ମଧ୍ୟାନ୍ନ ଭୋଜନରେ ବିଜେଡି ଓ ବିଜେପି ମଧ୍ୟରେ କିଛି ଡିଲ୍ ହେଲା କି? ଥମୁନାହିଁ ଚ଼ର୍ଚ୍ଚା

ନବୀନଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅମିତ ଶାହାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବା ପରେ ରାଜ୍ୟ ବିଜେପିର ଚ଼େହେରା ଭାବେ ଧର୍ମେନ୍ଦ୍ରଙ୍କୁ ଉପସ୍ଥାପିତ କରିବା ପାଇଁ ଶାହାଙ୍କ ଇଙ୍ଗିତରେ ଏପରି କରାଯାଇଛି ବୋଲି ମଧ୍ୟ ଚ଼ର୍ଚ୍ଚା ହେଉଛି ।

ମଧ୍ୟାନ୍ନ ଭୋଜନରେ ବିଜେଡି ଓ ବିଜେପି ମଧ୍ୟରେ କିଛି ଡିଲ୍ ହେଲା କି? ଥମୁନାହିଁ ଚ଼ର୍ଚ୍ଚା
ନବୀନଙ୍କ ସହ ନବୀନ ନିବାସରେ ଲଞ୍ଚ୍‌ କରୁଛନ୍ତି ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ, ମମତା ବାନାର୍ଜୀ ଓ ନିତିଶ କୁମାର ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ନବୀନ ନିବାସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲଞ୍ଚକୁ ନେଇ ଥମୁନି ରାଜନୈତିକ ଚ଼ର୍ଚ୍ଚା । କଂଗ୍ରେସ ଏହାକୁ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ଏକ ଡିଲର ପୂର୍ବାଭାଷ ବୋଲି କହୁଥିବା ବେଳେ ଉଭୟ ବିଜେଡି ଓ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ପ୍ରଥମ ଥର ପାଇଁ ନବୀନ ଏଭଳି ଲଞ୍ଚର ଆୟୋଜନ କରି ନ ଥିଲେ । ସେ ପୂର୍ବରୁ ଲାଲକୃଷ୍ଣ ଆଡଭାନିଙ୍କ ଠାରୁ ଆରମ୍ଭ କରି ସୀତାରମ ୟେଚୁରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରମୁଖ ରାଜନୈତିକ ବ୍ୟକ୍ତିଙ୍କୁ ମଧ୍ୟାନ୍ନ ଭୋଜନକୁ ଆମନ୍ତ୍ରିତ କରିଛନ୍ତି । ଅତିଥିଙ୍କୁ ଚ଼ର୍ଚ୍ଚାକରିବାରେ ଓଡିଶାର ମୁଖ୍ୟ ମନ୍ତ୍ରୀଙ୍କର ସ୍ବତନ୍ତ୍ରତା ରହିଛି । ହେଲେ ପୂର୍ବାଞ୍ଚଳ ଜୋନାଲ ପରିଷଦର ବୈଠକ ପରେ ଅମିତ ଶାହା ନବୀନ ନିବାସ ଆସି ମଧ୍ୟାହ୍ନ ଭୋଜନରେ ସାମିଲ ହେବା ଅନେକଙ୍କୁ ଚ଼କିତ କରିଥିଲା । ପରସ୍ପର ପ୍ରତି ଭୀଷଣ ବିରୋଧାତ୍ମକ ବିବୃତି ଦେଇ ରାଜନୈତିକ ଚ଼ର୍ଚ୍ଚାରେ ଦୁଇ ଧୃବ ଭାବେ ଛିଆ ହୋଇଥିବା ଅମିତ ଶାହ ଓ ମମତା ବନାର୍ଜୀ ଏହି ଏହି ମଧ୍ୟାହ୍ଣ ଭୋଜନରେ ସାମିଲ ହୋଇଥିଲେ ।

