ପଞ୍ଚାୟତ ତାରକା ପ୍ରଚାରକ ଲିଷ୍ଟରୁ ଜ୍ବାଇଁ ପ୍ରସାଦଙ୍କ ନାଁ ବାଦ ପଡ଼ିବାରୁ ରାଗିଲେ ସୁରେଶ ରାଉତରାୟ

ପଞ୍ଚାୟତ ନିର୍ବାଚନ ତାରକା ପ୍ରଚାରକ ତାଲିକାକୁ ନେଇ କଂଗ୍ରେସରେ ଚର୍ଚ୍ଚା। ପ୍ରସାଦ ହରିଚନ୍ଦନଙ୍କ ନାମ ବାଦ ପଡ଼ିବାରୁ ଏମିତି କହିଲେ ଶଶୁର ସୁରେଶ ରାଉତରାୟ।

ପଞ୍ଚାୟତ ତାରକା ପ୍ରଚାରକ ଲିଷ୍ଟରୁ ଜ୍ବାଇଁ ପ୍ରସାଦଙ୍କ ନାଁ ବାଦ ପଡ଼ିବାରୁ ରାଗିଲେ ସୁରେଶ ରାଉତରାୟ

ପଞ୍ଚାୟତ ତାରକା ପ୍ରଚାରକ ଲିଷ୍ଟରୁ ଜ୍ବାଇଁ ପ୍ରସାଦଙ୍କ ନାଁ ବାଦ ପଡ଼ିବାରୁ ରାଗିଲେ ସୁରେଶ ରାଉତରାୟ

  • Share this:
News18 Odia Digital

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ପିସିସି। ୨୦ ଜଣିଆ ଲିଷ୍ଟ ପ୍ରକାଶ କରାଯାଇଛି। ହେଲେ ତାଲିକାରେ ନାହିଁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନାଁ। ତାଙ୍କ ନାଁ ତାଲିକାରୁ ବାଦ ଦିଆଯିବା ପରେ ଆରମ୍ଭ ହୋଇଛି ଭିନ୍ନ ଚର୍ଚ୍ଚା। ପୂର୍ବରୁ ସବୁ ନିର୍ବାଚନ ପ୍ରଚାରକ ତାଲିକାରେ ତାଙ୍କ ନାଁ ସାମିଲ କରାଯାଉଥିବା ବେଳେ ହଠାତ୍ ପଞ୍ଚୟତ ନିର୍ବାଚନ ତାଲିକାରୁ କାହିଁକି ତାଙ୍କ ନାମ ବାଦ ପଡ଼ିଲା, ତାହା ନେଇ ହେଉଛି ଚର୍ଚ୍ଚା।

କିଛି ଦିନ ପୂର୍ବରୁ ଟିକେଟ ବଣ୍ଟନ ପ୍ରସଙ୍ଗରେ ଆରୋପ ପ୍ରତ୍ୟାରୋପ ସହ ସାମ୍ବାଦିକ ସମ୍ମିଳନୀ କରି ବିଷ ଓଗାଳିଥିଲେ ପ୍ରସାଦ। ଏହା ତାଙ୍କ ଉପରେ ଭାରି ପଡ଼ିଲା କି ବୋଲି ଚର୍ଚା ହେଉଛି। ଏହି ଘଟଣା ପରେ କ୍ରୋଧିତ ହୋଇ ଉଠିଛନ୍ତି ପ୍ରସାଦଙ୍କ ଶଶୁର ତଥା କଂଗ୍ରେସ ବରିଷ୍ଠ ବିଧାୟକ ସୁର ରାଉତରାୟ।

ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ଏ ସବୁ ପିସିସି ସଭାପତିଙ୍କ ଅଜଣାତରେ ହୋଇନଥିବ କହି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି।

ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ପାଖକୁ ଯାଇଥିଲେ ସେ ନିଶ୍ଚିତ ଏହାକୁ ବିରୋଧ କରିଥାନ୍ତେ । ତେଣୁ ଏଭଳି ଏକ ଷଡ଼ଯନ୍ତ୍ର ପିସିସି ସ୍ତରରେ କରାଯାଇଛି। ଏଭଳି କରି ଦଳ ଭିତରେ ସମସ୍ୟା ସୃଷ୍ଟି କରାଯାଉଛି। ଯେଉଁମାନେ ବି ଲିଷ୍ଟ ପ୍ରସ୍ତୁତ କରୁଛନ୍ତି ସେମାନେ ଏଭଳି ନିଚ ମନା ହେବା କଥା ନୁହେଁ। ପ୍ରସାଦଙ୍କ ପ୍ରତି କାହିଁକି ଏମିତି କରାଯାଇଛି ସେ ବିଷୟରେ ପିସିସିଙ୍କୁ ନିଶ୍ଚିତ ଭାବେ ଏକଥା ପଚାରିବି ବୋଲି କହିଲେ ସୁରେଶ। ପ୍ରସାଦ କ'ଣ ଚୋରି କରିଛନ୍ତି ନା କ'ଣ କରିଛନ୍ତି ତାଙ୍କୁ କାହିଁକି ବାଦ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ସେ।

ସେପଟେ ବରିଷ୍ଠ କଂଗ୍ରେସ ନେତା ଅମୀୟ ପଟ୍ଟନାୟକ କହିଛନ୍ତି, "ଯେଉଁମାନେ ତାଲିକା ତିଆରି କରିଛନ୍ତି ସେମାନେ କହିପାରିବେ କାହିଁକି ପ୍ରସାଦଙ୍କୁ ସ୍ଥାନ ଦିଆଯାଇନି। କିନ୍ତୁ ପ୍ରସାଦ ଜଣେ ଜ୍ଞାନୀ ଓ ଅଭିଜ୍ଞ ଲୋକ। ତାଙ୍କୁ ପ୍ରଚାର ତାଲିକାରେ ସ୍ଥାନ ମିଳିବାର ଥିଲା।’’

ପିସିସିର ପରାମର୍ଶ କ୍ରମେ ସୋମବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୨୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରିଛି ପିସିସି। ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପଞ୍ଚାନନ କାନୁନଗୋ, ସପ୍ତଗିରୀ ଉଲ୍ଲାକା, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, କିଶୋର ଚନ୍ଦ୍ର ପଟେଲ, ବିଜୟଲକ୍ଷ୍ମୀ ସାହୁ, ସତ୍ୟପ୍ରକାଶ ନାୟକ, ସୁରେଶ ମହାପାତ୍ର ପ୍ରମୁଖ ରହିଥିବା ବେଳେ ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ମୋହନ ମରକମଙ୍କ ସମେତ ଛତିଶଗଡ଼ର କ୍ୟାବିନେଟ ମନ୍ତ୍ରୀ ଅମରଜିତ ଭଗତ ଓ କାୱାସି ଲକ୍ଷ୍ମା ମଧ୍ୟ ସାମିଲ ଅଛନ୍ତି । କିନ୍ତୁ ପ୍ରସଦଙ୍କ ନା ନଥିବାରୁ ଏହାକୁ ନେଇ ଆରମ୍ଭ ହୋଇଛି ବେଶ୍ ଚର୍ଚ୍ଚା।
Published by:Lipina Das
First published: