News18 Odia Digital
କଟକ: ବସ୍ତି ବାସିନ୍ଦାଙ୍କ ଘର ଜାଲିଆତି ପ୍ରସଙ୍ଗରେ ପୋଲିସ ମୁଖ୍ୟ ଅଭିଯୁକ୍ତ ରାଜା କରଣକୁ ରିମାଣ୍ଡରେ ଆଣି ପଚରା ଉଚରା ଜାରି ରଖିଥିବା ବେଳେ ରାଜାର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ମଧ୍ୟ ଆରମ୍ଭ କରିଛି । ସେପଟେ ଏହି ଘଟଣା ରାଜା ନାଁରେ ମୋଟ ୪ଟି ମାମଲା ରୁଜ୍ଜୁ ହୋଇ ସାରିଥିବା ବେଳେ ରାଜାକୁ ଟଙ୍କା ଦେଇ ଘର ନେଇଥିବା ଓ ନେବାକୁ ଥିବା ଲୋକଙ୍କ ଲମ୍ବା ତାଲିକା ଏବେ ସାମନାକୁ ଆସିବାରେ ଲାଗିଛି।
କଟକ ଅନ୍ଦରପୁରଠାରେ ଭୂମି ହୀନ ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇ ଦେବା ପାଇଁ ସିଏମସି ଦ୍ବାରା ପରିଚାଳିତ Integrated Housing and Slum Development Programe ବା IHSDP ଯୋଜନାରେ ତିଆରି ହୋଇଥିବା ଘର ବିକ୍ରି ମାମଲା ଏବେ ଧିରେ ଧୀରେ ଘନେଇବାରେ ଲାଗିଛି । ରାଜା ଦ୍ବାରା ଠକେଇର ଶିକାର ହୋଇଥିବା ପ୍ରାୟ ୩୦ରୁ ଉର୍ଦ୍ଧ ଲୋକ ସୋମବାର ଦିନ ସିଏମସି ଅଫିସକୁ ଆସି ଫେରାଦ ହୋଇଥିଲେ । ରାଜା ସେମାନଙ୍କୁ ସିଏମସିର ଚୁକ୍ତିପତ୍ର ଦେଇ ଟଙ୍କା ନେଇଥିବାରୁ ସେମାନଙ୍କୁ ଟଙ୍କା ଫେରାଇ ଦିଆଯାଉ କିମ୍ବା ଘର ଦିଆଯାଉ ବୋଲି ଦାବି କରିଛନ୍ତି କ୍ଷତିଗ୍ରସ୍ତ । ସେପଟେ ଏହି କେଳେଙ୍କାରୀରେ ସିଏମସିର କିଛି ଅସାଧୁ ଅଧିକାରୀଙ୍କ ସହ ବହୁ ବଡ଼ ବଡ଼ିଆଙ୍କ ହାତ ଥିବା ଅଭିଯୋଗ କରି ଏହି ମାମଲାର ତଦନ୍ତ କ୍ରାଇମବାଞ୍ଚ ଦ୍ବାରା କରାଇବା ପାଇଁ ସିଏମସି କମିଶନରଙ୍କୁ ଦାବି ପତ୍ର ପ୍ରଦାନ କରିଛି କଂଗ୍ରେସ ।
"ତିନି ତାରିଖରୁ ଏହି ଲୋକମାନଙ୍କୁ ମହାନଗର ନିଗମର ଅଧିକାରୀମାନେ ସେହି ଘରୁ ବାହାର କରି ଦେଇଛନ୍ତି। ଏହି ଘଟଣାରେ ସିଏମସିର ଅଧିକାରୀଙ୍କ ସହ ନକଲି କାଜଗପତ୍ର ପ୍ରସ୍ତୁତ କରିବାରେ ସହଯୋଗ କରିଥିବା ଆଇନଜୀବୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ," କହିଛନ୍ତି ଠକେଇର ଶିକାର ହୋଇଥିବା ଲୋକଙ୍କ ଆଇନଜିବୀ ପଦ୍ମାଳୟା ମହାପାତ୍ର ।
"ଏହି ଘଟଣାରେ ବଡ଼ ବଡ଼ିଆ ସାମିଲ ଅଛନ୍ତି । ସେଥିପାଇଁ ସିଏମସି କତ୍ତୃପକ୍ଷ ଏହାକୁ ଅତି ଗୁରୁତର ସହ ନିଅନ୍ତୁ । ଏହି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ପୁରା ସତ ସାମନାକୁ ଆସିବ," କହିଛନ୍ତି କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।