ଏହି ହାଇପ୍ରୋଫାଇଲ ଲଞ୍ଚରୁ ଏକ ରାଜନୈତିକ ବୁଝାମଣାର ଗନ୍ଧ ବାରିଛି କଂଗ୍ରେସ । ଶାହାଙ୍କ ଓଡ଼ିଶା ଗସ୍ତ ଓ ନବୀନ ପଟ୍ଟନାୟକଙ୍କ ସହ ଲଞ୍ଚକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଅଭିଯୋଗର ବର୍ଷା କରିଛନ୍ତି  । ଉଭୟ ନବୀନ ଓ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଟାର୍ଗେଟ କରି ସୁର କହିଛନ୍ତି: ‘‘ନବୀନ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ପାଇଁ ଆମନ୍ତ୍ରଣ କଲେ । ମମତା, ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ ଓ ନୀତିଶ କୁମାରଙ୍କୁ ସେ ଡାକିଥିବା ବେଳେ ଝାଡ଼ଖଣ୍ଡର ଅର୍ଥ ମନ୍ତ୍ରୀ ରାମେଶ୍ବର ଓରାମ ବୈଠକରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ଡାକି ନ ଥିଲେ । ନବୀନଙ୍କ ସାଧରଣ ସୌଜନ୍ୟ ନାହିଁ ।  ଆଠ ମାସ ତଳେ ନବୀନଙ୍କୁ ଗାଳି ଦେଉଥିବା ଶାହା ନବୀନଙ୍କ ସହିତ ବସି ଏକାଠି ଖାଇବା ଦୁଇ ଦଳ ଭିତରେ କିଛି ବୁଝାମଣାର ସଙ୍କେତ ଦେଉଛି ।’’ ନବୀନଙ୍କୁ ସମାଲୋଚନା କରୁଥିବା ଶାହ କେମିତି ନବୀନ ନିବାସ ଗଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ସୁର ।

ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ନବୀନ ଓ ଶାହା


ଝାଡ଼ଖଣ୍ଡରେ ଜେଏମଏମ ଓ କଂଗ୍ରେସର ମିଳିତ ସରକାର ଚ଼ାଲୁଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରତିନିଧି ଭାବରେ ସେଠାକାର ଅର୍ଥ ମନ୍ତ୍ରୀ ରାମେଶ୍ବର ଓରାମ ଏହି ବୈଠକରେ ଯୋଗ ଦେଇଥିଲେ । ରାମେଶ୍ବର ହେଉଛନ୍ତି କଂଗ୍ରେସ ଦଳର । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବାଞ୍ଚଳ ଜୋନାଲ ପରିଷଦର ବୈଠକରେ ଯୋଗଦେଇ ନ ଥିଲେ କି ଏହାର ସଦସ୍ୟ ବି ନ ଥିଲେ । ହେଲେ ତାଙ୍କୁ ନବୀନ ନିମନ୍ତ୍ରଣ କଲେ, କିନ୍ତୁ ଝାଡ଼ଖଣ୍ଡର କଂଗ୍ରେସ ମନ୍ତ୍ରୀ ବୈଠକରେ ଯୋଗଦେଇଥିଲେ ବି ତାଙ୍କୁ ଡାକିଲେ ନାହିଁ ।

ଝାଡ଼ଖଣ୍ଡର କଂଗ୍ରେସ ମନ୍ତ୍ରୀଙ୍କୁ ଡାକିଥିଲେ ଶାହା ଖରାପ ଭାବିଥାନ୍ତେ ବୋଲି ନବୀନ ଏମିତି କଲେ ବୋଲି ରାଜନୈତିକ ମହଲରେ ଚ଼ର୍ଚ୍ଚା ହୋଉଛି । ଧର୍ମେନ୍ଦ୍ରଙ୍କୁ ନବୀନ ପୂର୍ବରୁ ଡାକି କେବେ ଆପ୍ୟାୟିତ କରିନଥିଲେ । ଅରୁଣ ଜେଟଲୀ ଏକଦା ଓଡିଶା ଆସିଥିବା ବେଳେ ଧର୍ମେନ୍ଦ୍ର ବି ତାଙ୍କ ସହିତ ଥିଲେ । ହେଲେ ଜେଟଲୀଙ୍କୁ ହି ନବୀନ ମଧ୍ୟାହ୍ନ ଭୋଜନ ପାଇଁ ଡାକିଥିଲେ ନବୀନ, ଧର୍ମେନ୍ଦ୍ରଙ୍କୁ ଡାକି ନ ଥିଲେ ।

ନବୀନଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅମିତ ଶାହାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବା ପରେ ରାଜ୍ୟ ବିଜେପିର ଚ଼େହେରା ଭାବେ ଧର୍ମେନ୍ଦ୍ରଙ୍କୁ ଉପସ୍ଥାପିତ କରିବା ପାଇଁ ଶାହାଙ୍କ ଇଙ୍ଗିତରେ ଏପରି କରାଯାଇଛି ବୋଲି ମଧ୍ୟ ଚ଼ର୍ଚ୍ଚା ହେଉଛି ।

