟର ବୋଟ୍ ବ୍ୟବସ୍ଥା କରନ୍ତୁ ।
Published by:Lipina Das
First published: