ଉପନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟର କାରଣ ନିଜେ କଂଗ୍ରେସ ବୋଲି କହୁଛନ୍ତି ଦଳର ଅନେକ ନେତା

ନା ନିରଞ୍ଜନ ପଟ୍ଟନାୟକ ନା ଚେଲ୍ଲା କୁମାର, କେହି ବି ଏ ପର୍ଯ୍ୟନ୍ତ ଓଡ଼ିଶାରେ କଂଗ୍ରେସର ଭଙ୍ଗା ଅଣ୍ଟାକୁ ସିଧା କରିପାରିଲେ ନାହିଁ । ଦଳର ଭୋଟ୍ ପ୍ରତିଶତ ଲଗାତର କମିବାରେ ଲାଗିଥିବାରୁ ନେତାମାନଙ୍କ ମଥାରେ ଚିନ୍ତା ପଶିଛି ।

ଉପନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟର କାରଣ ନିଜେ କଂଗ୍ରେସ ବୋଲି କହୁଛନ୍ତି ଦଳର ଅନେକ ନେତା
ବାଲେଶ୍ୱରରେ ମମତା କୁଣ୍ଡୁଙ୍କ ପାଇଁ ସୁରେଶ ରାଉତରାୟ ଓ ପ୍ରଦୀପ ମାଝି ପ୍ରଚାର କରିଥିଲେ ।
  • News18 Odia
  • Last Updated: November 11, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଧାନସଭା ଉପନିର୍ବାଚନରେ ଦୁଇଟି ଯାକ ଆସନରେ କଂଗ୍ରେସର ଶୋଚନୀୟ ପରାଜୟ ଦଳର କର୍ମୀମାନଙ୍କ ମନୋବଳ ଉପରେ କୁପ୍ରଭାବ ପକାଇଛି । ଏହାକୁ ନେଇ କଂଗ୍ରେସ ଶିବିର ଏବେ ଚିନ୍ତିତ । କାହିଁକି ଲୋକେ କଂଗ୍ରେସକୁ ଗ୍ରହଣ କରୁନାହାନ୍ତି ଓ କେଉଁଠି ଦଳର ଭୁଲ୍‌ ରହିଗଲା ତାକୁ ନେଇ ଦଳ ଭିତରେ ଟଣାଓଟରା ଚାଲିଥିବା ବେଳେ ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ନେତୃତ୍ୱର ଅଭାବ ଯୋଗୁଁ ଏହି ବିପର୍ଯ୍ୟୟ ଘଟିଛି ।

କଂଗ୍ରେସ ବାଲେଶ୍ୱରରେ ଭଲ ପ୍ରଦର୍ଶନ କରିବ ଓ ତିର୍ତ୍ତୋଲରେ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ଯେଉଁ ନେତାମାନେ ଦୃଢ଼ୋକ୍ତି କରିଥିଲେ ସେମାନେ ଏବେ ଆଉ କିଛି କହିବାକୁ ଅମଙ୍ଗ ହେଉଛନ୍ତି । ଯଦି ଏହି ଦୁଇଟି ଆସନର ରାଜନୈତିକ ଦୃଶ୍ୟପଟ ଉପରେ ନଜର ପକାଇବା ତାହେଲେ ଦେଖିବା ଯେ ବାଲେଶ୍ୱରରେ ୨୦୧୪ ନିର୍ବାଚନରେ କଂଗ୍ରେସ ୨୮,୬୫୦ ଖଣ୍ଡ ଭୋଟ (୧୯.୭୫ ପ୍ରତିଶତ) ପାଇ ତୃତୀୟ ସ୍ଥାନରେ ଥିବା ବେଳେ ୨୦୧୯ରେ ୧୯,୭୦୪ ଖଣ୍ଡ ଭୋଟ (୧୨.୪୫ ପ୍ରତିଶତ) ପାଇ ସେହି ତୃତୀୟ ସ୍ଥାନରେ ରହିଥିଲା । ହେଲେ ଏହି ଉପନିର୍ବାଚନରେ ବାଲେଶ୍ୱରରେ କଂଗ୍ରେସ ପାଇଲା ମାତ୍ର ୪,୯୮୩ ଖଣ୍ଡ ଭୋଟ । ଭୋଟ ହାର ୯ ପ୍ରତିଶତ କମି ପହଞ୍ଚିଗଲା ୩.୦୭ ପ୍ରତିଶତରେ ।

ଏହା ବି ପଢ଼ନ୍ତୁ | Bihar Polls: ଲଣ୍ଡନରେ ପଢ଼ି ଫେରିଥିବା ପୁଷ୍ପମ୍ ପ୍ରିୟା କହିଲେ ‘‘EVM ହ୍ୟାକ୍ ହୋଇ NDAକୁ ଗଲା ଭୋଟ୍’’

ଏହି ଉପନିର୍ବାଚନରେ ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ବଦଳାଇ ମମତା କୁଣ୍ଡୁଙ୍କୁ ଠିଆ କରି ମହିଳା କାର୍ଡ଼ ଖେଳିଥିଲା ଓ ଜିତିବ ବୋଲି ଆଶା କରିଥିଲା । କିନ୍ତୁ ତାହା କିଛି କାମ କଲାନି । ତିର୍ତ୍ତୋଲ କଥା ଦେଖିଲେ ୨୦୧୪ରେ କଂଗ୍ରେସ ୫୩,୦୦୦ ଖଣ୍ଡ ଭୋଟ (୩୩.୨୧ ପ୍ରତିଶତ) ପାଇ ଦ୍ୱିତୀୟ ସ୍ଥାନରେ ଥିଲା । ୨୦୧୯ ନିର୍ବାଚନରେ ଦଳ ୨୩,୯୦୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନକୁ ଆସିଲା । ୩୩.୨୧ ପ୍ରତିଶତରୁ ଭୋଟ ହାର କମି ଆସି ପହଞ୍ଚିଲା ୧୩ ପ୍ରତିଶତରେ । ଏବେ ଏହି ଉପନିର୍ବାଚନରେ ଦଳ ପୁଣି ରହିଲା ତୃତୀୟ ସ୍ଥାନରେ । ୨୮,୭୭୮ ଖଣ୍ଡ ଭୋଟ (୨୧.୨୪ ପ୍ରତିଶତ) ପାଇ ବି ହିମାଂଶୁ ମଲ୍ଲିକଙ୍କ ଭଳି ଭଲ ପ୍ରାର୍ଥୀ ଜିତି ପାରିଲେ ନାହିଁ । ଏହାକୁ ନେଇ ଦଳର ନେତା ନିଜ ନିଜ ଉପରେ ଦୋଷ ଲଦୁଛନ୍ତି ।

ମମତା କୁଣ୍ଡୁଙ୍କ ସହ ଏକ ପ୍ରଚାର ସଭାରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତି


‘‘କଂଗ୍ରେସରେ ଆତ୍ମସମୀକ୍ଷା ହେବାର ଆବଶ୍ୟକତା ଅଛି । ଆତ୍ମସମୀକ୍ଷା ନ ହେଲେ ତ୍ରୁଟି ସୁଧାରିବା ଅସମ୍ଭବ । ନେତା ଓ କର୍ମୀ ଏକାଠି ବସି ଆଲୋଚନା କଲେ କିଛି ନିଷ୍କର୍ଷ ବାହାରିବ,’’ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ।

ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ ନିଜ ଦଳ ଉପରେ ତୀକ୍ଷ୍ଣ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ‘‘କଂଗ୍ରେସ ହାରିଛି କଂଗ୍ରେସ ପାଇଁ । ଠିକଣା ଢଙ୍ଗରେ ପ୍ରଚାର ପ୍ରସାର ହେଲାନି କି ସବୁ ନେତାଙ୍କ ପାଦ ପଡ଼ିଲାନି ତିର୍ତ୍ତୋଲରେ । ଫଳରେ ଦଳ ହାରିଲା ।’’

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ

ପର୍ଯ୍ୟବେକ୍ଷକମାନଙ୍କ ମତରେ ଗୋଷ୍ଠୀ କନ୍ଦଳ, ଗୋଡ଼ ଭିଡ଼ାଭିଡ଼ି, ଅସହଯୋଗ ଓ ନେତୃତ୍ୱ ଉପରେ ଅନାସ୍ଥା କଂଗ୍ରେସ ପାଇଁ ମହଙ୍ଗା ପଡ଼ିଲା । ରାଜନୈତିକ ବିଶେଷଜ୍ଞ ରବି ଦାସ କହିଛନ୍ତି, ‘‘ମୋଦିଙ୍କୁ ନେଇ ବିଜେପି ଓ ନବୀନଙ୍କୁ ନେଇ ବିଜେଡି ନିର୍ବାଚନ ମୈଦାନକୁ ଓହ୍ଲାଉଛି । କିନ୍ତୁ କଂଗ୍ରେସ ପାଖରେ କେହି ନ ଥିଲେ । ନା ଅଛି ସଙ୍ଗଠନ ନା ଅଛନ୍ତି ସମର୍ପିତ କର୍ମୀ । ଯେଉଁମାନେ ଭୋଟ କରିବା କଥା ତୃଣମୂଳ ସ୍ତରରେ ସେମାନେ ବି ନ ଥିଲେ। ରାଜ୍ୟରେ ଦଳ ପାଖରେ ଭଲ ମୁହଁ ବି ନ ଥିଲା । କ୍ଷମତାରୁ ବହୁ ଦିନ ଦୂର ହୋଇ ରହିବା ପରେ ଲୋକଙ୍କ ନଜରରୁ ହଜିଗଲାଣି ହାତ।’’



ରାଜ୍ୟ କଂଗ୍ରେସର ପ୍ରଭାରୀ ବଦଳିଲେ । ଜିଲ୍ଲା କମିଟି ବି ଘୋଷଣା ହେଲା । ପିସିସି କମିଟି ଗଠନ ପାଇଁ ବି ଚାଲିଛି ପ୍ରକିୟା । କିନ୍ତୁ ତଥାପି ସୁଧୁରିଲାନି କଂଗ୍ରେସ । ନା ନିରଞ୍ଜନ ନା ଚେଲ୍ଲା କୁମାର, କେହି ବି ଓଡ଼ିଶାରେ ଦଳର ଭଙ୍ଗା ଅଣ୍ଟାକୁ ସିଧା କରିପାରିଲେ ନାହିଁ ।
Published by: Anand Shankar Thankur Das
First published: November 11, 2020, 11:58 PM IST
corona virus btn
corona virus btn
Loading