ଆତିଥ୍ୟ ଦେବାରେ ନବୀନଙ୍କର ସ୍ୱତନ୍ତ୍ର ଭାବମୂର୍ତ୍ତି ରହିଛି ।


ନବୀନଙ୍କ ଏଭଳି ଆତିଥ୍ୟ ପ୍ରଦାନ ପ୍ରଥମ ନୁହେଁ  । ପୂର୍ବରୁ ୨୦୧୬ରେ ‘ମେକ୍‌ ଇନ୍‌ ଓଡିଶା’କୁ ଆସିଥିବା ତତ୍କାଳୀନ ଅର୍ଥ ମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀ ମଧ୍ୟ ନବୀନ ନିବାସ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ । ୨୦୧୮ରେ ବିଜୁ ପଟ୍ଟନାୟକଙ୍କ ଉପରେ ରଚ଼ିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନ ମନ୍ତ୍ରୀ ଏଚ୍‌.ଡି. ଦେବଗୌଡ଼, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନି ଓ ବାମପନ୍ଥୀ ନେତା  ସୀତାରାମ ୟେଚୁରୀ ବି ନବୀନଙ୍କ ସହିତ ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଥିଲେ । ୨୦୧୭ରେ ରାଷ୍ଟ୍ରପତି ନିର୍ବାଚ଼ନ ସମୟରେ ଓଡ଼ିଶା ଆସିଥିବା ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା ବି ନବୀନଙ୍କ ଲଞ୍ଚ ଟେବୁଲରୁ ବାଦ ପଡିନଥିଲେ ।

କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ ବିଜେଡି ବିଜେପି । ବିଜେଡି ବିଧାୟକ ଶଶୀ ଭୁଷଣ ବେହେରା କହିଛନ୍ତି: ‘‘କଂଗ୍ରେସ ଆଜିର ଦିନରେ ଜଣସାଧାରଣଙ୍କ ଠୁ ଦୂରେଇ ଯାଇଛି ।  ସାଧାରଣ ଲୋକଙ୍କ ପାଖରେ ଅପ୍ରାସଙ୍ଗିକ ହୋଇପଡିଛି । ସେମାନେ ଦଳକୁ ପ୍ରଥମେ ଲୋକଙ୍କ ପାଖକୁ ନିଅନ୍ତୁ, ତା’ପରେ ଏଭଳି ବକ୍ତବ୍ୟ ଦେବେ । ଅତିଥି ସତ୍କାର ନେଇ ଏହା ହିଁ ହେଉଛି ବିଜୁ ପରିବାରର ମହନିୟତା । ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଅତିଥି ତ୍ସକାରକୁ ନେଇ ଯେଉଁ ଗୁଣ ରହିଥିଲା, ନବୀନ ବାବୁ ସେହି ଆଧାରରେ ଏହାକୁ ଆଗେଇ ନେଉଛନ୍ତି । ଏଥିରେ କୌଣସି ଡିଲ୍‌ ନାହିଁ ।’’

‘‘ଆତିଥ୍ୟ ଦେବା ଓ ଗ୍ରହଣ କରିବା ହେଉଛି ଭାରତୀୟ ସଂସ୍କୃତି । ଏହା ରାଜନିତିରୁ ବହୁ ଉର୍ଦ୍ଧରେ । ତେବେ କଂଗ୍ରେସ ନେତାମାନେ ଏଭଳି ହାଲୁକା ମନ୍ତବ୍ୟରୁ ଦୂରେଇ ରୁହିଲେ ଭଲ । କଂଗ୍ରେସ ଏଭଳି ଆଶଙ୍କା କରିବାର କୌଣସି କାରଣ ନାହିଁ । କଂଗ୍ରେସ ଲଢେଇରେ ନାହିଁ, ତେଣୁ ଗଛରେ ବେଲ ପାଚ଼ିଲେ କାଉର କି ଲାଭ? ବିଜେଡି ଓ ବିଜେପି ମଧ୍ୟରେ  ଲଢେଇ ଜାରି ରହିଛି । ଆଗାମୀ ପୌର ନିର୍ବାଚ଼ନ ଓ ପଞ୍ଚାୟତ ନିର୍ବାଚ଼ନରେ ଏ ଲଢ଼େଇ ଜାରି ରହିବ,’’ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।

ଏହି ହାଇପ୍ରୋଫାଇଲ ଲଞ୍ଚକୁ ନେଇ ଚ଼ର୍ଚ୍ଚା କ୍ରମଶଃ ଜୋର୍‌ ଧରୁଥିବା ବେଳେ ପ୍ରକୃତରେ ଏହା ସାଧାରଣ ଆତିଥ୍ୟ ଥିଲା ନା ରାଜ୍ୟସଭା ନିର୍ବାଚ଼ନ ଆଗରୁ ମୁଲଚ଼ାଲ ଥିଲା ତାହା ଏହି ନିର୍ବାଚ଼ନ ପରେ ହିଁ ଜଣାପଡିବ ।
First published: March 1, 2020, 6:45 PM IST